ଭୁବନେଶ୍ବର: ବିଭିନ୍ନ ସମୟରେ ରାଜ୍ୟ ସରକାର ରାତାରାତି ନୂଆ ବିଲ୍ ଆଣୁଥିଲେ ବି ସେନେଇ ମନ୍ତ୍ରୀ ଓ ବିଧାୟକମାନେ କିଛି ଜାଣିପାରୁନାହାନ୍ତି। ଏପରିକି ବିଧାନସଭାରେ ବିଲ୍ ପାରିତ ହେବା ପୂର୍ବରୁ ସେଥିରେ କ’ଣ ଅଛି ତାହା ବିଧାୟକମାନେ ଜାଣିପାରୁନଥିବା ବାରମ୍ବାର ଅଭିଯୋଗ ହେଉଛି। ଆଜି ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଶୂନ୍ୟ କାଳରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ନରସିଂହ ପଚାରିଥିଲେ ଯେ କୌଣସି ବିଲ୍ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେଇ ବିଲ୍ ସଂକ୍ରାନ୍ତ କାଗଜପତ୍ର କାହିଁକି ଦିଆଯାଉନି? ଘରୋଇ ବିଶ୍ବବିଦ୍ୟାଳୟ ପାଇଁ କ’ଣ ଗାଇଡଲାଇନ୍ ରହିଛି? ସରକାର ଏତେ ତରବରିଆ ଭାବେ କାହିଁକି ବିଲ୍କୁ ପାରିତ କରାଇ ନେଲେ? ଏହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି? ଏହି ପ୍ରସଙ୍ଗରେ ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦେବା ଅନୁଚିତ ବୋଲି ଶ୍ରୀ ମିଶ୍ର କହିଛନ୍ତି। ସେହିପରି ବୁକ ସର୍କୁଲାର-୪୭ ବାରମ୍ବାର ଉଲ୍ଲଂଘନ ହେଉଛି। ମୁଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାକୁ ବି ଚିଠି ଲେଖିଲେ କେହି ଉତ୍ତର ଦେଉ ନାହାନ୍ତି। ଯେତେବେଳେ କି ନିୟମ ରହିଛି ଯେ ଚିଠି ପାଇବାର ୧୫ ଦିନ ଭିତରେ ଉତ୍ତର ଦିଆଯିବ। ଖାଲି ସେତିକି ନୁହେଁ, ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି। ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ନରସିଂହ ମିଶ୍ର।
ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ଗତକାଲି ଯେଉଁ ବିଲ୍ ପାରିତ ହୋଇଛି ତାହାର ଯେଉଁ ତଥ୍ୟ ବିଧାୟକମାନଙ୍କୁ ଦିଆଯାଇନି, ସେହି ବିଭାଗରୁ ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦିଆଯାଉ। ସେହିପରି ବୁକ୍ ସର୍କୁଲାର-୪୭ ଉଲ୍ଲଂଘନ ନେଇ ବାଚସ୍ପତି ରୁଲିଂ ଦେଇଥିଲେ। ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ସଚିବ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ୍ ସର୍କୁଲାର-୪୭ ଠିକ୍ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରିବାକୁ ଶ୍ରୀ ଆରୁଖ ନିର୍ଦେଶ ଦେଇଥିଲେ।