ଖଣ୍ଡପଡ଼ା : ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଶୁକ୍ରବାର ଦିନ ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଦସା ଗ୍ରାମର ମୃତ ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି। ଗତ ୨୩ ତାରିଖ ରାତିରେ ବୋମାମାଡ଼ ଯୋଗୁ ପ୍ରଶାନ୍ତ ପ୍ରାଣ ହରାଇଥିଲେ।
ବିଧାୟକ ଶ୍ରୀ ପଟ୍ଟନାୟକ ସେଦିନ ଘଟିଥିବା ଘଟଣା ବାବଦରେ ସ୍ବର୍ଗତ ପ୍ରଶାନ୍ତଙ୍କ ଭାଇ ବସନ୍ତଙ୍କଠାରୁ ପଚାରି ବୁଝିବା ସହ ତାଙ୍କର ଦୁଇ ଶିଶୁଙ୍କ ବାବଦରେ ମଧ୍ୟ ସୂଚନା ନେଇଥିଲେ। ଏଥିସହିତ ପରିବାରକୁ ସରକାରୀ ସ୍ତରରେ କିଭଳି ସହଯୋଗ ମିଳିପାରିବ, ସେ ନେଇ ଉଦ୍ୟମ କରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ମହମ୍ମଦ ସକିଲ୍, ବ୍ଲକ୍ ବିଜେଡି ସଭାପତି ସୁଶାନ୍ତ କୁମାର ମିଶ୍ର, ଯୁବ ସଂଗଠକ ମାଧବ ଚନ୍ଦ୍ର ସାହୁ, ପଞ୍ଚାୟତ ବିଜେଡି ସଭାପତି ହୃଷୀକେଶ ରାଉତଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ମୁଖ୍ୟ ଅଭିଯୁକ୍ତ ସମେତ ଏତଲା ଆଧାରରେ ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରାଯିବା ସହିତ ପ୍ରଶାନ୍ତଙ୍କ ପରିବାରକୁ ନ୍ୟାୟ ନେଇ ଗ୍ରାମବାସୀ ଶ୍ରୀପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ୨୩ ତାରିଖ ରାତିରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର କିଛିଘଣ୍ଟା ପୂର୍ବରୁ ରାଜନୈତିକ ଶତ୍ରୁତା କାରଣରୁ ବୋମାମାଡ଼ ଘଟଣା ଘଟିଥିଲା। ଏଥିରେ ବିଜେଡି କର୍ମୀ ପ୍ରଶାନ୍ତ ତାରେଣିଆ (୩୫)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ଖଣ୍ଡପଡ଼ା ପୁଲିସ ୨୫/୨୦ ଅନୁଯାୟୀ ମାମଲା ରୁଜୁ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷରେ ଘଟଣାର ଦୁଇଦିନ ବିତିଥିବାବେଳେ ମୁଖ୍ୟ ଅଭିଯୁକ୍ତ ନରେଶ ମାଝି ଏବଂ ମାଷ୍ଟର୍ମାଇଣ୍ଡ କୁହାଯାଉଥିବା ପ୍ରତାପ ସାମନ୍ତରାୟ ଏବେବି ଫେରାର୍ ଅଛନ୍ତି। ସେହିପରି ଗ୍ରାମବାସୀ ଏବେବି ସେଦିନର ଘଟଣା ଭୁଲିନଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ୬ ଜଣ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଥିବା ଥାନାଧିକାରୀ ବିଶ୍ବଜିତ ରାଉତରାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/khandaada-mla.jpg)