ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ବଢ଼ାଅ

ବିଧାନସଭାରେ ସବୁ ଦଳର ବିଧାୟକ ଦାବି କଲେ, ଏବେ ପ୍ରସ୍ତାବ ନାହିଁ: ମନ୍ତ୍ରୀ

ଭୁବନେଶ୍ବର : ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି(ଏମ୍‌ଏଲ୍‌ଏ ଲାଡ୍‌) ଏବେ ବର୍ଷକୁ ୩ କୋଟି ଟଙ୍କା ଅଛି। ଏହା ମଧ୍ୟରୁ ଉଚ୍ଚଶିକ୍ଷା ପାଇଁ ୫୦ ଲକ୍ଷ ଓ ରାସ୍ତା ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ନିର୍ଦ୍ଦିଷ୍ଟ ଭାବେ ରହିଛି। ଲୋକସଂଖ୍ୟା ବଢ଼ୁଥିବାରୁ ଓ ସେମାନଙ୍କ ଆବଶ୍ୟକତା ଅଧିକ ରହୁଥିବାରୁ ଏହି ପାଣ୍ଠିକୁ ବଢ଼ାଯାଉ। ପୁଣି ବର୍ତ୍ତମାନ ନିର୍ମାଣ ଖର୍ଚ୍ଚ ବଢ଼ିଥିବାରୁ ଏତିକି ଟଙ୍କା ଯଥେଷ୍ଟ ହେଉ ନାହିଁ। ଆଜି ସବୁ ଦଳର ବିଧାୟକ ଏମିତି ଯୁକ୍ତି ଦର୍ଶାଇ ଏମ୍‌ଏଲ୍‌ଏ ଲାଡ୍ ବଢ଼ାଇବା ପାଇଁ ବିଧାନସଭାରେ ଦାବି କରିଥିଲେ। ଅନ୍ୟ ରାଜ୍ୟର ଉଦାହରଣ ଦେଇ କିଏ ୫ କୋଟି ଦାବି କରିଥିଲେ ତ କିଏ ୧୦ କୋଟି ପାଇଁ ବି କହିଥିଲେ। କିନ୍ତୁ ଯୋଜନା ଓ ସଂଯୋଜନ ମନ୍ତ୍ରୀ ଏ ସମ୍ପର୍କରେ କୌଣସି ପ୍ରସ୍ତାବ ଏବେ ସରକାରଙ୍କର ନ ଥିବା ରୋକ୍‌ଠୋକ୍ ଜଣାଇ ଦେଇଥିଲେ।

ବିଧାୟକ ସଞ୍ଜୀବ ମଲ୍ଲିକଙ୍କ ମୂଳ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ନିର୍ବାଚନମଣ୍ଡଳୀ ପିଛା ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୩ କୋଟି ଟଙ୍କା କରାଯାଇଛି। ଯୋଜନା ପ୍ରକ୍ରିୟାରେ ଜନସାଧାରଣ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଅଂଶଗ୍ରହଣକୁ ଅଧିକରୁ ଅଧିକ ବୃଦ୍ଧି କରିବା ନିମନ୍ତେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ପ୍ରଚଳନ କରାଯାଇଛି। ପଡ଼ୋଶୀ ରାଜ୍ୟରେ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ପରିମାଣ ସମ୍ପର୍କରେ ତଥ୍ୟ ଦେଇ ମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ରପ୍ରଦେଶରେ ୨ କୋଟି, ତେଲେଙ୍ଗାନାରେ ୫ କୋଟି, ଛତିଶଗଡ଼‌ରେ ୪ କୋଟି, ପଶ୍ଚିମବଙ୍ଗରେ ୬୦ ଲକ୍ଷ, ଝାଡ଼ଖଣ୍ଡରେ ୪ କୋଟି ଟଙ୍କା ଅଛି।

ମୂଳ ପ୍ରଶ୍ନକର୍ତ୍ତା ଶ୍ରୀ ମଲ୍ଲିକ କହିଥିଲେ, ୨ କୋଟିରେ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସମ୍ଭବ ହେଉନି। ଏହାକୁ ଅତି କମ୍‌ରେ ୩ କୋଟି ଟଙ୍କା କରାଯାଉ। ବିରୋଧୀ ଦଳ ମୁଖ୍ୟ ସ‌ଚେତକ ମୋହନ ମାଝୀ କହିଲେ, ମନ୍ଦିର, ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବିଧାୟକ ପାଣ୍ଠି ଖର୍ଚ୍ଚ କରିବାର ସୁଯୋଗ ଦିଆଯାଉ। ଏହାକୁ ଅତି କମ୍‌ରେ ୧୦ କୋଟି ଟଙ୍କା କରାଯାଉ। ବିଜେପି ସଭ୍ୟ ଭାସ୍କର ମଢ଼େଇ ମଧ୍ୟ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିକୁ ୧୦ କୋଟି ଟଙ୍କା କରିବାକୁ ଦାବି କରିଥିଲେ। ଶାସକ ଦଳ ସଭ୍ୟ ଲତିକା ପ୍ରଧାନ କହିଲେ, କୋଭିଡ୍ ପରେ ଭିତ୍ତିଭୂମିର ନିର୍ମାଣ ଖର୍ଚ୍ଚ ବଢ଼ିଛି। ତେଣୁ ବିଧାୟକ ପାଣ୍ଠି ବଢ଼ିବାର ଆବଶ୍ୟକତା ରହିଛି। ଏହା ସହ ଉଚ୍ଚଶିକ୍ଷା ପାଇଁ ରହିଥିବା ୫୦ ଲକ୍ଷ ଟଙ୍କାକୁ କ୍ୟାମ୍ପସ୍‌ରେ ଅନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଉ। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଲେ, ନିର୍ମାଣ ପାଇଁ କଞ୍ଚାମାଲ୍ ଦର ଏବେ ଅହେତୁକ ଭାବେ ବଢ଼ିଛି। ‌ତେଣୁ ଏହି ପାଣ୍ଠିକୁ ଆଉ ୧ କୋଟି ଟଙ୍କା ବଢ଼ାଯାଉ। ଶାସକ ଦଳ ସଭ୍ୟ ପ୍ରମୋଦ ମଲ୍ଲିକ ବଳିପଡ଼ୁଥିବା ପାଣ୍ଠିର ସୁଧ ସମ୍ପର୍କରେ ପଚାରିଥିଲେ।
ମନ୍ତ୍ରୀ ଶ୍ରୀ ଢୋଲକିଆ କହିଲେ,୧୯୯୭-୯୮ ମସିହାରୁ ଆମ ରାଜ୍ୟରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିଲା। ଏହା ସମୟକ୍ରମେ ବୃଦ୍ଧି ପାଇଁ ୫୦ ଲକ୍ଷ, ୭୫ ଲକ୍ଷ, ୧ କୋଟି ଓ ୩ କୋଟିରେ ପହଞ୍ଚିଛି। ବର୍ତ୍ତମାନ ଏହି ପାଣ୍ଠିକୁ ବୃଦ୍ଧି ପାଇଁ ପ୍ରସ୍ତାବ ନାହିଁ। ପରବର୍ତ୍ତୀ ସମୟରେ ବିଚାର କରାଯିବ।

ସମ୍ବନ୍ଧିତ ଖବର