ବିଧାନ ପରିଷଦ ଚିଠି ହଜିବା ପ୍ରସଙ୍ଗ: ସାଢ଼େ ତିନିବର୍ଷ ତଳର ଚିଠି ଗଲା କୁଆଡ଼େ?

ସୂଚନା ଅଧିକାର କର୍ମୀଙ୍କୁ ପୁରୁଣା ଚିଠି ଦେଇପାରିଲାନି ଆଇନ ମନ୍ତ୍ରାଳୟ

ବଲାଙ୍ଗୀର : କିଛିମାସ ତଳେ ବିଧାନସଭା ପରିଷଦ ପ୍ରସଙ୍ଗ ପୁଣିଥରେ ଚର୍ଚ୍ଚାକୁ ଆସିବା ପରେ ଜଣାଶୁଣା ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡାଙ୍କୁ ଯେଉଁ ତଥ୍ୟ ମିଳିଛି, ତାହା କେନ୍ଦ୍ର ଆଇନ ମନ୍ତ୍ରାଳୟର ଦାୟିତ୍ବହୀନତା ସମ୍ପର୍କରେ ସମ୍ୟକ୍‌ ଆଭାସ ଦେଇଛି। ମନ୍ତ୍ରାଳୟ ଶ୍ରୀ ପଣ୍ଡାଙ୍କୁ କେବଳ ନୂଆ ଚିଠିର ନକଲ ଦେଇଥିବାବେଳେ ପୁରୁଣା ଚିଠି ଦେବାକୁ ସମର୍ଥ ହୋଇନାହିଁ। ପୁରୁଣା ଚିଠି ସମ୍ପର୍କରେ କେବଳ ଯାହା ସୂଚନା ଦିଆଯାଇଛି। ଏହି ପୁରୁଣା ଚିଠି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବାକ୍‌ଯୁଦ୍ଧ ହୋଇସାରିଛି। ଏପରିସ୍ଥଳେ ନୂଆ ଚିଠି ଭଳି ପୁରୁଣା ଚିଠି ନକଲ ଦେଇପାରିଲାନି, ତାହାକୁ ନେଇ ମନରେ ଏକ ପ୍ରଶ୍ନ ଉଙ୍କି ମାରିଛି। ତାହା ହେଉଛି, ସାଢ଼େ ତିନିବର୍ଷ ତଳର ଚିଠି ଗଲା କୁଆଡ଼େ?

ପରିଷଦ ଗଠନ ପାଇଁ ୨୦୧୮ ମସିହା ସେପ୍ଟେମ୍ବର ୬ ତାରିଖରେ ସମ୍ବିଧାନର ଧାରା ୧୬୯ (୧) ଅନୁଯାୟୀ ବିଧାନସଭାରେ ପ୍ରସ୍ତାବ ପ‌ାରିତ ହୋଇଥିଲା। ଦୁଇତୃତୀୟାଂଶରୁ ଅଧିକ ବିଧାୟକ ଏହା ସପକ୍ଷରେ ମତ ପ୍ରଦାନ କରିଥିଲେ। ସେହି ମାସ ୧୮ ତାରିଖରେ ବିଧାନସଭା ପକ୍ଷରୁ ଏ ସମ୍ପର୍କରେ କେନ୍ଦ୍ରକୁ ପଠାଯାଇଥିଲା, ଯାହାକି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। କିନ୍ତୁ, ୩ ବର୍ଷ ଧରି ରାଜ୍ୟ ସରକାର ଏହି ପ୍ରସଙ୍ଗରେ ପଦୁଟିଏ କହିନଥିଲେ। ଗତ ଫେବ୍ରୁଆରି ୧୦ତାରିଖ ଦିନ ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ ଉପରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁଙ୍କ ମନ୍ତବ୍ୟ ପରେ ପୁଣିଥରେ ଏହା ଆଲୋଚନା ପରିସରକୁ ଆସିଥିଲା। କେନ୍ଦ୍ରମନ୍ତ୍ରୀ ଉତ୍ତର ରଖିଥିଲେ ଯେ ଏଭଳି କୌଣସି ପ୍ରସ୍ତାବ କେନ୍ଦ୍ରକୁ ମିଳିନାହିଁ। କେନ୍ଦ୍ରମନ୍ତ୍ରୀଙ୍କ ଏହିଭଳି ଉତ୍ତର ପ‌ରେ ରାଜ୍ୟରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ନେଇ ବଲାଙ୍ଗୀର ସାମାଜିକ କର୍ମୀ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟକୁ ତଥ୍ୟ ମାଗିଥିଲେ। ଏହାର ଉତ୍ତରରେ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଓଡ଼ିଶା ବିଧାନସଭାରେ ପାସ୍‌ ହୋଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଏଥିସହିତ, ଓଡ଼ିଶା ବିଧାନସଭା ପକ୍ଷରୁ ପ୍ରଦାନ କରାଯାଇଥିବା ନୂଆ ଚିଠିର ନକଲ ପ୍ରଦାନ କରାଯାଇଛି। ମାତ୍ର, ପୁରୁଣା ଚିଠି (ନଂ ୮୮୫୮/ଖ ଇ, ୧୮/୯/୨୦୧୮) ସମ୍ପର୍କରେ କେବଳ ସୂଚନା ଦିଆଯାଇଛି। ଏହି ଚିଠିଟି ଇମେଲ୍‌ ଓ ସ୍ପିଡ୍‌ପୋଷ୍ଟରେ ଲୋକସଭା ସେକ୍ରେଟାରି ଜେନେରାଲଙ୍କୁ ଦିଆଯାଇଥିଲା ବୋଲି ଉଲ୍ଲେଖ କରାଯାଇଛି।

ଏହି ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ, ୨୦୧୮ ମସିହାରେ ଯେଉଁ ଚିଠି ଦିଆଯାଇଥିଲା ତାହା କେନ୍ଦ୍ର ପାଖରେ ନାହିଁ। ତା’ହେଲେ ବିଧାନସଭାରେ ପାସ୍‌ ହୋଇଥିବା ପ୍ରସ୍ତାବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଚିଠି କ’ଣ ହଜି ଯାଇଛି? ବିଧାନସଭାର ଦୁଇତୃତୀୟାଂଶରୁ ଅଧିକ ସଭ୍ୟଙ୍କ ମତକୁ ନେଇ କ’ଣ ଦାୟିତ୍ୱହୀନତାର ସହ କାର୍ଯ୍ୟ କରାଯାଇଛି? ଶ୍ରୀ ପଣ୍ଡା ଏହିଭଳି ପ୍ରଶ୍ନ ପଚାରିବା ସହିତ ବିଧାନ ପରିଷଦ ଗଠନ ପ୍ରସଙ୍ଗରେ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ଉଚିତ ବୋଲି କହିଛନ୍ତି। ରାଜ୍ୟସଭାରେ ସାଂସଦ ଶ୍ରୀ ଆଚାର୍ଯ୍ୟ ପ୍ରଶ୍ନ କରିନଥିଲେ, ବିଧାନସଭା ଓ  ଲୋକସଭା ସଚିବାଳୟ ମଧ୍ୟରେ ଆଦାନପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦିଷ୍ଟ ଚିଠି ବିଷୟରେ ଜଣାପଡ଼ିନଥାନ୍ତା ବୋଲି ଶ୍ରୀ ପଣ୍ଡା ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର