ନୂଆପଡ଼ା: ନୂଆପଡ଼ା ଜିଲ୍ଲା ନୂଆପଡ଼ା ବ୍ଲକ୍ ପାବରତୋଲା ଗାଁରେ କଲରାପତରିଆ ବାଘ ପୁଣି ଏକ ବାଛୁରୀକୁ ଟାଣି ନେଇ ଖାଇଦେଇଥିବା ଜଣାଯାଇଛି। ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ବେଳେ ଆଜି ସକାଳେ ଗ୍ରାମବାସୀ ଏହା ଦେଖିବାକୁ ପାଇଛନ୍ତି। ଚିଟିରାମ ସତନାମୀଙ୍କ ଗୁହାଳରୁ ଏହି ବାଛୁରୀକୁ ବାଘ ଟାଣିନେଇ ଗୁହାଳ ପାଖରେ ମାରି ଖାଇଛି। ଏହାକୁ ମିଶାଇ ଏଯାଏ ବାଘ ଜିଲ୍ଲାର ନୂଆପଡ଼ା ଓ କୋମନା ବ୍ଲକ୍ ଅଞ୍ଚଳର ୧୬ଟି ଗାଈ ଓ ବାଛୁରୀଙ୍କୁ ମାରି ଖାଇସାରଲାଲାଣି। ଏହାଛଡ଼ା ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ବୃଦ୍ଧାଙ୍କୁ ବି ବାଘ ମାରିଥିବା ବେଳେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି।

Advertisment

ସୂଚନାଯୋଗ୍ୟ, ଗତ ଶନିବାର ରାତିରେ କୋମନା ବ୍ଲକ୍ ବେଲରଦନା ଓ ସିରିଲି ଗାଁରେ କଲରାପତରିଆ ବାଘ ଗୁହାଳରୁ ୨ ବାଛୁରୀକୁ ଟାଣି ନେଇ ଖାଇଦେଇଥିଲା। ବେଲରଦନା ଗାଁର ଅର୍ଜୁନ ଧରୁଆ ବାଛୁରିକୁ ଗୁହାଳରେ ବାନ୍ଧି ରଖିଥିଲେ। ରବିବାର ସକାଳୁ ଉଠି ଦେଖିବା ପରେ ଗୋଟିଏ ବାଛୁରି ନଥିଲା। ପରିବାର ଲୋକ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ବାଛୁରିର ମୃତଦେହ ପଡ଼ିଥିଲା।
ସେହିପରି ଆଗରୁ କୋମନା ରେଞ୍ଜ ସିରିଲି ଗାଁରେ ଗୋପୀନାଥ ମାଝୀଙ୍କ ଏକ ବାଛୁରିକୁ ବାଘ ମାରି ଖାଇଦେଇଥିଲା। ତେବେ ୨ଟି ଯାକ ବାଛୁରିକୁ ବାଘ ମାରିଥିବା ବେଳେ ବାଘର ପାଦଚିହ୍ନ ରହିଥିବା କୋମନା ବନ ବିଭାଗ ରେଞ୍ଜର ଦେବଦତ୍ତ ସୁତାର ସୂଚନା ଦେଇଥିଲେ। ସନ୍ଧ୍ୟାରେ ବନ କର୍ମଚାରୀ ଉଭୟ ଗାଁରେ ପହଞ୍ଚି କେହି ଏକୁଟିଆ ଘରୁ ନବାହାରିବାକୁ ପରାମର୍ଶ ଦେଇଛନ୍ତି। ଜରୁରୀ କାମ ପଡ଼ିଲେ ୩ରୁ ୪ ଜଣ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ବାହାରକୁ ଯିବାକୁ ପରାମର୍ଶ ଦେଇଛନ୍ତି।
ପ୍ରକାଶ ଯେ, ଗତ ମାସ ୧୯ ତାରିଖରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ କଲରାପତରିଆ ବାଘ ଆତଙ୍କ ଜାରି ରହିଛି। ଗତ ୧୯ ତାରିଖ ଜଳମଡ଼େଇ ଗାଁର ଜଣେ ବୃଦ୍ଧା ସନମତୀ ବାରିକଙ୍କୁ ବାଘ ମାରି ଖାଇ ଦେଇଥିଲା। ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ଉକ୍ତ କଲରାପତରିଆ ବାଘ ବୁଧବାର ଜଳମଡ଼େଇ ଗାଁରେ ଏକ ବଳଦକୁ ମାରି ଖାଇଥିଲା। ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ୧୩ଟି ଟ୍ରାପ୍ କ୍ୟାମେରା ଲଗାଇବା ପରେ ବାଘ ବୁଲୁଥିବା ଦୃଶ୍ୟ କଏଦ୍ ହୋଇଥିଲା।