ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଏନ୍ଏସି ନିର୍ବାଚନ ପାଇଁ ଗୁରୁବାର ମତଦାନ ସମୟରେ ତୁମୁଳକାଣ୍ଡ ଘଟିଛି। ବିଜେଡି ପକ୍ଷରୁ ଟଙ୍କା ବଣ୍ଟନ କରାଯାଉଥିବା ଅଭିଯୋଗ କରି ବିରୋଧୀ ଗୋଷ୍ଠୀ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ସଂପର୍କୀୟ ଭାଇ ତଥା ଦଳର ମିଡିଆ ସେଲ୍ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଏହି ଘଟଣାରେ ୫ ଜଣଙ୍କୁ ପୁଲିସ ଅଟକ ରଖି ତନାଘନା କରୁଛି।
ପ୍ରକାଶ ଯେ, ଗୁରୁବାର ସକାଳ ୮ଟାରେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ସମୟରେ କେତେକ ବୁଥ୍ରେ ପାଟିତୁଣ୍ଡ ଓ ଟଣାଓଟରା ହୋଇଥିଲା। ସବୁଠୁ ଅଧିକ ଉତ୍ତେଜନା ଦେଖାଦେଇଥିଲା ୧ ଓ ୨ ନମ୍ବର ଓ୍ବାର୍ଡର ମତଦାନ କେନ୍ଦ୍ର ନିକଟରେ। ଉକ୍ତ ମତଦାନ କେନ୍ଦ୍ରରେ ୩ଟି ବୁଥ୍ କରାଯାଇଥିଲା। ୨ ନମ୍ବର ଓ୍ବାର୍ଡର ମତଦାନ କେନ୍ଦ୍ର ନିକଟରେ ବିଜେଡି ମିଡିଆ ସେଲ୍ ପ୍ରଭାରୀ ଶ୍ରୀ ମେହେର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ କହି ଟଙ୍କା ବାଣ୍ଟୁଥିବା କିଛିଲୋକ ଦେଖି ବାରଣ କରିଥିଲେ। ବିଜେପି କର୍ମୀ ଜାଣିବାପରେ ସେଠାରେ ପହଞ୍ଚିଥିଲେ। ଶ୍ରୀ ମେହେରଙ୍କ ସହିତ ସେମାନଙ୍କର ପ୍ରଥମେ ବଚସା ହୋଇଥିଲା। ପରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ଶ୍ରୀ ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ନିସ୍ତୁକ ମାଡ଼ ମାରିଥିଲେ। ଏହି ଘଟଣା ସମୟରେ ବିଧାୟକ ଶ୍ରୀ ମେହେର ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀ ପ୍ରଦୀପଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ। ସେଥିରେ ଉକ୍ତ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ଖବର ପାଇ ଥାନାଧିକାରୀ ପୁଲିସ ଫୋର୍ସ ନେଇ ସେଠାରୁ ପ୍ରଦୀପଙ୍କୁ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛନ୍ତି। ପରେ ୪ ନମ୍ବର ଓ୍ବାର୍ଡର ମତଦାନ କେନ୍ଦ୍ର, ୯ ନମ୍ବର ମତଦାନ କେନ୍ଦ୍ରରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଏହାକୁ ଦେଖି ସହରର ସମସ୍ତ ମତଦାନ କେନ୍ଦ୍ରରେ ପୁଲିସ ତୁହାକୁ ତୁହା ପାଟ୍ରୋଲିଂ କରୁଥିବା ଦେଖିବାକୁ ମିଳିଥିଲା।