ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନ ପାଇଁ କଂଗ୍ରେସ ଆଜି ରଣନୀତି ପ୍ରସ୍ତୁତ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ତାଙ୍କ ବିଧାନସଭା ପ୍ରକୋଷ୍ଠରେ ବସିଥିବା ଏହି ବୈଠକରେ ସବୁ ବିଧାୟକ ଉପସ୍ଥିତ ଥିଲେ। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବୈଠକରେ ସାମିଲ ହୋଇଥିଲେ। ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ମିଶ୍ର କହିଛନ୍ତି, ରାଜ୍ୟର ଅନେକ ପ୍ରସଙ୍ଗ ରହିଛି। ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ଗୁରୁତର। ଆଗକୁ ଅଭାବୀ ଧାନ ବିକ୍ରି ଏକ ବଡ଼ ସମସ୍ୟା ହେବ। ଆଞ୍ଚଳିକ ବୈଷମ୍ୟ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ପୁରୀ ମନ୍ଦିରରେ ଚାରି ଦ୍ୱାର ଖୋଲା ଯାଉନି। ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଲାଣି, କିନ୍ତୁ ସରକାର ନିଦା ବିଷ୍ଣୁ ପାଲଟିଛନ୍ତି। ଓବିସି ଜାତି ଭିତ୍ତିକ ଜନଗଣନା ନ ହେବାରୁ ସେମାନେ ଅଧିକାରରୁ ବଞ୍ଚିତ ହେଉଛନ୍ତି। ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟା ଲାଘବ ନେଇ କ୍ୟାବିନେଟ୍ ନିଷ୍ପତ୍ତି ଆଦିବାସୀଙ୍କ ବିରୋଧରେ ଯିବ। ଏଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଜବାବ ମାଗିବ କଂଗ୍ରେସ। ସରକାର ପଳାୟନପନ୍ଥୀ ନ ହୋଇ ଆଲୋଚନା କରିବାକୁ ଶ୍ରୀ ମିଶ୍ର ଆହ୍ବାନ ଦେଇଛନ୍ତି।

Advertisment

publive-image

ଭୁବନେଶ୍ବର: ବିଧାନସଭା ଗୃହରେ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବି ରଣନୀତି ପ୍ରସ୍ତୁତ କରିଛି। ଆଜି ପୂର୍ବାହ୍ନରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ପୂର୍ଣ୍ଣାଙ୍ଗ ଅଧିବେଶନ ହୋଇଥିବାରୁ ବିଧାୟକମାନେ ଉପସ୍ଥିତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହା ସହିତ ଲକ୍ଷ୍ମୀ ଯୋଜନାରେ କିପରି ଗାଁ ଲୋକେ ଉପକୃତ ହେବେ, ସେଥି ପାଇଁ ନଜର ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ପଞ୍ଚାୟତକୁ କୋଟି କୋଟି ଟଙ୍କା ଦିଆଯାଇଥିବାରୁ ତାହା କିପରି ଠିକ ଢଙ୍ଗରେ ବିନିଯୋଗ ହୋଇପାରିବ ସେଥି ପ୍ରତି ଧ୍ୟାନ ଦେବାକୁ ଶ୍ରୀ ପଟ୍ଟନାୟକ କହିଥିଲେ। ଗୃହରେ ବିରୋଧୀ ଦଳ ଯାହା ପ୍ରସଙ୍ଗ ଉଠାଇବେ, ସେ ସମ୍ପର୍କରେ ଆଲୋଚନା ପାଇଁ ବିଜେଡି ପ୍ରସ୍ତୁତ ଅଛି ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଗଣମାଧ୍ୟମକୁ କହିଛନ୍ତି।