ଭୁବନେଶ୍ବର/କେନ୍ଦୁଝର : ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ଥିବା କଟକଣାକୁ ରାଜ୍ୟ ସରକାର କୋହଳ କରିଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପ୍ରକ୍ରିୟାରେ ବିଧାୟକମାନଙ୍କୁ ସାମିଲ କରାଯାଇଛି। ଜଣେ ବିଧାୟକ ଚାହିଁଲେ ୧୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପା‌ରିସ କରିପାରିବେ। ତେବେ ଏଥିପାଇଁ କେତେକ ନିୟମ ପାଳନ କରିବାକୁ ପଡ଼ିବ। ପ୍ରଥମତଃ ବଦଳି କେବଳ ସମ୍ପୃକ୍ତ ଜିଲ୍ଲା ଭିତରେ ହୋଇପାରିବ। ଜଣେ ଶିକ୍ଷକ ଚାହିଁଲେ ବି ବାହାର ଜିଲ୍ଲା‌କୁ ବଦଳି ହୋଇ ଯାଇପାରିବେ ନାହିଁ। ଏମିତିକି ଗ୍ରାମାଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସହରାଞ୍ଚଳ ବିଦ୍ୟାଳୟକୁ ବଦଳି ପାଇଁ ଅନୁମତି ଦିଆଯିବ ନାହିଁ। ନାମ ସୁପାରିସ ସମୟରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ କୁହାଯାଇଛି।

Advertisment

ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷକଙ୍କ ବଦଳି ନେଇ ପୂର୍ବରୁ କଡ଼ା କଟାକଣା ଥିଲା। ତେବେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ଏହି ନିୟମରେ ପରିବର୍ତନ କରିଛନ୍ତି।

ସେପ୍ଟେମ୍ବର ୨୨ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପ ସଚିବ ଲକ୍ଷ୍ମୀକାନ୍ତ ଆଚାର୍ଯ୍ୟ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଚିଠି ଲେଖିଛନ୍ତି। ଯେଉଁଥିରେ କୁହାଯାଇଛି ଯେ ବିଧାୟକମାନେ ନିଜ ତରଫରୁ ୧୦ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଜିଲ୍ଲାପାଳଙ୍କୁ ସୁପାରିସ କରିପାରିବେ। ତେବେ ଏହି ସୁପାରିସ ବେଳେ କେତେକ ନିର୍ଦ୍ଦିଷ୍ଟ ନିୟମ ମାନିବାକୁ ପଡ଼ିବ। ଯୁକ୍ତିସଂଗତ ଅଦଳବଦଳ ବା ରେସନାଲାଇଜେସନ୍‌ ନିୟମକୁ ଏହି ସୁପାରିସ ଉଲ୍ଲଂଘନ କରୁ ନଥିବା ଆବଶ୍ୟକ। ସେହିପରି ଯେଉଁ ଶିକ୍ଷକଙ୍କ ବଦଳି ଅତ୍ୟନ୍ତ ଜରୁରି ଥିବ ସେମାନଙ୍କ ପାଇଁ ବିଧାୟକମାନେ ସୁପାରିସ କରିବା ଆବଶ୍ୟକ। ଏହି ନିୟମ କେବଳ ଚଳିତ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ବୋଲି ଚିଠିରେ ଦର୍ଶାଯାଇଛି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ କରୋନା ଭଳି ମହାମାରୀ ସମୟରେ ଆବଶ୍ୟକତା ଦୃଷ୍ଟିରୁ ଚଳିତବର୍ଷ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି କେବଳ ଜିଲ୍ଲା ଭିତରେ ହିଁ ହୋଇପାରିବ। ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ‌ସହରାଞ୍ଚଳକୁ ଆସିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତାହାକୁ ନଜରରେ ରଖି କଟକଣା ମଧ୍ୟ ଲଗାଯାଇଛି।