ସଂଖ୍ୟାଲଘୁ ଭାଷାଭାଷୀ ଗୃହକମିଟି ବୈଠକରେ ଉଦ୍‌ବେଗ : ବିଭିନ୍ନ ରାଜ୍ୟ ଗସ୍ତରେ ଯିବ ବିଧାନସଭା କମିଟି

୭ଟି ସବ୍‌କମିଟି ଗଠନ କଲେ ବାଚସ୍ପତି

ଭୁବନେଶ୍ବର : ଓଡ଼ିଶା ପ୍ରଦେଶର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ ତଥା ତାହାର ପ୍ରତିକାର ପାଇଁ ସୁପାରିସ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହକମିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ସୀମାନ୍ଧ୍ର, ତେଲେଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଗୁଜୁରାଟ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ପ୍ରଭୃତି ରାଜ୍ୟରେ ବସବାସ କରୁଥିବା ଓଡ଼ିଆମାନଙ୍କ ସମସ୍ୟା ଓ ତା’ର ପ୍ରତିକାର ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା। ଏହି ଅଞ୍ଚଳରେ ବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀଙ୍କ ବାସ୍ତବ ସମସ୍ୟା ସଂପର୍କରେ ସଠିକ୍‌ ରୂପେ ଅବଗତ ହେବା ପାଇଁ ଗଠିତ ହୋଇଥିବା ୭ଟି ସବ୍‌କମିଟି ସଂପୃକ୍ତ ରାଜ୍ୟଗୁଡ଼ିକୁ ଗସ୍ତ କରିବ ଏବଂ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଏବଂ ଅନୁଷ୍ଠାନ ସହ ଆଲୋଚନା କରିବ। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି କଳାକୁ ଓଡ଼ିଆମାନେ ବସବାସ କରୁଥିବା ରାଜ୍ୟରେ ପ୍ରଚାର ଓ ପ୍ରସାର କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।ଉପାନ୍ତ ମଞ୍ଜୁଷା, ଟିକିଲି ଆଦି ଅଞ୍ଚଳରେ ଓଡ଼ିଆ ଭାଷା ଶିକ୍ଷା ଅବହେଳିତ ହେଉଥିବା ଦର୍ଶାଇ ବିଧାୟିକା ଉଷାଦେବୀ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଅବିଳମ୍ବେ ଗଣଶିକ୍ଷା ବିଭାଗ ତରଫରୁ ତୁରନ୍ତ ଏଠାରେ ଓଡ଼ିଆ ଶିକ୍ଷକ ନିଯୁକ୍ତି କରିବାକୁ ଦାବି କରିଥିଲେ। ଓଡ଼ିଆମାନେ ବସବାସ କରୁଥିବା ରାଜ୍ୟଗୁଡ଼ିକରେ ଆମର କଳା, ସ୍ଥାପତ୍ୟ, ଜୀବନଶୈଳୀର ଝଲକ ପ୍ରଦର୍ଶନ କରିବା ପାଇଁ ଓଡ଼ିଶା ମହୋତ୍ସବ ଆୟୋଜନ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଧାୟକ ବିଷ୍ଣୁ ଚରଣ ସେଠୀ ପ୍ରସ୍ତାବ ରଖିଥିଲେ। ମେଦିନୀପୁରର ଚବିଶ ପ୍ରାଗଣା ଏବଂ କଲିକତା ଭଳି ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆମାନଙ୍କର ଶିକ୍ଷା, ସଂସ୍କୃତି, ଭାଷାଭିତ୍ତିକ ସମସ୍ୟାର ଆଶୁ ସମାଧାନ ପାଇଁ ବିଧାୟକ ଅନନ୍ତ ଦାସ ପ୍ରସ୍ତାବ ଦେଇଥିଲେ। ସଂପୃକ୍ତ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ସଂକ୍ରାନ୍ତରେ ଏକ ପ୍ରଶ୍ନାବଳୀ ପ୍ରେରଣ କରିବାକୁ ଏବଂ ଜିଲ୍ଲାପାଳମାନେ ଗୃହକମିଟି ନିକଟରେ ଉପସ୍ଥିତ ହୋଇ ତାହାର ଜବାବ ରଖିବାକୁ ବାଚସ୍ପତି ଡ. ପାତ୍ର ନିର୍ଦ୍ଦେଶ ଦେଇଥିଲେ।

ସୀମାନ୍ଧ୍ର ପାଇଁ ଗଠିତ ସବ୍‌କମିଟିର ଅଧ୍ୟକ୍ଷ ରୂପେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ତେଲେଙ୍ଗାନା ପାଇଁ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଛତିଶଗଡ଼ ପାଇଁ ବିଧାୟକ ଅମର ପ୍ରସାଦ ଶତପଥୀ, ଝାଡଖଣ୍ଡ ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ, ପଶ୍ଚିମବଙ୍ଗ ପାଇଁ ବିଧାୟକ ଅନନ୍ତ ଦାସ, ଗୁଜୁରାଟ ଓ ମହାରାଷ୍ଟ୍ର ପାଇଁ ଉପବାଚସ୍ପତି ରଜନୀକାନ୍ତ ସିଂ, କର୍ଣ୍ଣାଟକ ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଧ୍ୟକ୍ଷ ରୂପେ ରହି ସଂପୃକ୍ତ ରାଜ୍ୟର ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକମାନଙ୍କର ସମସ୍ୟା ଅନୁଧ୍ୟାନ କରିବେ।

ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକଅଶ୍ୱିନୀ କୁମାର ପାତ୍ର, ରାଜେନ୍ଦ୍ର ଢୋଲକିଆ, ଭାସ୍କର ମଢ଼େଇ, ବାସନ୍ତୀ ହେମ୍ବ୍ରମ୍‌ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର