ଗୋଷ୍ଠୀ କନ୍ଦଳ ନା ଉପରୁ ନିର୍ଦ୍ଦେଶ! ବିଧାୟକଙ୍କ ବ୍ୟାନର‌୍‌, ତୋରଣରେ ଅନୁଭବ ନାହାନ୍ତି

କେନ୍ଦ୍ରାପଡ଼ା : ଶନିବାର ଥିଲା ବିଜେଡି ପ୍ରତିଷ୍ଠା ଦିବସ। ଜିଲ୍ଲାର ପାଞ୍ଚ ବିଧାନସଭା ନିର୍ବାଚନମଣ୍ତଳୀରେ ବିଧାୟକଙ୍କ ନେତୃତ୍ବରେ ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହେଲା। ସବୁ ନିର୍ବାଚନମଣ୍ତଳୀରେ ପୋଷ୍ଟର‌୍‌, ବ୍ୟାନର‌୍‌, ତୋରଣ ଛାଇ ଦିଆଗଲା। କିନ୍ତୁ ସେଥିରେ ସା˚ସଦ ଅନୁଭବ ମହାନ୍ତିଙ୍କ ଫଟୋ ଦେଖିବାକୁ ମିଳିଲା ନାହିଁ। ରାଜନଗର, ଆଳିଠୁ ନେଇ ମହାକାଳପଡ଼ା, ପାଟକୁରା ନିର୍ବାଚନମଣ୍ତଳୀ ଯାଏ, ସବୁଠି ସ୍ଥାନୀୟ ବିଧାୟକଙ୍କ ସହିତ ବିଜୁ ବାବୁ ଏବ˚ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ବ୍ୟାନର‌୍‌ରେ ଦେଖିବାକୁ ମିଳିଥିବାବେଳେ ସା˚ସଦଙ୍କ ଫଟୋ ଗାଏବ୍‌। କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀରେ ଯଦିଓ କେତୋଟି ହାତଗଣତି ବ୍ୟାନରରେ ସା˚ସଦଙ୍କ ଫଟୋ ରହିଛି; କିନ୍ତୁ ବିଧାୟକ ଶଶୀଭୂଷଣ ବେହେରାଙ୍କ ଲାଗିଥିବା ତୋରଣରେ ଜାଗା ପାଇନାହାନ୍ତି ଅନୁଭବ। ସହରର ଯେଉଁ ସବୁ ପ୍ରମୁଖ ଛକ ମାନଙ୍କରେ ତୋରଣ ହୋଇଛି, ସେଥିରେ କେବଳ ବିଧାୟକ ଶ୍ରୀ ବେହେରା ଓ ସଭାପତି ନବୀନ ପଟ୍ଟନାୟକଙ୍କ ଫଟୋ ରହିଛି। ମୋଟ ଉପରେ ଜିଲ୍ଲାର ପାଞ୍ଚଟି ଯାକ ନିର୍ବାଚନମଣ୍ତଳୀରେ ପାଳନ ହୋଇଥିବା ବିଜେଡି ପ୍ରତିଷ୍ଠା ଦିବସ ବ୍ୟାନର‌୍‌, ତୋରଣରେ ଅନୁଭବଙ୍କ ଫଟୋ ଗାଏବ ଘଟଣା କେନ୍ଦ୍ରାପଡ଼ା ରାଜନୀତିରେ ସା˚ସଦଙ୍କ ସ୍ଥିତି ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସା˚ସଦଙ୍କୁ ଜାଣିଶୁଣି ସ୍ଥାନୀୟ ନେତୃମଣ୍ତଳୀ ଉପେକ୍ଷା କରିଛନ୍ତି ନା ଉପରୁ ଦଳୀୟ ହାଇକମାଣ୍ତଙ୍କ ଏଥିସକାଶେ ନିର୍ଦେଶ ଥିଲା, ତାକୁ ନେଇ ସାରାଜିଲ୍ଲାରେ ଚର୍ଚ୍ଚା ଜୋର‌୍‌ ଧରିଛି।

ଗତ ୨୦ତାରିଖରେ ମହାକାଳପଡ଼ା ଆଖଡ଼ାଶାଳିରେ ବନ୍ଦର ପ୍ରକଳ୍ପ ଅନୁଧ୍ୟାନ କାର୍ଯ୍ୟକ୍ରମରେ ବି ସା˚ସଦଙ୍କ ଦେଖାଦର୍ଶନ ମିଳି ନ ଥିଲା। ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫-ଟି ସଚିବ ଭି.କେ ପାଣ୍ତିଆନ୍‌, ପରିବହନ ସ୍ବତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରକଳ୍ପର ସରଜମିନ୍‌ ଅନୁଧ୍ୟାନ କରି ଫେରିଥିଲେ।

କିନ୍ତୁ ଏତେ ବଡ଼ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟରେ ସା˚ସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଏବେ ବିଜେଡି ପ୍ରତିଷ୍ଠା ଦିବସ ବ୍ୟାନର‌୍‌, ତୋରଣରୁ ଅନୁଭବଙ୍କ ଫଟୋ ଗାଏବ୍‌ ଘଟଣା ଜିଲ୍ଲା ରାଜନୀତିରେ ହଟଚମଟ ସୃଷ୍ଟି କରିଛି। କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରାଙ୍କଠୁ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, ଆଳି ବିଧାୟକ ପ୍ରତାପ କେଶରୀ ଦେବ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଏବ˚ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରଵାଲ୍‌ଙ୍କ ଯାଏ ସମସ୍ତେ ନିଜ ନିର୍ବାଚନମଣ୍ତଳୀରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିଛନ୍ତି। ହେଲେ କେନ୍ଦ୍ରାପଡ଼ାକୁ ଛାଡ଼ିଦେଲେ ଅନ୍ୟ ଚାରିଟି ନିର୍ବାଚନମଣ୍ତଳୀର ସଭାସ୍ଥଳ ତ ଦୂରର କଥା; ଛକ ଛକରେ ମରାଯାଇଥିବା ବ୍ୟାନର‌୍‌, ପୋଷ୍ଟର‌୍‌, ତୋରଣରେ ସା˚ସଦଙ୍କ ମୁହଁ ଦେଖିବାକୁ ମିଳିନାହିଁ। ସବୁଠି ସ୍ଥାନୀୟ ବିଧାୟକଙ୍କ ସହିତ ଦଳର ସଭାପତିଙ୍କ ଫଟୋ ଦୃଶ୍ୟମାନ ହୋଇଛି। ଏପଟେ ଯଦିଓ କେନ୍ଦ୍ରାପଡ଼ା ନିର୍ବାଚନମଣ୍ତଳୀ ପକ୍ଷରୁ ଉଦୟନଗର କଲ୍ୟାଣ ମଣ୍ତପ ପଡ଼ିଆରେ ଆୟୋଜିତ ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସା˚ସଦଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା, କିନ୍ତୁ ତୋରଣ ଏବ˚ ସହରରେ ମରାଯାଇଥିବା ଅଧିକା˚ଶ ବ୍ୟାନର‌୍‌ରେ ତାଙ୍କ ଫଟୋ ନାହିଁ। ଏମିତିକି ଦଳୀୟ ସା˚ଗଠନିକ ଦାୟିତ୍ବରେ ଥିବା ନେତାଙ୍କ ନବବର୍ଷ ଶୁଭେଚ୍ଛା ବ୍ୟାନର‌୍‌ରେ ବି ଅନୁଭବ ଗାଏବ୍‌ ହୋଇଯାଇଛନ୍ତି। ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସ˚ପାଦକ କିଶୋର ତରାଇ ହୁଅନ୍ତୁ ବା ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସଙ୍କ ଶୁଭେଚ୍ଛା ବ୍ୟାନର‌୍‌ରେ ସା˚ସଦଙ୍କ ଫଟୋ ଦେଖିବାକୁ ମିଳିନାହିଁ।

ଏକଦା ଦଳର ଷ୍ଟାର‌୍‌ ପ୍ରଚାରକ ଥିବା ସା˚ସଦ ବିଜେଡି ପ୍ରତିଷ୍ଠା ଦିବସ ଭଳି ଦଳର ବଡ଼ କାର୍ଯ୍ୟକ୍ରମରେ ଏପ୍ରକାର ହତାଦାର‌୍‌ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦରେ ଫସିବା ପରଠୁ ଅନୁଭବ ଏଭଳି ସ୍ଥିତିର ସାମନା କରୁଛନ୍ତି କି ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର