ଭୁବନେଶ୍ବର: ରାଜ୍ୟରେ ଆଇନ ଶୃଙ୍ଖଳା ଓ ନାରୀ ନିର୍ଯାତନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସ ଉପସ୍ଥିତିରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ବିଧାୟକ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ନାରୀ ନିର୍ଯାତନା ପ୍ରସଙ୍ଗରେ ବିଶେଷଭାବେ ଆଲୋଚନା କରାଯାଇଛି। କଂଗ୍ରେସ ଦଳ ବାରମ୍ବାର ଏହି ପ୍ରସଙ୍ଗ ଉତ୍ଥାପନ କରୁଥିଲେ ହେଁ ସରକାର ଏହାକୁ ଶୁଣୁନାହାନ୍ତି। ସେହିପରି ରାଜ୍ୟରେ ସାରର ଘୋର ଅଭାବ ଦେଖାଦେଇଛି। ଚାଷୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଉତ୍ପାଦନରେ ଏହା ବିଶେଷ ପ୍ରଭାବ ପକାଇବ। କଳାବଜାରୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଯାହାକି ନିନ୍ଦନୀୟ। ଶିକ୍ଷା କ୍ଷେତ୍ରକୁ ରାଜ୍ୟରେ ଅବହେଳା କରାଯାଉଛି। ଛାତ୍ର ସଂସଦ ନିର୍ବାଚନ ଘୋଷଣା କରାଗଲା ନାହିଁ। ସ୍ବଚ୍ଛ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହେବା ଯୋଗୁଁ ରାଜ୍ୟର ୧୧ଟି ଜିଲ୍ଲାରେ ହଇଜା ବ୍ୟାପିଥିଲା।
ତେଣୁ ବହୁ ପ୍ରସଙ୍ଗ ଉପରେ ଆଜି ଆଲୋଚନା ହୋଇଥିବା ସେ କହିଛନ୍ତି। ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ସାର ଅଭାବ, ଶିଳ୍ପ ନାଁରେ ବିସ୍ଥାପନ ବଢ଼ିବା, ନାରୀ ସୁରକ୍ଷା, ଏସ୍ସିଏସ୍ଟି ଆଇନକୁ ଦୁର୍ବଳ କରିବା, ବେକାରି ସମସ୍ୟା, ଆଇନ ଶୃଙ୍ଖଳା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ସରକାର ରାଜ୍ୟବାସୀଙ୍କ ବିଶ୍ବାସ ହରାଇଛନ୍ତି। ତେଣୁ କଂଗ୍ରେସ ଦଳ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ଆଣିବା ଲାଗି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନେଇଥିବା ଶ୍ରୀ କାଡ଼ାମ ସୂଚନା ଦେଇଛନ୍ତି। ବୈଠକରେ କଂଗ୍ରେସର ବିଧାୟକଗଣ ଉପସ୍ଥିତ ଥିଲେ।
ଭୁବନେଶ୍ବର: ବିଧାନସଭା ଅଧିବେଶନ ପାଇଁ ଶଙ୍ଖ ଭବନରେ ବିଜେଡିର ବିଧାୟକ ଦଳ ବୈଠକ ଡକାଯାଇଥିଲା। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନୂଆଦିଲ୍ଲୀରେ ଥିବାରୁ ଆଭାସୀ ମାଧ୍ୟମରେ ଏଥିରେ ଯୋଡ଼ି ହୋଇଥିଲେ। ରାଜ୍ୟ ସରକାରଙ୍କ କି କି ବିଫଳତା ବିଧାନସଭାରେ ଉଠାଯିବ, ସେହି ପ୍ରସଙ୍ଗଗୁଡ଼ିକ ଶ୍ରୀ ପଟ୍ଟନାୟକ କହିଥିଲେ। କିନ୍ତୁ ତାଙ୍କ ଭାଷଣ ସରିଲା ପରେ ବିଧାୟକମାନଙ୍କୁ ସିଧା ଜଣାଇ ଦିଆଯାଇଥିଲା ଯେ ଗୃହ କାର୍ଯ୍ୟ କରାଇ ଦିଆଯିବ ନାହିଁ, ସମ୍ପୂର୍ଣ୍ଣ ଅଚଳ କରାଯିବ। କିଛି ବିଧାୟକ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଥିଲେ ବି ସେମାନଙ୍କ ମତକୁ ଗ୍ରହଣ କରାଯାଇ ନଥିଲା। ବିରୋଧୀ ଦଳ ନେତା କହିଥିଲେ, ଗତ ସାଢ଼େ ତିନି ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଡବଲ୍ ଇଞ୍ଜିନ୍ ସରକାରର ଅପାରଗତା ଓ ଉଦାସୀନତା ଜଳ ଜଳ ହୋଇ ଦିଶୁଛି। ମହିଳାମାନଙ୍କ ଉପରେ ଅତ୍ୟାଚାର ଜନିତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ପ୍ରତିଦିନ ବଢ଼ି ଚାଲିଛି। ସେହିପରି ସାର ଯୋଗାଣ କ୍ଷେତ୍ରରେ ସୃଷ୍ଟି ହୋଇଥିବା ମାନବକୃତ ସଙ୍କଟ ଯୋଗୁଁ ଚାଷୀମାନେ ହଇରାଣ ହେଉଛନ୍ତି। ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ରାଜ୍ୟ ସରକାର ଅଫିସରମାନଙ୍କ ଆର୍ଥିକ କ୍ଷମତା ବୃଦ୍ଧି କରିଛନ୍ତି। ଏହାକୁ ଦୃଢ଼ ବିରୋଧ କରାଯିବ।
ଆଭାସୀରେ ଯୋଡ଼ି ହେଲେ ନବୀନ
ଦଳୀୟ ନିଷ୍ପତ୍ତିକୁ ବିଧାୟକଙ୍କ ନାପସନ୍ଦ
ଏତଦ୍ ବ୍ୟତୀତ ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ହୋଇଥିବା ବିଶୃଙ୍ଖଳା ଓ ଦଳାଚକଟା ଘଟଣାରେ ମଧ୍ୟ ସରକାରଙ୍କୁ ଜବାବ ଦାବି କରାଯିବ। କେବଳ ମିଛ ପ୍ରଚାର ବ୍ୟତୀତ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି। ତେଣୁ ଚାଷୀ, ମହିଳା, ପଞ୍ଚାୟତିରାଜ ବ୍ୟବସ୍ଥା ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ବିଜେଡି ବିଧାନସଭାରେ କଠୋର ଆଭିମୁଖ୍ୟ ନେବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ବିସ୍ତୃତ ଆଲୋଚନା କରିଥିଲେ। ସବୁ ପ୍ରସଙ୍ଗରେ ବିଜେଡି ଗୃହରେ କଡ଼ା ଆଭିମୁଖ୍ୟ ନେବ ବୋଲି ପ୍ରମିଳା କହିଥିଲେ। ଉପସଚେତକ ପ୍ରତାପ ଦେବ ସ୍ପଷ୍ଟ ଭାବେ କହିଥିଲେ ଯେ ୬ ଦିନ ଯାକ ଗୃହ ଚଳାଇ ଦେବା ନାହିଁ। ପ୍ରତିଦିନ ଆରମ୍ଭରୁ ହଟ୍ଟଗୋଳ କରି ଗୃହ ବନ୍ଦ କରିଦିଆଯିବ। ତେବେ ଏପରି ନିଷ୍ପତ୍ତି ଉପରେ ସହମତ ଆସି ନଥିଲା। ବିଧାୟକଙ୍କ ଭିତରେ ଏହାକୁ ନେଇ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଥିଲା। ବିଧାୟକ ଗଣେଶ୍ବର ବେହେରା ଏହାର ପ୍ରତିବାଦ କରିଥିଲେ। ମୁଖ୍ୟ ବିରୋଧୀ ଦଳ ଭାବେ ଏପରି ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ ବୋଲି ସେ କହିଥିଲେ। କିନ୍ତୁ ଏହା ଦଳୀୟ ନିଷ୍ପତ୍ତି ବୋଲି ପ୍ରମିଳା କହିଥିଲେ। ବିଧାୟକ ଅରୁଣ ସାହୁ କହିଥିଲେ, ପ୍ରଥମାର୍ଦ୍ଧରେ ପ୍ରଶ୍ନକାଳ ଓ ଶୂନ୍ୟକାଳରେ ଅଂଶଗ୍ରହଣ କରିବା ଭଲ ହେବ। ଏଥିରେ ବିଧାୟକମାନେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ କହିପାରିବେ। ତାହା ପରେ ଅଚଳ କରିଦେଲେ ଚଳିବ। ପ୍ରମିଳା କହିଥିଲେ, ପ୍ରଥମେ ଦୁଇ ତିନି ଦିନ ଅଚଳ କରିଦିଆଯିବ। ତାହା ପରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ।
ବିରୋଧୀ ଦଳ ନେତା ପୂରା ଅଧିବେଶନରେ ଅନୁପସ୍ଥିତ ରହିବେ। ତେଣୁ ତାଙ୍କ ଅନୁପସ୍ଥିତିରେ କେଉଁ ୮ ଜଣ ବିଧାୟକ ସମନ୍ବୟ ଦାୟିତ୍ବରେ ରହିବେ, ସେମାନଙ୍କ ନାମ ନବୀନ କହିଥିଲେ। ସେମାନେ ହେଲେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ, ପ୍ରତାପ ଦେବ, ଅରୁଣ ସାହୁ, ମନୋହର ରନ୍ଧାରୀ, ସାରଦା ନାୟକ, ସାରଦା ଜେନା ଓ ଗୌତମବୁଦ୍ଧ ଦାସ। ତେବେ ଏଥିରେ ଦୁଇ ଜଣ ନୂଆ ବିଧାୟକଙ୍କ ନାମ ଥିବାରୁ ବୈଠକରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। କିନ୍ତୁ ବରିଷ୍ଠମାନେ ଏହା ଉପରେ କିଛି ମନ୍ତବ୍ୟ ଦେଇ ନଥିଲେ।