ଭୁବନେଶ୍ବର : ୭୫ବର୍ଷ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ଭାରତରେ ପୁଣି ଦୌଡ଼ିବ ଚିତା ବାଘ। ଘଣ୍ଟା ପ୍ରତି ୧୧୨କିମି ବେଗରେ ଦୈଡ଼ୁଥିବା ଏହି ବନ୍ୟପ୍ରାଣୀଙ୍କୁ ପୁଣିଥରେ ଭାରତୀୟ ଜଙ୍ଗଲରେ ଛାଡ଼ିବାକୁ କେନ୍ଦ୍ର ସରକାର ରୂପରେଖ ପ୍ରସ୍ତୁତ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦ. ଆଫ୍ରିକାରୁ ୬ଟି ଚିତା ଅଣାଯାଇ ମଧ୍ୟପ୍ରଦେଶର କୁନୋ ପାଲପୁର ଜାତୀୟ ଉଦ୍ୟାନରେ ଛଡ଼ାଯିବ। ଏଥିପାଇଁ ଉଦ୍ୟାନ ପରିସରରେ ସ୍ବତନ୍ତ୍ର ଏନ୍କ୍ଲୋଜର୍ ପ୍ରସ୍ତୁତ ହୋଇଛି। ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଚଳିତ ମାସରେ ଉଭୟ ଦେଶର ବିଶେଷଜ୍ଞଙ୍କୁ ନେଇ ଗଠିତ କମିଟି ସମ୍ପୃକ୍ତ ଅଞ୍ଚଳ ଗସ୍ତ କରି ଭିତ୍ତିଭୂମି ଯାଞ୍ଚ କରିବେ। ଯଦି ସବୁ ଠିକ୍ଠାକ୍ ଚାଲେ, ଅଗଷ୍ଟ ମାସରେ ଭାରତୀୟ ଜଙ୍ଗଲରେ ଚିତା ଦୌଡ଼ିବ।
ଏହି ଖବର ଜଣାପଡ଼ିବା ପରେ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଭିତରେ ଆଲୋଚନା ଚାଲିଛି ଯେ ‘ସୁନ୍ଦରୀ’କୁ ନେଇ ତିକ୍ତ ଅଭିଜ୍ଞତା ପରେ ଏବେ କ’ଣ; ନିକଟ ଭବିଷ୍ୟତରେ ଓଡ଼ିଶାରେ ଏଭଳି ପ୍ରକଳ୍ପ କରିବା ଲାଗି କେନ୍ଦ୍ର ସରକାର ଆଉ ଆଗ୍ରହ ଦେଖାଇବେ ନାହିଁ। ଏମିତିରେ ବି ଚିତା ବା ମହାବଳ ପାଇଁ ଆବଶ୍ୟକ ସୁରକ୍ଷିତ ଜଙ୍ଗଲ ସୃଷ୍ଟି କରିବାରେ ସରକାର ବିଫଳ ହୋଇଛନ୍ତି। ଅନ୍ୟଥା ଓଡ଼ିଶାରେ ଏଥିପାଇଁ ସୁଯୋଗ ସୃଷ୍ଟି କରାଯାଇପାରିଥାନ୍ତା। ସରକାର ଜଙ୍ଗଲ ବୃଦ୍ଧି ହୋଇଥିବା ଦାବି କରୁଥିଲେ ହେଁ ରାଜ୍ୟ ବନ ବିଭାଗ ଏବେ ସମସ୍ତଙ୍କ ମୁହଁ ପୋଡ଼ି ଦେଇଛି।
/sambad/media/post_attachments/wp-content/uploads/2018/12/Tigress-Sundari-300x169.jpg)
ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ହୋଇଥିବା ପ୍ରଥମ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପକୁ ଝଟ୍କା ଲାଗିବା ପରେ କେନ୍ଦ୍ର ନିକଟରେ କିଏ ଦାବି କରି ଆଉ ଅପଦସ୍ଥ ହେବ? ଓଡ଼ିଶାରୁ ଫେରିଥିବା ବାଘୁଣୀ ‘ସୁନ୍ଦରୀ’ ଏପର୍ଯ୍ୟନ୍ତ ଜଙ୍ଗଲୀ ସ୍ବଭାବକୁ ଫେରିପାରିନି। ଓଡ଼ିଶାରୁ ଯିବା ଦିନଠାରୁ ସେ କାହ୍ନା ଅଭୟାରଣ୍ୟରେ ଥିବା ଏନ୍କ୍ଲୋଜର ଭିତରେ ରହିଛି। ଗୋଟିଏ ବିରାଟ ରଣନୀତିକୁ ବିଫଳ କରିଦିଆଗଲା। ସବୁଠାରୁ ବଡ଼ କଥା ହେଉଛି, ଏହି ଘଟଣା ପାଇଁ ରାଜ୍ୟ ସରକାର କାହାକୁ ଦାୟୀ କଲେନି କି କାର୍ଯ୍ୟାନୁଷ୍ଠାନ ନେଲେନାହିଁ।
ଉଲ୍ଲେଖଥାଉକି, କେନ୍ଦ୍ର ସରକାର ପ୍ରଥମଥର ପାଇଁ ଅନ୍ତଃଦେଶୀୟ ବାଘ ସ୍ଥାନାନ୍ତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ହେଲା ଏହି ଯୋଜନା କାର୍ଯ୍ୟକାରୀ କରିବା ଲାଗି ଚିନ୍ତନ ଚାଲିଥିଲେ ହେଁ ସଫଳତା ମିଳିପାରି ନଥିଲା। ଓଲଟା ୨୦୧୨ରେ ସୁପ୍ରିମ୍କୋର୍ଟ ଏହା ଉପରେ ରୋକ୍ ଲଗାଇଥିଲେ। ୨୦୨୦ରେ କୋର୍ଟ ରହିତାଦେଶ ଉଠାଇବା ପରେ ଦକ୍ଷିଣ ଆଫ୍ରିକାରୁ ଚିତା ଆଣିବାକୁ ଯୋଜନା ଆଉ ପାଦେ ଆଗକୁ ବଢ଼ିଛି। ଆସିବାକୁ ଥିବା ଚିତାକୁ ଗୋଟିଏ ବର୍ଷ ଲାଗି ପରୀକ୍ଷାମୂଳକ ଭାବେ ରଖାଯାଇ ପରବର୍ତୀ ସମୟରେ ଜଙ୍ଗଲକୁ ଛଡ଼ାଯିବ। ଯଦି ଏହି ପ୍ରକଳ୍ପ ସଫଳ ହୁଏ ତେବେ ପରବର୍ତୀ ସମୟରେ ଆହୁରି ଚିତା ଆଣିବାକୁ କେନ୍ଦ୍ର ସରକାର ବିଚାର କରିଛନ୍ତି। ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ଗାଇଡ୍ଲାଇନ୍ ପ୍ରସ୍ତୁତ କରାଯାଉଛି।
LifeGate୧୯୫୨ରେ ଭାରତରେ ବିଲୁପ୍ତ ବୋଲି ଘୋଷଣା ହୋଇଥିବା ଚିତା ନିଜର ଶିକାର ଧରିବାକୁ ଘଣ୍ଟା ପ୍ରତି ୭୦ରୁ ୧୧୨ କିମି ବେଗରେ ଦୌଡ଼ିପାରେ। ଖୁବ୍ କମ୍ ସମୟ ମଧ୍ୟରେ ନିଜର ସ୍ଥାନ ପରିବର୍ତନ କରିବାର କ୍ଷମତା ଏହି ବିରଳ ପ୍ରାଣୀର ରହିଛି। ବିଶ୍ବରେ ଏବେ ମାତ୍ର ୭୧୦୦ ଚିତା ରହିଛନ୍ତି। ଦ. ଆଫ୍ରିକା, ନାମ୍ବିଆ, ବୋତୋସ୍ବାନା ପରି ଦେଶରେ ଏମାନେ ମୁଖ୍ୟତଃ ସ୍ଥିତି ଜାହିର କରିଛନ୍ତି। ଆଉ କିଛି ଦେଶରେ କାଁ ଭାଁ ଦେଖିବାକୁ ମିଳୁଛନ୍ତି। ଦିନ ଥିଲା, ଚିତାମାନଙ୍କ ବାସସ୍ଥାନ ପାଲଟିଥିଲା ଭାରତ। ମୋଗଲ ସମ୍ରାଟ ଆକବରଙ୍କ ସମୟରେ ଦେଶରେ ପାଖାପାଖି ୧୦ ହଜାର ଚିତା ରହୁଥିବା ଇତିହାସ ପୃଷ୍ଠା ଅନୁଧ୍ୟାନ କଲେ ଜଣାପଡ଼େ। କାଳକ୍ରମେ ସହରୀ ସଭ୍ୟତାର ବିକାଶ, ଚିତାଙ୍କ ବାସସ୍ଥଳୀ ନଷ୍ଟ, ଘଞ୍ଚ ଜଙ୍ଗଲ କ୍ଷୟ, ଜଙ୍ଗଲ ଭିତରକୁ ଜନବସତି ମାଡ଼ିଯିବା ଦ୍ବାରା ସେମାନଙ୍କ ସଂଖ୍ୟା ବି କମିଯାଇ ବିଲୁପ୍ତ ବନ୍ୟଜନ୍ତୁରେ ପରିଣତ ହୋଇଛନ୍ତି।
ତେବେ ଭାରତରେ ଚିତାଙ୍କ ବଂଶବୃଦ୍ଧି ନେଇ ଅନେକ ବିଶେଷଜ୍ଞ ଆଶଙ୍କା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା, ଚିତା ପାଇଁ ଆବଶ୍ୟକ ଭିତ୍ତିଭୂମି କରିବାକୁ ପଡ଼ିବ। ଘଞ୍ଚ ଜଙ୍ଗଲ ସାଙ୍ଗକୁ ସବୁଜ ଭୂମି, ପାହାଡ଼ ପର୍ବତ ଭଳି ପ୍ରାକୃତିକ ପରିବେଶ ଦରକାର। ଚିତାର ଚଳପ୍ରଚଳ ଲାଗି ଅତି କମ୍ରେ ୧୦ ହଜାର ବର୍ଗ କିମିର ଅଞ୍ଚଳ ଆବଶ୍ୟକ। ଏତେ ଅଞ୍ଚଳ ଯୋଗାଇଦେବା ସରକାରଙ୍କ ଲାଗି ବଡ଼ ଚାଲେଞ୍ଜ ହେବ। ତଥାପି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଗୁଜରାଟରେ ଥିବା କିଛି ଅଞ୍ଚଳ ଚିତାଙ୍କ ବଂଶବୃଦ୍ଧିରେ ସହାୟକ ହୋଇପାରେ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡ଼ିବ। ନହେଲେ ଅନ୍ତଃରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ପରି ଅନ୍ତଃଦେଶୀୟ ପ୍ରକଳ୍ପ ଫେଲ୍ ମାରିବ। ତେବେ ପୂର୍ବ ଅଫ୍ରିକାରେ ଚିତା ସ୍ଥାନାନ୍ତର ସଫଳ ହୋଇଛି। ମାଲାୱି ୪ଟି ଚିତାଙ୍କୁ ୨୦୧୭ରେ ନେଇ ବଂଶ ବୃଦ୍ଧି ଦିଗରେ ପଦକ୍ଷେପ ନେଇଥିଲା। ଏବେ ସେଠାରେ ୨୪ରୁ ଅଧିକ ଚିତା ରହିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/chita-2.jpg)