ଫୁଲବାଣୀ/ଭୁବନେଶ୍ୱର: ମୟୂରଭଂଜ ଜିଲ୍ଲାର ବିଶୋଇ ଅଂଚଳରୁ ବାଘ ଛାଲ ଜବତ ହେବା ଘଟଣାକୁ ୪୮ ଘଣ୍ଟା ବିତି ନଥିବା ବେଳେ କନ୍ଧମାଳ ଜିଲ୍ଲାରେ ପୁଣି ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ ବନ ବିଭାଗ ଜଣେ ଯୁବକକୁ ଅଟକ ରଖିଛି। ଅଟକ ଯୁବକର ନାମ ଅର୍ଜୁନ ଗୁଣ୍ଡା। ଅଭିଯୁକ୍ତ ଅର୍ଜୁନର ଓଡ଼ିଶା ବାହାରେ ଲିଙ୍କ୍‌ ଥିବା ସନ୍ଦେହ ନେଇ ତଦନ୍ତ ଚାଲିଛି। ଫୁଲବାଣୀ ବନାଞ୍ଛଳ ଅଧିକାରୀ ସଚ୍ଚିଦାନନ୍ଦ ସେଠୀ କହିଛନ୍ତି ସବିଶେଷ ତଥ୍ୟ ପରେ ପ୍ରଦାନ କରାଯିବ।

Advertisment

ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦଦେଶରେ ମଙ୍ଗଳବାର ଏକ କଲରାପତରିଆ ବାଘଚମଡା ଜବତ ହେବା ସହିତ ଏଥିରେ ସମ୍ପୃକ୍ତ ୫ ଜଣ ଯୁବକଙ୍କୁ ବନବିଭାଗ ଦ୍ୱାରା ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ମଙ୍ଗଳବାର ପ୍ରାୟ ଦିନ ୧୧ ଘଟିକା ସମୟରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ମଣଦା ରେଞ୍ଜର ବିଶୋଇ ସ୍ଥିତ ଖଜୁରିକଟାସ ଗ୍ରାମ ନିକଟରେ ଏକ କଲରାପତରିଆ ବାଘ ଚମଡା ବିକ୍ରି ନିମନ୍ତେ ମସୁଧା ଚାଲିଥିବା ବନବିଭାଗ ବିଶେଷ ସୁତ୍ରରୁ ସୂଚନା ପାଇଥିଲା। ଏହାପରେ ଡିଏଫଓ ଅରୁଣ କୁମାର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ବୈଦ୍ୟନାଥ ମାଝୀ,ଏସିଏଫ ନବୀନ ଚନ୍ଦ୍ର ନାୟକ ସମେତ ରାଇରଙ୍ଗପୁର ବନଖଣ୍ଡର କର୍ମଚାରୀ ପ୍ରମୁଖ ଟ୍ରାକିଂ କରି ଏକ ସ୍ୱତନ୍ତ୍ର ଟିମ ସହିତ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ।