ରେଙ୍ଗାଳି ଜଳଭଣ୍ତାରରୁ କଲରାପତରିଆ ବାଘର ଶବ ଉଦ୍ଧାର

ମୃତ୍ୟୁର କାରଣ ଅସ୍ପଷ୍ଟ, ବନ ବିଭାଗର ତଦନ୍ତ ଆରମ୍ଭ

ପାଳଲହଡ଼ା : ପାଳଳହଡ଼ା ଥାନା ମାଙ୍କଡ଼ଚୁଆ ଗ୍ରାମର ଅସନପାଳ ଜଙ୍ଗଲ ପାଖ ରେଙ୍ଗାଳି ଜଳଭଣ୍ତାରରୁ ଆଜି ଏକ କଲରାପତରିଆ ବାଘର ମୃତଦେହ ଉଦ୍ଧାର କରାଯାଇଛି। ରେଙ୍ଗାଳି ଜଳଭଣ୍ତାରରେ କଲରାପତରିଆ ବାଘର ମୃତଦେହ ଭାସିବା ଘଟଣା ସାରା ଅଞ୍ଚଳରେ ଚର୍ଚାର ବିଷୟ ହୋଇଛି। ଆଖପାଖ ଅଂଚଳରେ କଲରାପତରିଆ ବାଘ ନଥିଲା ବେଳେ ମୃତ ବାଘଟି କେଉଁଠାରୁ ଆସିଲା ତାକୁ ନେଇ ଖୋଳତାଡ଼ ଚାଲିଛି। ସେହିଭଳି ବାଘ ମୃତ୍ୟୁର କାରଣ ମଧ୍ୟ ରାତିସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। ବନ ବିଭାଗର ବରିଷ୍ଠ ପଦାଧିକାରୀ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଚଳାଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ରେଙ୍ଗାଳି ଜଳଭଣ୍ତାରରେ ଏକ କଲରାପତରିଆ ବାଘର ମୃତଦେହ ଭାସୁଥିବା ଦେଖିବାକୁ ମଳିିଥିଲା। ଏହି ଖବର ପ୍ରଚାରିତ ହେବା ପରେ ସେଠାରେ ଆଖପାଖର ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା। ବାଘ ମ୍ୃତ୍ୟୁ ସଂପର୍କରେ ଗ୍ରାମବାସୀଙ୍କ ଠାରୁ ଖବର ପାଇ ଖମାର ରେଞ୍ଜ ଅଧିକାରୀ ରମାକାନ୍ତ ସେଠୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ବାଘର ମୃତଦେହ ପାଣିରେ ଭାସିଆସି କୂଳରେ ଲାଗିଥିବା ସନ୍ଦେହ କରାଯାଇଛି। ତେବେ ଏହାର ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ। ଏ ସଂପର୍କରେ ତଦନ୍ତ ଜାରି ରହିଛି ‌ବୋଲି ଶ୍ରୀ ସେଠୀ କହିଛନ୍ତି। କଳରାପତରିଆ ବାଘର ଶରୀର‌େର କୌଣସି ଆଘାତ ଲାଗି ନାହିଁ। ତେବେ ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା। ବନ ବିଭାଗ ସୂଚନା ଅନୁଯାୟୀ, ଆଖପାଖ ରେଞ୍ଜରେ କଳରାପତରିଆ ବାଘ ନ ଥିବା ବେଳେ ଏ ବାଘ କୋଉଠୁ ଆସିଲା, କେମିତି ମଲା, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦେବଗଡ ଡିଏଫଓ, ୱାଇଲଡ ଲାଇଫ୍‌ର ବରିଷ୍ଠ ଅଧିକାରୀ, ରାଉରକେଲା ବନ ସଂରକ୍ଷକ, ଜାତୀୟ ବ୍ୟାଘ୍ର ସ˚ରକ୍ଷଣର ବରିଷ୍ଠ ଅଧିକାରୀ, ପ୍ରାଣୀ ଚିକିତ୍ସା ବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛନ୍ତି। ସମସ୍ତ ବିଭାଗର ମୁଖ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ମୃତ୍ୟୁ ନେଇ ତଦନ୍ତ କରିବା ପରେ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର