ଯୋଡ଼ା/ବଡ଼ବିଲ: କେନ୍ଦୁଝର ଜିଲ୍ଲା ଯୋଡ଼ା ଏବଂ ବଡ଼ବିଲ ଖଣି ଅଞ୍ଚଳ ପରିଦେର୍ଶନ କରିଛି ବିଧାନସଭା ଗୃହ କମିଟି। ଖଣି ଅଞ୍ଚଳରେ ବୃଦ୍ଧି ପାଉଥିବା ଜଳ ପ୍ରଦୂଷଣକୁ ନେଇ କମିଟିର ସଦସ୍ୟମାନେ ତୀବ୍ର ଉଦ୍ବେଗ ପ୍ରକାଶ କରିଛନ୍ତି।
ପୂର୍ବାହ୍ନ ୧୦ଟା ବେଳେ କମିଟିର ଅଧ୍ୟକ୍ଷ ତଥା କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ସମେତ ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ରାଜଗାଙ୍ଗପୁର ବିଧାୟକ ସିଏସ୍ ରାଜନ ଏକ୍କା ଯୋଡ଼ା, ବଡ଼ବିଲ ଖଣି ଅଞ୍ଚଳରେ ଥିବା ଆର୍ୟା ଷ୍ଟିଲ୍, ଶ୍ରୀମେଟାଲିକ୍ସ ଏବଂ ଜେଏସ୍ପିଏଲ୍ କାରଖାନା ପରିଦର୍ଶନ କରିଛନ୍ତି। ଗୃହ କମିଟି ସଦସ୍ୟଙ୍କ ସହ ରାଜ୍ୟସ୍ତରରୁ ଆସିଥିବା ରାଜେନ୍ଦ୍ର ପିଟର ବାର୍ଲା, ଭବାନୀ ଶଙ୍କର ନାୟକ, ଚମ୍ପୁଆ ଉପଜିଲ୍ଲାପାଳ ସୁକାନ୍ତ ମାଝୀ, କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ବୋର୍ଡର ପ୍ରଶାନ୍ତ କର, ଯନ୍ତ୍ରୀ ନିବେଦିତା ଦାସ ବେବର୍ତ୍ତା, ଦେବବ୍ରତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଖଣି ଅଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ଗୃହ କମିଟି ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ବୋର୍ଡ ସଠିକ୍ ଭାବେ ଯାଞ୍ଚ କରୁନଥିବାରୁ ଏଭଳି ସ୍ଥିତି ଉପୁଜୁଛି। ଏହା ପ୍ରଦୂଷଣ ବୋର୍ଡର ଦାୟିତ୍ବହୀନତା ବୋଲି ବିଧାୟକ ସିଏସ୍ ରାଜନ ଏକ୍କା କହିଥିଲେ। ସେହିପରି ବହୁ କାରଖାନାରେ ଏସ୍ଆର୍ଟିପି (ସର୍ଫେସ ରନ୍ଅପ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ) ଥାଇ ମଧ୍ୟ ଏହା କାର୍ଯ୍ୟକାରୀ ହେଉନଥିବାରୁ ବର୍ଷାଜଳ ତଥା ଶିଳ୍ପାନୁଷ୍ଠାନର ବର୍ଜ୍ୟବସ୍ତୁ ସିଧାସଳଖ ନଦୀନାଳରେ ମିଶୁଛି। ପ୍ରଦୂଷଣ ବୋର୍ଡ ଆଦୌ ଏହାର ଯାଞ୍ଚ କରୁନାହିଁ। ଯାହା ଅତ୍ୟନ୍ତ ଉଦ୍ବେଗଜନକ ବୋଲି କମିଟିର ଅଧ୍ୟକ୍ଷ ମୋହନ ଚରଣ ମାଝୀ କହିଥିଲେ। ଏନେଇ ସେ ବାଚସ୍ପତିଙ୍କୁ ରିପୋର୍ଟ ଦେବେ ବୋଲି କହିଛନ୍ତି। ବଡ଼ବିଲ ତହସିଲ ଅନ୍ତର୍ଗତ ଆର୍ୟା ଆଇରନ୍ ଆଣ୍ଡ ଷ୍ଟିଲ୍ କାରଖାନା ପରିଦର୍ଶନ ବେଳେ ବଡ଼ବିଲ ତହସିଲଦାର ଆଲୋକ କୁମାର ପଟେଲ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ପୂର୍ବତନ ପୌରାଧ୍ୟକ୍ଷ ଦିଲୀପ ମିଶ୍ର, ବରିଷ୍ଠ ବିଜେପି ନେତା ଚନ୍ଦ୍ରଗୁପ୍ତ ପ୍ରସାଦ, ରାଜୁ ମହାନ୍ତ, ଦିଲୁ ସ୍ବାମୀ ପ୍ରମୁଖ ଉପସ୍ଥିତ ଥିଲେ।