ବିଧାୟକଙ୍କ ଲେଟର୍ ପ୍ୟାଡ୍ ଜାଲିଆତି, ସାଂସ୍କୃତିକ ଦଳ ପଠାଇବାକୁ ହୋଇଥିଲା ସୁପାରିସ୍

ଭୁବନେଶ୍ବର : ସାଂସ୍କୃତିକ ଦଳ ପଠାଇବା ପାଇଁ ଜଣେ ବିଧାୟକଙ୍କ ଲେଟର୍ ପ୍ୟାଡ୍‌କୁ ଜାଲିଆତି କରିଛନ୍ତି କିଛି ଅନୁଷ୍ଠାନ। ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ଖୋଳତାଡ଼ ହେବା ପରେ ଏହି ଜାଲିଆତି ଧରାପଡ଼ିଛି। ଏବେ ଏହା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ ଦଳ ପଠାଯାଏ। ଏଥି ପାଇଁ କାର୍ଯ୍ୟକ୍ରମର ଆୟୋଜକ ଆବେଦନ କରନ୍ତି। ଏହି ଆବେଦନକୁ ବିଚାରକୁ ନେଇ ବିଭାଗ ସାଂସ୍କୃତିକ ଦଳ ପ୍ରେରଣ କରିଥାଏ। ସାଧାରଣତଃ ବିଧାୟକମାନେ ନିଜ ନିଜ ଅଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଦଳ ପଠାଇବାକୁ ସୁପାରିସ୍ କରିଥା’ନ୍ତି। ବିଧାୟକଙ୍କ ସୁପାରିସ୍‌କୁ ବିଭାଗ ସ୍ତରରେ ଅଗ୍ରାଧିକାର ଦିଆଯାଏ। ଏହି ସୁପାରିସ୍‌ରେ ଏବେ ଏକ ଜାଲିଆତି ଧରାପଡ଼ିଛି। କିଛି ଦିନ ତଳେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ଲେଟର୍ ପ୍ୟାଡ୍‌ରେ ୩/୪ଟି ଜାଗାକୁ ସାଂସ୍କୃତିକ ଦଳ ପଠାଇବା ପାଇଁ ସୁପାରିସ୍ ପତ୍ର ବିଭାଗରେ ପହଞ୍ଚିଲା। ସେଥିରେ ବିଧାୟକଙ୍କ ଦସ୍ତଖତ ଥିଲା। କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କର ସନ୍ଦେହ ହେବାରୁ ସେମାନେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ଯୋଗାଯୋଗ କରିଥିଲେ। ସେ ଏପରି କୌଣସି ସୁପାରିସ୍ କରି ନ ଥିବା କହିଥିଲେ। ସତ୍ୟତା ଯାଞ୍ଚ୍‌ ପାଇଁ ବିଧାୟକଙ୍କ ପାଖକୁ ଚିଠି ପଠାଯାଇଥିଲା। ସେଥିରେ ତାଙ୍କ ଲେଟର୍ ପ୍ୟାଡ୍ ଓ ଦସ୍ତଖତ ଜାଲ୍ ଥିବା ଜଣାପଡ଼ିଥିଲା। ସେ ବିଭାଗକୁ ଏ ସମ୍ପର୍କରେ ସ୍ପଷ୍ଟ କଲା ପରେ ସାଂସ୍କୃତିକ ଦଳକୁ ବାତିଲ୍ କରାଯାଇଥିଲା। ଏହି ଘଟଣା ପରେ ବିଭାଗ ପକ୍ଷରୁ ଖୋଳତାଡ଼ ଜାରି ରହିଛି। ଆହୁରି ୨/୩ ଜଣ ବିଧାୟକଙ୍କ ଲେଟର୍ ପ୍ୟାଡ୍ ଜାଲିଆତି ହୋଇଥିବା ସନ୍ଦେହ ପ୍ରକାଶ କରାଯାଇଛି। ତେବେ ଏ ସମ୍ପର୍କରେ ଯାଞ୍ଚ୍ ଜାରି ରହିଛି।

ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ରୋଜଗାର ଯୋଗାଇବା ତଥା ରାଜ୍ୟର ନୃତ୍ୟ, ସଙ୍ଗୀତର ଅଧିକ ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ସାଂସ୍କୃତିକ ଦଳ ପ୍ରେରଣ କରାଯାଇଥାଏ। କାର୍ଯ୍ୟକ୍ରମ ପରିବେଷଣ ପରେ ବିଭାଗ ପକ୍ଷରୁ ଆୟୋଜକଙ୍କ ଅର୍ଥ ଦିଆ ନ ଯାଇ ସିଧାସଳଖ କଳାକାରଙ୍କୁ ଦିଆଯାଏ। ଯଦିଓ ଏହି ଅର୍ଥ ବଜାର ଦର ତୁଳନାରେ କମ୍ ରହିଛି, କିନ୍ତୁ ବହୁ କଳାକାର ଏହା ଦ୍ବାରା ଉପକୃତ ହୁଅନ୍ତି। ମାତ୍ର କିଛି ସାଂସ୍କୃତିକ ଦଳ ଅସାଧୁ ଉପାୟ ଅବଲମ୍ବନ କରି ଅଧିକ କାମ ଆଶାରେ ଏପରି ଜାଲିଆତି କରିବା ଦ୍ବାରା ପୂରା ପ୍ରକ୍ରିୟାର ସ୍ବଚ୍ଛତା ସନ୍ଦେହ ଘେରକୁ ଚାଲିଆସିଛି। ପ୍ରକୃତ ଦୋଷୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସବୁ କଳାକାର ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଜାଲିଆତି କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର