କୁଟିଆ କନ୍ଧଙ୍କୁ ରୋଜଗାର ଯୋଗାଉଛି ଲେମନ୍ ଗ୍ରାସ୍ ଓ କଳାବତୀ ଧାନ

ଭବାନୀପାଟଣା : ବର୍ତମାନ ଧାନ ଉତ୍ପାଦନ ଓ କପା ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲ୍ଲା ପ୍ରଥମସ୍ଥାନ ବଜାୟ ରଖିଛି । ଯେଉଁ ଜିଲ୍ଲାର ମାନଚିତ୍ର ଅଶୀ ଦଶକରେ କେବଳ ମରୁଡି ପ୍ରବଣ ଜିଲ୍ଲାଭାବେ ପରିଚିତ ଥିଲା ଆଜି ସବୁଜ ଶସ୍ୟ ଶ୍ୟାମଳା ହୋଇ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏହି ଜିଲ୍ଲାରେ ମଦନପୁର ରାମପୁରର ବମକ ପଂଚାୟତରେ ବଙ୍କେଲ ଗ୍ରାମରେ ଏକ ବିରଳ ବିଦେଶୀ ଫଳ (ଡ୍ରାଗନ୍ ଫ୍ରୁଟ୍‌) ସଫଳ ରୂପେ ଉତ୍ପାଦନ କରି ନିଜେ ସ୍ୱାବଲମ୍ବୀ ହେବା ସହ ଜିଲ୍ଲାକୁ ସୁନାମ ଆଣିଦେଇଥିବା କଥା ଦେଖିବାକୁ ମିଳିଛି । ସେହିଭଳି ଜିଲ୍ଲାରେ ବିଭିନ୍ନ କୃଷି ଉତ୍ପାଦନରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବାରେ ଲାଗୁଛି ।

କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ କୁହାଯାଉଥିବା ଲାଞ୍ଜିଗଡ ବ୍ଲକ ଯାହା ଆଦିମ ଡଙ୍ଗରିଆ କୁଟିଆକନ୍ଧଙ୍କ ଆବାସସ୍ଥଳୀ । ଯେଉଁଠି ବିଗତ କିଛି ବର୍ଷ ପୂର୍ବେ ଦୁବ କଅଁଳିବା ବି ସମ୍ଭବ ନଥିଲା । ଆଜି ସେଠି ଲେମନ୍ ଗ୍ରାସ ଓ କଳାବତୀ ଧାନ ଉତ୍ପାଦନର ହବ୍ ପାଲଟିବାକୁ ବସିଛି । ଲାଞ୍ଜିଗଡ ବ୍ଲକର ୫ଟି ପଂଚାୟତରେ ଡଙ୍ଗରିଆ କୁଟିଆ କନ୍ଧଙ୍କ ଜୀବନଜିବିକା ଓ ସମୂହ ବିକାଶ ପାଇଁ କୁଟିଆକନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି । ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ ୩୦ହଜାର ହେକ୍ଟର କଳାବତୀ ଧାନ ବଳଭଦ୍ରପୁର, ନଙ୍ଗଲବେଡା, ଲାଞ୍ଜିଗଡ, ଖାଲଗୁଡା ଗ୍ରାମରେ ବୈଜ୍ଞାନିକ ପଦ୍ଧତି ଅବଲମ୍ବନ କରାଯାଇ ସଫଳଭାବରେ ଚାଷ ହୋଇଛି । ଚାଷୀମାନେ କେଜିପ୍ରତି ୧୦୦ ଟଙ୍କା ହିସାବରେ କମ୍ପାନୀ ଓ ଟିିଡିସିସି ମାଧ୍ୟମରେ ବିକ୍ରୟ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଠିକ୍ ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୨୦ ହେକ୍ଟର ଲେମନ୍ ଗ୍ରାସ୍ ଚାଷ କରି ୫୦ ପରିବାରର ଆର୍ଥିକ ଉନ୍ନତି ଘଟିଥିବା ଜଣାପଡିଛି ।

ଟାଙ୍ଗନକନା ଠାରେ ଥିବା ତେଲ ପ୍ରକ୍ରିୟାକରଣ ୟୁନିଟ୍ ଠାରେ ତେଲ ଅତିସୁବିଧାରେ ବାହାର କରି କେଜିପ୍ରତି ୧୧ଶହରୁ ୧୨ଶହ ଟଙ୍କାରେ ଟିିଡିସିସିକୁ ବିକ୍ରୟ କରୁଥିବା ସୂଚନା ମିଳିଛି । ଏକରପିଛା ବର୍ଷକୁ ୫୦ ହଜାରରୁ ୬୦ ହଜାର ଟଙ୍କା ରୋଜଗାର କରୁଥିବା ସ୍ଥାନୀୟ ଚାଷୀମାନେ ପ୍ରକାଶ କରିଛନ୍ତି । ଧାଡିରୁଆ ଧାନ ଚାଷ ପାଇଁ ୨୦ ହେକ୍ଟର ନିମନ୍ତେ ଚାଷୀଙ୍କୁ କେକେଡିଏ ପକ୍ଷରୁ ଆବଶ୍ୟକୀୟ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଛି । ଏକା ସାଙ୍ଗରେ ଡଙ୍ଗରିଆ କୁଟିଆ କନ୍ଧଙ୍କ ଜୀବନଜିବିକାର ବିକାଶ ସହିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ଓ ସହଯୋଗୀ ଅନୁଷ୍ଠାନ ଜନସାହାର୍ଯ୍ୟ ଆଦିବାସୀମାନଙ୍କ ପାଇଁ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥାମାନ କରାଯାଉଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଲାଞ୍ଜିଗଡ ବ୍ଲକର ୫ଟି ପଂଚାୟତର ୪୧ଟି ଗ୍ରାମର କୁଟିଆକନ୍ଧ ସଂପ୍ରଦାୟର ଲୋକଙ୍କ ଜୀବନଜିବିକାରେ ବ୍ୟାପକରୂପେ ପରିବର୍ତନ ଦେଖା ଦେଇଛି । ଦୁର୍ଗମ ଅଞ୍ଚଳରେ ଲେମନଗ୍ରାସ ଓ କଳାବତୀ ଧାନ କୁଟିଆକନ୍ଧ ଅଧିବାସୀ ମାନଙ୍କୁ ଜୀବିକା ସୃଷ୍ଟି କରିପାରିଛି ।

ପାହାଡ଼ି ଅଞ୍ଚଳରେ ଏହି ଦୁଇଟି ଚାଷ ପାଇଁ ଏବେ ଆଗ୍ରହ ପ୍ରକାଶ ପାଉଛି । ଚାଷୀ ମାନଙ୍କ କହିବା ଅନୁଯାୟୀ କେକେଡିଏ ଓ ସ୍ବେଚ୍ଛାସେବୀ ସଙ୍ଗଠନ ଜନ ସାହାଯ୍ୟ ଯୋଗୁଁ ଏହି ଚାଷ ପାଇଁ ସେମାନେ ପ୍ରେରଣା ପାଉଛନ୍ତି । ରାଜ୍ୟ ସରକାର ଲେମନଗ୍ରାସ ଓ କଳାବତୀ ଧାନର ବିପଣନ ପାଇଁ ଓ ଅଧିକ ହେକ୍ଟର ଜମିରେ ଚାଷ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇ କୁଟିଆକନ୍ଧ ମାନଙ୍କ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ଦାବୀ ହୋଇଛି । କଳାବତୀ ଧାନ ଭଳି ବହୁ ବିଲୁପ୍ତ ଦେଶୀ ଧାନ ଗୁଡିକର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବାକୁ ଚାଷୀ ମହଲରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର