ସୋନପୁର : ଲେମନ ଗ୍ରାସ ପ୍ରୋସେସିଂ ୟୁନିଟ୍ ଉଦ୍‌ଘାଟିତ

ସୋନପୁର : ସୋନପୁର ବ୍ଲକ୍‌ ଲକର୍ମା ଗ୍ରାମରେ ବୁଧବାର ଓର୍‌ମାସ ସହାୟତାରେ ଲେମନ ଗ୍ରାସ (ଧନନ୍ତ୍ବରୀ ଘାସ) ପ୍ରୋସେସିଂ ୟୁନିଟ୍ ଉଦ୍‌ଘାଟିତ ହୋଇଯାଇଛି। ଜିଲ୍ଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପିଡି ଡିଆରଡିଏ ଡୋଳାମଣି ପଟେଲ, ସୋନପୁର ବ୍ଲକ ଅଧ୍ୟକ୍ଷ ମନ୍ଦାକିନୀ ନାଗ, ସୋନପୁର ବ୍ଲକ ଭାରାପ୍ରାପ୍ତ ବିଡିଓ ଶଶିଭୂଷଣ ପ୍ରଧାନ, ଓର୍‌ମାସ ଡେପୁଟି ସିଇଓ ଯୁବରାଜ ସାହୁ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ଦେହୁରୀ, ଏପିଡି ପ୍ରଶିକ୍ଷଣ ଶୈବାଳିନୀ ପଟ୍ଟନାୟକ, ହରଡ଼ଖୋଲ ସରପଞ୍ଚ ତୃପ୍ତି କୁଅଁର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଜିଲ୍ଲାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୋନପୁର ବ୍ଲକରେ ୫୦ ହେକ୍ଟର ଏବଂ ବୀରମହାରାଜପୁର ବ୍ଲକରେ ୬୦ ହେକ୍ଟର ଜମିରେ ଲେମନ ଗ୍ରାସ (ଧନନ୍ତ୍ବରୀ ଘାସ) ଚାଷ ପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଚାଷୀଙ୍କୁ ଏହି କାମ ପାଇଁ କର୍ମ ନିଯୁକ୍ତି ଜିଲ୍ଲାର ଜଳଛାୟା ପ୍ରକଳ୍ପ ପକ୍ଷରୁ ଯୋଗାଇ ଦିଆଯାଇଛି। ଏହା ଏକ ଲାଭଜନକ ଚାଷ ଏହି ଚାଷ ମାଧ୍ୟମରେ ଚାଷୀମାନେ ଜୀବିକା ନିର୍ବାହ କରିବା ସହ ସ୍ବାବଲମ୍ବୀ ହୋଇ ପାରିବେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ବ୍ଲକରେ ଏହି ଚାଷ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଔଷଧ ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବ୍ୟବହାର ପାଇଁ ଲେମନ ଗ୍ରାସର ଚାହିଦା‌ ରହିଛି ଏବଂ ଲିଟର ପିଛା ଏହା ୧ ହଜାର ଟଙ୍କାରେ ବିକ୍ରି ହେଉଥିବା ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଡିଆଇପିଆର୍‌ଓ ଅଶ୍ବିନୀ ଭୋଇ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର