ବାର୍‌ହା ଫାଶରୁ ଉଦ୍ଧାର କଲରାପତରିଆର ମୃତ୍ୟୁ, ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଜଣାପଡ଼ିବ କାରଣ

ବୁଗୁଡ଼ା: ଗଂଜାମ ଜିଲ୍ଲା ବୁଗୁଡ଼ା ବନାଂଚଳ ଅନ୍ତର୍ଗତ ମାଣିତରା ଫରେଷ୍ଟ ବିଟର ଶଙ୍କରୁ ଗାଁରେ ଆଜି ବାର୍‌ହା ଫାଶରୁ ଉଦ୍ଧାର କଲରାପତରିଆର ମୃତ୍ୟୁ ହୋଇଛି। ଆଜି ଅପରାହ୍ନରେ କଲରାପତରିଆକୁ ଜଙ୍ଗଲରେ ଛାଡ଼ିବାକୁ ନେଇଥିଲେ ବନବିଭାଗର ସ୍ବତନ୍ତ୍ର ଟିମ୍‌। ବାଘକୁ ଜଙ୍ଗଲରେ ଛାଡ଼ିବା ନେଇ କରଚୁଲି ଗ୍ରାମପଂଚାୟତର ଶହ ଶହ ଲୋକ ପହଂଚି ଏହାକୁ ତୀବ୍ର ବିରୋଧ କରିଥିଲେ। ଫଳରେ ସେଠାରେ ବନ ବିଭାଗର ଟିମ୍‌ ୩ ଘଣ୍ଟା ଯାଏଁ ଅଟକିଥିଲେ। ବାଘକୁ ବରବରା ଜଂଗଲରେ ଛାଡ଼ିବା ପାଇଁ ଯୋଜନା ଚାଲିଥିବା ବେଳେ ଏହି ସମୟରେ ବାଘର ମୃତ୍ୟୁଘଟିଥିଲା। ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଫାଶରୁ ଉଦ୍ଧାର ହେବା ପରେ କଲରାପତରିଆ ଶ୍ବାସଜନିତ ସମସ୍ୟାର ସମ୍ମୁଖୀନ ହୋଇଥିବା ଅନୁମାନ କରାଯାଉଛି। ପୋଷ୍ଟମର୍ଟମ ହେବା ପରେ ପ୍ରକୃତ ଘଟଣା ପଡ଼ିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ,ଆଜି ସକାଳ ପ୍ରାୟ ଆଠଟା ସମୟରେ ମାଣିତରା ଫରେଷ୍ଟ ଗାର୍ଡ ସରସ୍ବତୀ ନାୟକ ବଡ଼ ପଥର ପାହାଡ଼କୁ ଯାଇଥିଲେ। ସେ ସମୟରେ ବାଘ ଗର୍ଜନ ଶୁଣିଥିଲେ। ସେ ଆଖପାଖରେ ଖୋଜାଖୋଜି କରିବା ବେଳକୁ ବାରହା ଶିକାର ପାଇଁ  ପକା ଯାଇଥିବା ଫାସ ତାରରେ କଲରାପତରିଆ ବାଘଟିଏ ଫସିଯାଇଥିବା ଦେଖିବାକୁ ପ‌ାଇଥିଲେ। ବାଘ ଅଣ୍ଟାରେ ଫାଶ ଲାଗି ଯାଇଥିବାରୁ ବାଘଟି ଯାଇ ପାରୁ ନଥିବା ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ ସେ । ଖବର ପାଇ ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟ ଟିମ ଜାଲ ଧରି ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ ପାଖରେ ଲଟା ବୁଦା ଥିବାରୁ ଜାଲ ପକାଇ ବାଘକୁ ଧରିବା କଷ୍ଟକର ହୋଇଥିଲା।

ବାଘ ଦେଖିବା ପାଇଁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା। ପ୍ରାୟ ୩ ଘଣ୍ଟା କାଳ କସରତ ପରେ ବାଘ ଧରା ନ ଦେବାରୁ ଜେସିବି ସାହାଯ୍ୟରେ ଲଟା ବୁଦା ସଫା କରାଯାଇ ଶେଷରେ ବାଘକୁ ଅପରାହ୍ନ ପ୍ରାୟ ୩ଟା ବେଳେ ଜାଲ ପକାଇ ଧରା ଯାଇଥିଲା। ତେବେ ଦୋଳା କରି ଗାଡି ପାଖକୁ ଅଣାଯାଉଥିବା ବେଳେ ବୁଗୁଡ଼ାର ଦିଲ୍ଲୀପ କୁମାର ଦାଶଙ୍କ ଜଙ୍ଘକୁ ବାଘଟି କାମୁଡି ଦେଇଥିଲା l

ଆକ୍ରମଣର ଶିକାର ହେବା ପରେ ଦିଲ୍ଲୀପଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଘଟିକୁ ପ୍ରଥମେ ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯିବା ପରେ କିରିଆମ୍ବା ଜଙ୍ଗଲର ନୂଆପଲ୍ଲୀଠାରେ ଛାଡି ଦିଆଯାଇଥିଲା।

ସମ୍ବନ୍ଧିତ ଖବର