ଭୁବନେଶ୍ବର: ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେବ। ଏହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବାକୁ ନିର୍ଦ୍ଧାରିତ ହୋଇଛି। ଏଥିରେ ମୋଟ୍ ୨୯ଟି କାର୍ଯ୍ୟଦିବସ ରହିଛି। ଏହି ଅଧିବେଶନର ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥର ଅଧିବେଶନର ପ୍ରଥମ ଦିନରେ ଯୋଗ ଦେବେ। ସେ ଗୃହକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବିଧାନସଭା ପକ୍ଷରୁ ଜୋର୍ଦାର ପ୍ରସ୍ତୁତି କରାଯାଉଛି। ବିଧାନସୌଧ ସମେତ ବିଧାନସଭା ପରିସରକୁ ସଜାଯାଉଛି। ଶ୍ରୀମତୀ ମୁର୍ମୁ ମନ୍ତ୍ରୀ ଥିଲା ବେଳେ ସେ ବସୁଥିବା ଚାମ୍ବରକୁ ମଧ୍ୟ ନୂଆ ରୂପ ଦିଆଯାଉଛି। ଏ ସମ୍ପର୍କରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ରାଷ୍ଟ୍ରପତି ବିଧାନସଭା ଆସି ସମ୍ବୋଧିତ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଗସ୍ତ ସମ୍ପର୍କରେ ଚୂଡ଼ାନ୍ତ କାର୍ଯ୍ୟସୂଚୀ ରାଷ୍ଟ୍ରପତି ଭବନରୁ ଏଯାଏଁ ଆସି ନାହିଁ।
ଅଧିବେଶନର ଦ୍ବିତୀୟ ଦିବସରେ ଅର୍ଥାତ୍ ୨୮ ତାରିଖରେ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ। ବଜେଟ୍ର ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇ ୮ ତାରିଖରେ ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ। ୩, ୧୨, ୧୯, ୨୪ ଓ ୨୬ ତାରିଖରେ ପ୍ରାଇଭେଟ୍ ମେମ୍ବର୍ସ ବିଜ୍ନେସ୍ ରହିଛି। ତେବେ ପ୍ରତିବର୍ଷ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି। ପୂର୍ବ ଦୁଇଟି ଅଧିବେଶନରେ ଗୃହ ୩୧ ଦିନ ଚାଲିସାରିଛି। ତେଣୁ ବ୍ୟବସ୍ଥା ଅନୁଯାୟୀ ଶୀତ ଅଧିବେଶନରେ ୨୯ ଦିନିଆ କ୍ୟାଲେଣ୍ଡର୍ କରାଯାଇଛି। କିନ୍ତୁ ଅତିରିକ୍ତ ବଜେଟ୍ ଗୃହୀତ ହେଲା ପରେ କେତେଦିନ ଗୃହ ଚାଲିବ, ତାହା ଉପରେ ସମସ୍ତଙ୍କ ନଜର ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/24/assembly33-2025-09-24-03-44-04.jpg)