ପାରାଦୀପ ଆସିବେ ୧୪୫ ବିଧାୟକ, ଆଇଏନ୍‌ଏସ୍‌ ଜଳସ୍ବାରେ ବସି ସମୁଦ୍ର ବୁଲିବେ

ଜଗତସି˚ହପୁର: ଆସନ୍ତା ମଙ୍ଗଳବାର ଦିନ ପାରାଦୀପ ଆସିବେ ରାଜ୍ୟର ୧୪୫ ବିଧାୟକ। ଭାରତୀୟ ନୌସେନା ପକ୍ଷରୁ ଏହି ବିଧାୟକମାନଙ୍କୁ ଆଇଏନ୍‌ଏସ୍‌ ଜଳସ୍ବାରେ ସମୁଦ୍ର ଭିତରକୁ ନିଆଯାଇ ବୁଲାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ବର୍ଷ ନୌସେନା ପକ୍ଷରୁ ଏମିତି କାର୍ଯ୍ୟକ୍ରମ କରାଯାଇଥାଏ। ଚଳିତ ବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି।

ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ମଙ୍ଗଳବାର ୨୨ ତାରିଖରେ ବନ୍ଦର ଗେଟ୍‌-୫ରେ ବିଧାୟକମାନେ ଜାହାଜରେ ଚଢିବେ। ଏତେ ସ˚ଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା। ଏଣୁ ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ଏ ନେଇ ନୌସେନା ବିଭାଗ ଆଇଏନ୍‌ଏସ୍‌ ଚିଲିକା ପକ୍ଷରୁ ପ୍ରାଥମିକ ସ୍ତରରେ କେବଳ ସୂଚନା ଦିଆଯାଇଛି। ସୋମବାର ସବୁ ସ୍ପଷ୍ଟ କରାଯିବ ବୋଲି ଜଣାପଡ଼ିଛି।

ଆଇଏନ୍‌ଏସ୍‌ ଜଳସ୍ବା ହେଉଛି ଦେଶର ଦ୍ବିତୀୟ ବୃହତ୍ତମ ଯୁଦ୍ଧ ଜାହାଜ। ପୂର୍ବରୁ ଏହାର ନାଁ ୟୁଏସ୍‌ଏସ୍‌ ଟ୍ରେ˚ଟନ ଥିଲା। ଏହାକୁ ଭାରତ କିଣିବା ପରେ ୨୦୦୭ ଜୁନ୍‌ ୨୨ରେ ଏହାର ନାଁକୁ ବଦଳାଯାଇ ଆଇଏନ୍‌ଏସ୍‌ ଜଳସ୍ବା କରାଯାଇଛି। ଏହାର ବିଶେଷତ୍ବ ହେଲା ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ। ଏହାର ଦୈର୍ଘ୍ୟ ୫୭୦ ଫୁଟ୍‌ ହୋଇଥିବା ବେଳେ ଚଉଡ଼ା ୧୦୦ ଫୁଟ୍‌ ରହିଛି। ଏହା ଘଣ୍ଟା ପ୍ରତି ୪୦ କିମି ବେଗରେ ଗତି କରିପାରେ। ଏହି ଜାହାଜ ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କୁ ମିଶାଇ ମୋଟ୍‌ ହଜାରେ ଜଣଙ୍କୁ ନେଇପାରିବା ସହ ୧୬ ହଜାର ୬୦୦ ଟନ୍‌ ପର୍ଯ୍ୟନ୍ତ ଜିନିଷ ପରିବହନ କରିପାରିବା ଭଳି କ୍ଷମତା ରଖିଛି।

ସମ୍ବନ୍ଧିତ ଖବର