ବିପଦରେ କଲରାପତରିଆ : ୫ ମାସରେ ୪ ମୃତ, ୭ ଚମଡ଼ା ଜବତ, ଦେଶରେ ମଲେଣି ୨୩୦ କଲରାପତରିଆ

ଭୁବନେଶ୍ବର : କଲରାପତରିଆଙ୍କ ଉପରେ ପଡ଼ିଛି ଶିକାରୀଙ୍କ ‌ଲୋଲୁପ ଦୃଷ୍ଟି। ଓଡ଼ିଶା ସମେତ ଦେଶରେ ଏହି ପ୍ରଜାତିର ବାଘଙ୍କ ମୃତ୍ୟୁ ଏବେ ଚିନ୍ତାର ବିଷୟ ପାଲଟିଛି। ୨୦୧୮ରେ ସାରା ଦେଶରେ ପ୍ରାୟ ୫୦୦ କଲରାପତରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ସ୍ଥିତି ଅଧିକ ସଙ୍ଗିନ ହୋଇଛି। ୨୦୧୯ ଜାନୁଆରିରୁ ମେ’ ମାସ ମଧ୍ୟରେ ଦେଶରେ ୨୩୦ରୁ ଅଧିକ କଲରାପତରିଆଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ୫ଟି କଲରାପତରିଆଙ୍କ ମୃତ୍ୟୁ ଘଟିଛି। ୭ରୁ ଅଧିକ କଲରାପତରିଆ ବାଘ ଚମଡ଼ା ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି। ଯେଉଁଥିରୁ ଅନୁମାନ କରାଯାଉଛି କି ଗତ ୫ ମାସ ମଧ୍ୟରେ ଓଡ଼ିଶାରେ ୧୦ରୁ ଅଧିକ କଲରାପତରିଆଙ୍କ ମୃତ୍ୟୁ ହୋଇସାରିଛି।

ଜଙ୍ଗଲ ଓ ପରିବେଶ ବିଭାଗ ତଥ୍ୟ ଦେଖିଲେ ୨୦୦୪ ଗଣନା ଅନୁଯାୟୀ, ରାଜ୍ୟରେ ୪୮୭ଟି କଲରାପତରିଆ ଥିଲେ। ୨୦୧୫ ଗଣନା ବେଳକୁ ଏହି ପ୍ରଜାତିର ବାଘଙ୍କ ସଂଖ୍ୟା ୩୪୫କୁ ଖସି ଆସିଥିଲା। ୨୦୧୬ରେ ସଂଖ୍ୟା ୩୧୮କୁ ଖସି ଆସିଥିଲା। ୧୨ ବର୍ଷରେ ୧୬୯ଟି କଲରାପତରିଆଙ୍କ ମୃତ୍ୟୁ ବନ ବିଭାଗ ଚିନ୍ତା ବଢ଼ାଇଛି। ତେବେ ୨୦୧୮ ବାଘ ଗଣନା ‌ରିପୋର୍ଟ ଏପର୍ଯ୍ୟନ୍ତ ପ୍ରକାଶ ପାଇ ନହିଁ। ଆସନ୍ତା ମାସେ କିମ୍ବା ଦୁଇ ମାସ ମଧ୍ୟରେ ବାଘ ରିପୋର୍ଟ ଆସିବ। ସେତେବେଳକୁ ସଂଖ୍ୟା ଆହୁରି କମିଥିବ ‌ବୋଲି ଅନୁମାନ କରାଯାଉଛି।

୨୦୧୯ ଜାନୁଆରି ୧୬ରେ ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍‌ରେ ପ୍ରଥମ କଳରାପତରିଆ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାର କିଛି ଦିନ ପରେ ଅର୍ଥାତ୍‌ ଫେବ୍ରୁଆରି ୫ରେ ବଲାଙ୍ଗୀର ଜିଲ୍ଲାର ବଡ଼ମାଳ ରେଞ୍ଜରେ ଏକ ମାଈ କଲରାପତରିଆର ଶିକାର ହୋଇଥିଲା। ସେହିପରି ଫେବ୍ରୁଆରି ଦ୍ବିତୀୟ ସପ୍ତାହରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଫରେଷ୍ଟ ରେଞ୍ଜରେ ବି ୬ ଫୁଟ୍‌ର ମାଈ ବାଘର ମୃତଦେହ ଉଦ୍ଧାର କରାଯାଇଥିଲା। ଗତ ଏପ୍ରିଲ ପ୍ରଥମ ସପ୍ତାହରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପରିସରରୁ ମଧ୍ୟ ଏକ କଳରାପତରିଆର ମୃତଦେହ ମିଳିଥିଲା। କେବଳ ଯେ କଲରାପତରିଆଙ୍କ ମୃତଦେହ ମିଳୁଛି ତାହା ନୁହେଁ। ଗତ ସାଢ଼େ ୫ ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୭ଟି କଲରାପତରିଆ ବାଘ ଚମଡ଼ା ଜବତ କରାଯାଇଛି। ୨୦୧୯ ମାର୍ଚ୍ଚ ଶେଷ ସପ୍ତାହରେ କଳାହାଣ୍ଡି ଜିଲ୍ଲାରୁ ଏକ ବାଘ ଚମଡ଼ା ଜବତ ହୋଇଥିଲା। ମାର୍ଚ୍ଚ ୧୫ରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାରୁ ବି ଏସ୍‌ଟିଏଫ୍‌ ଦ୍ବାରା ୪ଟି ବାଘ ଚମଡ଼ା ଜବତ ହୋଇଥିଲା। ମେ’ ମାସରେ ଢେଙ୍କାନାଳ ଜିଲ୍ଲାରୁ ଏକ କଳରାପତରିଆ ବାଘ ଚମଡ଼ା ଜମତ ହୋଇଛି। ଦୁଇ ଦିନ ତଳେ ଦେବଗଡ଼ ଜିଲ୍ଲାରୁ ଏକ ବାଘ ଚମଡ଼ା ମିଳିବା ପରେ ଏବେ ବି ତନାଘନା ଚାଲିଛି। ଚମଡ଼ା ଜବତ ହୋଇଥିବା ଅଞ୍ଚଳରେ ଥିବା ଜଙ୍ଗଲରୁ କଲରାପତରିଆ ହତ୍ୟା କରାଯାଇଥିବା ବିଶେଷଜ୍ଞମା‌ନେ ଅନୁମାନ କରୁଛନ୍ତି।

ପିସିସିଏଫ୍‌(ବନ୍ୟପ୍ରାଣୀ) ଅଜୟ କୁମାର ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ କଲରାପତରିଆ ବାଘ ଚମଡ଼ା ଜବତ ହେବା ପରେ ଗୁଇନ୍ଦା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ‌ଜଙ୍ଗଲରେ ସୁରକ୍ଷା ବ୍ୟବସ୍ଥା‌ ବଢ଼ାଯିବ। ଅନ୍ୟପକ୍ଷରେ ୨୦୧୮‌ରେ ପ୍ରାୟ ୫୦୦ଟି କଲରାପତରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୯ ଜାନୁଆରିରୁ ମେ’ ମାସ ମଧ୍ୟରେ ୨୩୦ଟି କଲରାପତରିଆ ବାଘଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ମରିଥିବା ବାଘଙ୍କ ମଧ୍ୟରୁ ୫୭ଟି ଶିକାର ହୋଇଛନ୍ତି। ୭୧ଟି ବାଘଙ୍କର ମୃତଦେହ ଜବତ କରାଯାଇଛି। ଟ୍ରେନ୍‌ ଓ ରାସ୍ତା ଦୁର୍ଘଟଣାରେ ୩୫, ଗ୍ରାମବାସୀଙ୍କ ଦ୍ବାରା ୧୮ଟିକୁ ହତ୍ୟା, ପରସ୍ପର ମଧ୍ୟରେ ଲଢ଼େଇ କରି ୧୪ଟି, ଅନ୍ୟ ପ୍ରାଣୀଙ୍କ ଆକ୍ରମଣରେ ୧୪ଟି ମରିଛନ୍ତି। ଆହତ ହୋଇ ଚିକିତ୍ସା ହେଉଥିବା ଅବସ୍ଥାରେ ୩, ବିଦ୍ୟୁତ୍‌ ଆଘାତରେ ୫ ଓ ବନ ବିଭାଗ ଗୁଳି ମାଡ଼ରେ ଗୋଟିଏ ବାଘ ଟଳିପଡ଼ିଥିବ ଜଣାପଡ଼ିଛି।

ସମ୍ବନ୍ଧିତ ଖବର