ବ୍ରହ୍ମପୁର/ଗୋଳନ୍ଥରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲ୍ଲାରେ ଆଜି ସମ୍ବିଧାନର ଦୁଇ ଅଙ୍ଗ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଭିତରେ ଲଢ଼େଇ ହୋଇଛି। ୫-ଟି ସଚିବଙ୍କ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ନାଁ ନ ନେଇ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କାର୍ଯ୍ୟ ଉପରେ ମଞ୍ଚ ଉପରୁ ପ୍ରଶ୍ନ ଉଠାଇଛନ୍ତି। କୋଭିଡ୍ ସମୟର ଉଦାହରଣ ଦେଇ ସ୍ଥାନୀୟ ଲୋକଙ୍କ ସ୍ବାସ୍ଥ୍ୟ ପରିପନ୍ଥୀ କାର୍ଯ୍ୟରେ କିଭଳି ଜନପ୍ରତିନିଧି ଲାଗନ୍ତି, ତାହା ବର୍ଣ୍ଣନା କରି ଏହାକୁ ମହାପାପ ବୋଲି କହିଛନ୍ତି। ସେପଟେ ସବୁବେଳେ ଆଇନର ଦ୍ବାହି ଦେଇ କାର୍ଯ୍ୟ କରି ଆସୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟରେ ଯେପରି ବେନିୟମ କାର୍ଯ୍ୟ ଚାଲିଛି, ସେଥିପ୍ରତି କାହିଁକି ଗୁରୁତ୍ବ ଦେଉନାହାନ୍ତି ବୋଲି ପ୍ରଶ୍ନ କରି ଶ୍ରୀ ପାଣ୍ଡିଆନଙ୍କ ଆଡ଼କୁ ଆଙ୍ଗୁଠି ଉଠାଇଛନ୍ତି ଶ୍ରୀ ପାଣିଗ୍ରାହୀ।

Advertisment

ଏପରିକି ମୁଖ୍ୟମନ୍ତ୍ରୀ ବଦଳିଲେ, ଜେଲ୍ ବେଶି ଦୂର ନୁହେଁ ବୋଲି ମଧ୍ୟ କହିଛନ୍ତି। ଏସବୁ ଭିତରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କ ସଭାକୁ ଯିବା ଲାଗି ବିଧାୟକ ଭୁବନେଶ୍ବରରୁ ବ୍ରହ୍ମପୁର ଯିବା ବେଳେ ଅଭାବନୀୟ ଘଟଣା ଘଟିଛି। ବିଜେଡି କର୍ମୀ ଲାଞ୍ଜିପଲ୍ଲୀ ବାଇପାସ୍ ଜାତୀୟ ରାଜପଥରେ ବିଧାୟକଙ୍କୁ ବିରୋଧ କରିଛନ୍ତି। ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ, ଅଣ୍ଡା, ଢେଲା ଓ କାଳିମାଡ଼ କରାଯାଇଛି। ଏସବୁକୁ ନେଇ ପ୍ରଦୀପ ସେନା-ବିଜେଡି କର୍ମୀଙ୍କ ମଧ୍ୟରେ ହାତାହାତି, ଧସ୍ତାଧସ୍ତି ବି ହୋଇଛି। କେବଳ ସେତିକି ନୁହେଁ, ବିଜେପି ତରଫରୁ ତୁଳୁ ରୋଡ୍‌ସ୍ଥିତ ଠାକୁରାଣୀ ମନ୍ଦିରରୁ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନାଙ୍କ ନେତୃତ୍ୱରେ ଶତାଧିକ କର୍ମୀ କଳାପତାକା ଧରି ପାଣ୍ଡିଆନ୍‌ ଗୋ-ବ୍ୟାକ୍‌ ନାରା ଦେଇ ସଭାସ୍ଥଳ ଆଡ଼କୁ ମାଡ଼ି ଯାଇଥିଲେ। ଏହି ସମୟରେ ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ। ହେଲେ ବିଜେପି କର୍ମୀ ସଭାକୁ ଯିବା ପାଇଁ ଜିଦ୍‌ ଧରିବାରୁ ପୁଲିସ ସେମାନଙ୍କୁ ଘେରିଥିଲା। ଫଳରେ କିଛି ସମୟ ଧରି ବିଜେପି କର୍ମୀ ଓ ପୁଲିସ ମଧ୍ୟରେ ଛକାପଞ୍ଝା ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ବିଜେପି କର୍ମୀ ଜାତୀୟ ରାଜପଥ ଅବରୋଧ କରି ନାରା ଦେଇଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ବିଜେପି କର୍ମୀମାନେ ସଭାସ୍ଥଳ ଆଡ଼କୁ ପୁଣି ଧସେଇ ଯିବା ବେଳେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ କିଛି ବିଜେପି କର୍ମୀ ଆହତ ହୋଇଥିବା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ ଅଭିଯୋଗ କରିଛନ୍ତି। ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ବିଜେପି ନେତାଙ୍କୁ ଟେକି ନେଇ ଭ୍ୟାନ୍‌ରେ ଭର୍ତ୍ତି କରିଥିଲା। ଏ ସମ୍ପର୍କରେ ଜିଲ୍ଲା ସଭାପତି ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଶାସକ ଦଳ ଇଙ୍ଗିତରେ ପୁଲିସ ଏକପାଖିଆ କାର୍ଯ୍ୟାନୁଷ୍ଠାନ କରୁଛି। ଲୋକଙ୍କ ପଇସାରେ ସରକାରୀ ବେତନ ପାଉଥିବା କର୍ମଚାରୀ ରାଜନୀତି କରୁଛନ୍ତି। ଯଦି ରାଜନୀତି କରିବାର ଅଛି, ତେବେ ପାଣ୍ଡିଆନ୍‌ ଚାକିରି ଛାଡ଼ନ୍ତୁ ବୋଲି ଶ୍ରୀ ଜେନା କହିଛନ୍ତି।

ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଅଣ୍ଡା, ଟେକା, କାଳିମାଡ଼
ପ୍ରଦୀପ ସେନା-ବିଜେଡି ସମର୍ଥକ ଧସ୍ତାଧସ୍ତି
ନାଁ ନନେଇ ମଞ୍ଚରୁ ପ୍ରଦୀପଙ୍କୁ ଟାର୍ଗେଟ୍‌ କଲେ ପାଣ୍ଡିଆନ
ପାଣ୍ଡିଆନ କ’ଣ ମୁଖ୍ୟମନ୍ତ୍ରୀଙ୍କ ସୁପୁତ୍ର?: ପ୍ରଦୀପ

ଗୁରୁବାର ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ପାଣିଗ୍ରାହୀ କହିଥିଲେ ଯେ ତାଙ୍କ ଗସ୍ତ ବେଳେ କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ବା କିଏ ଆକ୍ରମଣ କଲେ, ମୁଖ୍ୟମନ୍ତ୍ରୀ ଦାୟୀ ରହିବେ। ସେହି ଅନୁସାରେ ବିଧାୟକ ଶ୍ରୀ ପାଣିଗ୍ରାହୀ ଆଜି ଭୁବନେଶ୍ବରରୁ ବାହାରି କନିଷି ଅଭିମୁଖେ ଯାଉଥିବା ବେଳେ ବ୍ରହ୍ମପୁର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍‌ ଖଜୁରିଆରୋଡ୍‌ ଜାତୀୟ ରାଜପଥରେ ଶାସକ ଦଳର ଶହଶହ ଯୁବକ ରାସ୍ତା ଅବରୋଧ କରି ବିଭିନ୍ନ ସ୍ଲୋଗାନ୍‌ ଦେଇ ତାଙ୍କ ଗାଡ଼ିକୁ ଅଟକାଇଥିଲେ। ଘଟଣାସ୍ଥଳରେ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ସୁଦ୍ଧା ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା, ଢେଲା ଓ କାଳିମାଡ଼ରୁ ରକ୍ଷା କରିପାରି ନଥିଲେ। ଅପ୍ରୀତିକର ପରିସ୍ଥିତି ଦେଖି ବିଧାୟକ ଡ. ପାଣିଗ୍ରାହୀ ବ୍ରହ୍ମପୁର ଏସ୍‌ପିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବିଜେଡି କର୍ମୀମାନେ ବିଧାୟକ ଡ. ପାଣିଗ୍ରାହୀଙ୍କ ଗାଡ଼ିକୁ ଅଟକାଇବା ସହ କିଛି ଉତ୍ତ୍ୟକ୍ତ କର୍ମୀ ତାଙ୍କ ଗାଡ଼ି ଉପରେ ଚଢ଼ି ଯାଇଥିଲେ। ତାଙ୍କ ଗାଡ଼ି ଉପରକୁ ପାଣି ବୋତଲ ମଧ୍ୟ ଫିଙ୍ଗା ଯାଇଥିଲା। ବିଧାୟକ ଉପସ୍ଥିତ ପୁଲିସ ଅଧିକାରୀଙ୍କୁ ରାସ୍ତା କ୍ଲିଅର୍‌ କର ବୋଲି କହୁଥିବା ଦେଖିବାକୁ ମିଳିଥିଲା। କିଛି କର୍ମୀ ବିଭିନ୍ନ ନାରାବାଜି ଦେବା ସହ ଗୋ-ବ୍ୟାକ୍‌ ବୋଲି ଚିତ୍କାର କରୁଥିଲେ। ଦୀର୍ଘ ସମୟ ଧରି ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଉପସ୍ଥିତ ପୁଲିସ କେବଳ ଦେଖଣାହାରୀ ସାଜିଥିଲା। ଅଣ୍ଡାମାଡ଼ରୁ ଉପସ୍ଥିତ ପୁଲିସ, ସାମ୍ବାଦିକ ଓ ବିଧାୟକଙ୍କ ସମର୍ଥକ କେହି ବର୍ତ୍ତି ନଥିଲେ।

ଏହି ଘଟଣା ପରେ ବିଧାୟକ କହିଛନ୍ତି, କାହା ଷଡ଼ଯନ୍ତ୍ରରେ ମୋତେ ଆକ୍ରମଣ କରାଯାଇଛି ତାହାର ଉପଯୁକ୍ତ ତଦନ୍ତ ହେଉ। ଆଇନ ସମସ୍ତଙ୍କ ପାଇଁ ସମାନ। ତାଙ୍କୁ କାହିଁକି ନ୍ୟାୟ ମିଳିଲାନି ବୋଲି ସେ ପ୍ରଶ୍ନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଗୋପାଳପୁରର କନିଷିସ୍ଥିତ ବାଲାଜୀ ବିଦ୍ୟାପୀଠ ଖେଳ ପଡ଼ିଆରେ ହେଉଥିବା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥା’ନ୍ତେ। ବ୍ରହ୍ମପୁର ସହର ଉପକଣ୍ଠ ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ତାଙ୍କୁ ଶାସକ ଦଳ ପକ୍ଷରୁ ଅଟକା ଯାଇଥିଲା, ଶହଶହ ଯୁବକ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ସେଠାରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ ଏହାକୁ ରୋକିଥିଲେ ବି ଯେଭଳି ଭାବେ ସୁରକ୍ଷା ଦେବା କଥା ତାହା ମିଳିନଥିଲା। ସେ ସିଧାସିଧା ଆଜି ପଚାରିଥିଲେ ଯେ ମୁଖ୍ୟମନ୍ତ୍ରୀ ବୋଲି କ’ଣ ରାଜ୍ୟରେ ନିୟମ ଅଲଗା ରହିଛି କି? ଦଳର ନୀତି, ଆଦର୍ଶ ଓ ଚିନ୍ତାଧାରାର ତାରତମ୍ୟ ଯୋଗୁଁ ତାଙ୍କୁ ଦଳରୁ ବହିଷ୍କାର ସହ ଜନବିରୋଧୀ କହି ଗିରଫ କରାଯାଇଥିଲା। ସ˚ପ୍ରତି ଦଳରେ ଯେଭଳି ଜନଅସନ୍ତୋଷ ଭଳି କାର୍ଯ୍ୟକ୍ରମ ଚାଲିଛି, ତାହାକୁ କିପରି ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉନାହାନ୍ତି? ରାଜ୍ୟ ହେଉ କିମ୍ବା ଜିଲ୍ଲାରେ ମଦମାଫିଆଙ୍କଠାରୁ ବଡ଼ବଡ଼ ଅଧିକାରୀମାନେ ମୋଟା ଅଙ୍କର ଅର୍ଥ ନେଇ ଦଳୀୟ କାର୍ଯ୍ୟକ୍ରମରେ ବିନିଯୋଗ କରୁଥିବା ସେ ଅଭିଯୋଗ କରିଥିଲେ।

ଶ୍ରୀ ପାଣିଗ୍ରାହୀ କହିଥିଲେ, ମୁଁ ଆଜି ମୋର ନିର୍ବାଚନମଣ୍ତଳୀ ଗସ୍ତ ନେଇ ବହୁ ପୂର୍ବରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି ଏବ˚ ଗ˚ଜାମ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ସୁଦ୍ଧା ମୋତେ ଏହାର କୌଣସି ସୂଚନା ପ୍ରଦାନ କରାଯାଇନାହିଁ। ସାଧାରଣ ଜନତାଙ୍କ ସ୍ବାର୍ଥକୁ ନେଇ ଗଣତନ୍ତ୍ରରେ ବିରୋଧ ହେବା ସ୍ବାଭାବିକ କଥା, କିନ୍ତୁ ଆଜିର ଘଟଣା ସ˚ପୂର୍ଣ୍ଣ ଅଲଗା। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯେଭଳି ଭାବେ ସରକାରୀ ନିର୍ଦ୍ଦେଶକୁ ଅବମାନନା କରି କାର୍ଯ୍ୟ କରୁଛନ୍ତି ସେ କ’ଣ ଆପଣଙ୍କ ସୁପୁତ୍ର କି ବୋଲି ବିଧାୟକ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।