ମହାବଳ ଶୂନ୍ୟ ଜଙ୍ଗଲରେ କଲରାପତରିଆ ରାଜୁତି

ସାତକୋଶିଆ କ୍ୟାମେରାରେ କଏଦ୍‌ ହେଲା ଚିତ୍ର

ଅନୁଗୁଳ : ଅନୁଗୁଳ ଜିଲ୍ଲାର ଏକମାତ୍ର ବ୍ୟାଘ୍ର ପ୍ରକଳ୍ପ ମହାବଳ ଶୂନ୍ୟ ହୋଇପଡ଼ିଛି। କିନ୍ତୁ, ଜଙ୍ଗଲର ଖାଦ୍ୟ ଶୃଙ୍ଖଳରେ ମହାବଳ ସ୍ଥାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଛନ୍ତି କଲରାପତରିଆ ବାଘ। ସାତକୋଶିଆ ଜଙ୍ଗଲରେ ନିର୍ଭୟରେ ବୁଲୁଛନ୍ତି। ଗୋଟିଏ ଗୋଟିଏ ହରିଣ/ବାର୍‌ହା ମଧ୍ୟ ଶିକାର କରୁଛନ୍ତି। ନିକଟରେ କ୍ୟାମେରାରେ କଏଦ୍‌ ହୋଇଥିବା ବାଘ ଶିକାର ଦୃଶ୍ୟରୁ ଏହା ଜଣାପଡ଼ିଛି।

ସୁରକ୍ଷା ଅଭାବରୁ ସାତକୋଶିଆ ଜଙ୍ଗଲ ମହାବଳ ଶୂନ୍ୟ ହୋଇଯାଇଛି। କୁହାଯାଏ, ମହାବଳ ହେଉଛି ଜଙ୍ଗଲର ସ୍ବାସ୍ଥ୍ୟକାର୍ଡ। ଜଙ୍ଗଲର ଖାଦ୍ୟ ଶୃଙ୍ଖଳରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥାଏ। ଏହି ପ୍ରାଣୀ ଉପରେ ଜଙ୍ଗଲର ଭିତ୍ତିଭୂମି ଏବଂ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ନିର୍ଭରଶୀଳ। ଏଠି ବହୁସଂଖ୍ୟାରେ ମହାବଳ ବାଘ ଥିବାରୁ ଏକଦା ସାତକୋଶିଆ ଅଭୟାରଣ୍ୟରେ ଖାଦ୍ୟଶୃଙ୍ଖଳ ବେଶ୍ ସୁଦୃଢ଼ ଥିଲା। ସେଥିପାଇଁ ସାତକୋଶିଆକୁ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ମିଳିଥିଲା। କିନ୍ତୁ, ସୁରକ୍ଷା ଅଭାବରୁ ଗୋଟିଏ ପରେ ଗୋଟିଏ ମହାବଳ ମୁଣ୍ଡ ଗଡ଼ିଚାଲିଲା। ମଧ୍ୟପ୍ରଦେଶରୁ ଆସିଥିବା ଯୋଡ଼ିଏ ବାଘ-ବାଘୁଣୀ ମଧ୍ୟରୁ ଗୋଟିଏର ଅବସ୍ଥା ଅନୁରୂପ ହେଲା। ଅନ୍ୟଟିକୁ ମଧ୍ୟପ୍ରଦେଶକୁ ଫେରାଇ ନିଆଗଲା। ମହାବଳ ବଂଶର ଅନ୍ତିମ ସନ୍ତକ ଥିଲା ବୁଢ଼ୀ ବାଘୁଣୀ। କିନ୍ତୁ, ଗଲା ପ୍ରାୟ ବର୍ଷେ ହେଲା ତାର ବି ପତ୍ତା ମିଳୁନି।

ଏଭଳି ସ୍ଥିତିରେ ସାତକୋଶିଆ ଜଙ୍ଗଲରେ ଖଞ୍ଜା ହୋଇଥିବା କ୍ୟାମେରାରୁ ଗୋଟିଏ କଲରାପତରିଆ ବାଘ ଉପସ୍ଥିତି ଦେଖିବାକୁ ମିଳିଛି। ବାଘଟି ଜଙ୍ଗଲରେ ଛକି ରହିଛି।

ତା’ପରେ ଏକ ହରିଣକୁ ଶିକାର କରି ନିଜ ଗନ୍ତବ୍ୟସ୍ଥଳକୁ ନେଉଛି। ଘଞ୍ଚ ଜଙ୍ଗଲରେ ତାକୁ ଖାଦ୍ୟ ରୂପେ ଗ୍ରହଣ କରୁଛି। ଏହି ତିନୋଟି ଦୃଶ୍ୟ ଜଙ୍ଗଲର ସ୍ବାସ୍ଥ୍ୟ ଅବସ୍ଥାକୁ ସୂଚାଇ ଦେଉଛି। ମହାବଳଙ୍କ ଅନୁପସ୍ଥିତିରେ କଲରାପତରିଆଙ୍କ ସକ୍ରିୟତା ଗୋଟିଏପଟେ ସାତକୋଶିଆକୁ ଚଳଚଞ୍ଚଳ କରିଥିବାବେଳେ ଅନ୍ୟପଟେ ଶିକାରୀଙ୍କ ନଜର ଏବେ ସେମାନଙ୍କ ଉପରେ ପଡ଼ିଛି। କେବଳ ଶିକାର ନୁହନ୍ତି, ବିଭିନ୍ନ ଘଟଣା ଏବଂ ଦୁର୍ଘଟଣା କାରଣରୁ ଗଲା ୨୦୧୬ମସିହାରୁ ଏଯାବତ୍‌ ପ୍ରାୟ ୪ଟି କଲରାପତରିଆ ବାଘଙ୍କର ମୃତ୍ୟୁ ସାମ୍ନାକୁ ଆସିଛି। ଯଦି, କଲରାପତରିଆ ବାଘଙ୍କ ସୁରକ୍ଷାକୁ ସୁରକ୍ଷାକୁ ଗୁରୁତ୍ବ ଦିଆନଯାଏ ମହାବଳ ବଂଶ ବୁଡ଼ିଲା ଭଳି ଏ‌ମାନେ ବି ନିଶ୍ଚିହ୍ନ ହୋଇଯିବେ! ଏଥିପ୍ରତି ଦୃଷ୍ଟିଦେବାକୁ ପରିବେଶପ୍ରେମୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର