ସ୍ଥାଣୁ ହୋଇଗଲାଣି ହିନ୍ଦ୍‌ କୁଷ୍ଠ ନିବାରଣ ସଂଘ
ଦୀର୍ଘବର୍ଷ ଧରି ଜବରଦଖଲରେ ସଂଘର ମୁଖ୍ୟ କାର୍ଯ୍ୟାଳୟ ଜାଗା

Advertisment

ଭୁବନେଶ୍ୱର : ରାଜ୍ୟକୁ କୁଷ୍ଠମୁକ୍ତ ଘୋଷଣା କରାଯିବାର ଦଶନ୍ଧି ପରେ ମଧ୍ୟ ରାଜ୍ୟରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରତିବର୍ଷ ରାଜ୍ୟରେ ୧୦ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କୁଷ୍ଠ ନିରାକରଣ ଯୋଜନାରେ ବ୍ୟାପକ ଜାଲିଆତି ଓ ଦୁର୍ନୀତି ଯୋଗୁଁ ଯୋଜନା ଏକପ୍ରକାର ବାଟବଣା ହୋଇଗଲାଣି। ଏହାସହ କର୍ମଚାରୀଙ୍କ ଅଭାବ ଯୋଗୁଁ ଚିହ୍ନଟ ପ୍ରକ୍ରିୟା ବାଧା ଉପୁଜୁଥିବା ବେଳେ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେଲେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ରାଜ୍ୟରେ କୁଷ୍ଠ ରୋଗୀ ଯୋଗୁଁ ଭିନ୍ନକ୍ଷମ ହୋଇଯାଇଥିବା ଲୋକଙ୍କ ଥଇଥାନ ଯୋଜନା ମଧ୍ୟ ଫେଲ୍‌ ମାରିଛି। କୁଷ୍ଠରୁ ମୁକ୍ତ ହେବା ପରେ କେତେ ରୋଗୀଙ୍କୁ ଥଇଥାନ କରାଯାଇଛି ତାହାର କିଛି ନିର୍ଦ୍ଦିଷ୍ଟ ତଥ୍ୟ କାହା ପାଖରେ ନାହିଁ। ମନଇଚ୍ଛା କୁଷ୍ଠାଶ୍ରମକୁ ବନ୍ଦ କରି ଦିଆଯିବା ଫଳରେ ଥଇଥାନ ଅଭାବରୁ ରାଜ୍ୟବ୍ୟାପୀ କୁଷ୍ଠ କଲୋନି ଗଢ଼ି ଉଠିଛି ଓ ରୋଗୀମାନେ ବାହାରେ ବୁଲି ବୁଲି ଭିକ୍ଷା ମାଗୁଛନ୍ତି। ରାଜ୍ୟରେ ୩ଲକ୍ଷରୁ ଅଧିକ ବିକଳାଙ୍ଗ ରହିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୦୬ ମସିହାରେ ଓଡ଼ିଶାକୁ କୁଷ୍ଠମୁକ୍ତ ବୋଲି ଘୋଷଣା କରାଯାଇଥିଲା। ତୃଣମୂଳସ୍ତରକୁ ହିସାବକୁ ନ ନେଇ କିଛି ସରକାରୀ ବାବୁଙ୍କ ପ୍ରରୋଚନାରେ ରାଜ୍ୟ ସରକାର କାଗଜପତ୍ରରେ କୁଷ୍ଠମୁକ୍ତ ବୋଲି ଘୋଷଣା କରିଥିଲେ। ତେବେ କୁଷ୍ଠମୁକ୍ତ ଘୋଷଣା ହେବା ପରେ ମଧ୍ୟ ରାଜ୍ୟରେ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଏପରିକି ପ୍ରତିବର୍ଷ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି।

୧୯୮୩/୮୪ ମସିହାରୁ ରାଜ୍ୟରେ ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ବା ଏନ୍‌ଇଏଲ୍‌ପି କାର୍ଯ୍ୟ କରୁଛି। ଗତ ୫ବର୍ଷର ରାଜ୍ୟର ପରିସଂଖ୍ୟାନକୁ ହିସାବକୁ ନେଲେ ରାଜ୍ୟ କୁଷ୍ଠ ରୋଗ ଡରାଇବା ଆରମ୍ଭ କଲାଣି। ୨୦୧୨/୧୩ରେ ରାଜ୍ୟରେ ୮୨୨୬ କୁଷ୍ଠ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୧୩/୧୪ରେ ୧୦,୬୪୫, ୨୦୧୪/୧୫ରେ ୮୦୦୪, ୨୦୧୫/୧୬ରେ ୧୦,୧୭୪ ଓ ୨୦୧୬/୧୭ରେ ୧୦,୦୪୫ କୁଷ୍ଠ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ୧୦ହଜାର ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୧ରୁ କମ୍‌ ରହିଲେ ସେ ରାଜ୍ୟ କୁଷ୍ଠମୁକ୍ତ ବୋଲି ଘୋଷଣା କରାଯାଇଥାଏ। ତେବେ ୨୦୧୩/୧୪ରେ ଏହା ୧.୪୭ ରହିଥିବା ବେଳେ ୨୦୧୪/୧୫ରେ ୧.୨୩, ୨୦୧୫/୧୬ରେ ୧.୩୫ ଓ ୨୦୧୬/୧୭ରେ ୧.୧୯ ରହିଛି।

ରାଜ୍ୟରେ କୁଷ୍ଠ ରୋଗୀଙ୍କ ପାଇଁ ପାରା ମେଡିକାଲ କର୍ମଚାରୀଙ୍କ ଯଥେଷ୍ଟ ଅଭାବ ରହିଛି। ୨୦୦୨ ମସିହାରେ ଏହାକୁ ମନଇଚ୍ଛା ଉଚ୍ଛେଦ କରିଦିଆଗଲା। ପୂର୍ବରୁ ଏଥିପାଇଁ ୧୨୫୦ ପଦବି ରହିଥିବା ବେଳେ ଏହାକୁ ୪୦୪କୁ ଖସାଇ ଦିଆଯାଇଥିଲା। ୨୦୧୪ ମସିହାରେ ଏଥିରେ ୩୯୧ ପଦବି ଖାଲି ଥିବା ଦର୍ଶାଯାଇଥିଲା। ଖାଲି ପଡ଼ିଥିବା ତାଲିମପ୍ରାପ୍ତ ପଦବି ପୂରଣ କରିବା ପାଇଁ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିଲା। ମାତ୍ର ତାହା ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ। ଏହାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୪/୧୫ ବର୍ଷରେ ଜିଲ୍ଲା କୁଷ୍ଠ ପରାମର୍ଶଦାତା ପାଇଁ ୨୨ଟି ଓ ୧୮୪ଟି ପାରା ମେଡିକାଲ ପଦବି ପାଇଁ ମଧ୍ୟ ଚିଠି ଲେଖିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଫଳରେ କୁଷ୍ଠ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ଆଶା ଓ ଅନ୍ୟମାନଙ୍କ ଉପରେ ଲଦି ଦିଆଯାଇଛି।

ଅପରପକ୍ଷରେ କୁଷ୍ଠ ରୋଗୀଙ୍କ ଥଇଥାନ ପାଇଁ କାମ କରୁଛି ହିନ୍ଦ୍‌ କୁଷ୍ଠ ନିବାରଣ ସଂଘ। ଏହା ହେଉଛି ଏକ ଜାତୀୟସ୍ତରୀୟ ଅନୁଷ୍ଠାନ। ୧୯୨୦ ମସିହାରୁ ଏହା ମିସନାରିଙ୍କ ଅଧୀନରେ କାର୍ଯ୍ୟ କରୁଥିବା ବେଳେ ୧୯୫୪ ମସିହାରେ ବିଧିବଦ୍ଧ ଭାବେ ରାଜ୍ୟରେ କାର୍ଯ୍ୟ କରୁଛି। ରାଜ୍ୟପାଳ ଏହାର ସଭାପତି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଉପ-ସଭାପତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିଛନ୍ତି। ହିନ୍ଦ୍‌ କୁଷ୍ଠ ନିବାରଣ ସଂଘ ଅଧୀନରେ କଟକସ୍ଥିତ ଲେପ୍ରୋସି ହୋମ୍‌ ଏଣ୍ଡ ହସ୍ପିଟାଲ, ବାଲେଶ୍ୱରରେ ଲୁଇସ୍‌ ଲେପ୍ରୋସି କଲୋନି, ଗଜପତିର ପାରଳାଖେମୁଣ୍ଡି ଓ ସମ୍ବଲପୁର ହାତୀବଡ଼ି ହେଲ୍‌ଥ ହୋମ୍‌ ରହିଛି। ପୂର୍ବରୁ ସଂଘ ଅଧୀନରେ ୧୦ଟି କୁଷ୍ଠାଶ୍ରମ ରହିଥିବା ବେଳେ ଏବେ ଏହା ୫କୁ ଖସି ଆସିଛି। ସେହିପରି କୁଷ୍ଠ ରୋଗୀଙ୍କ ପିଲାଙ୍କ ପାଇଁ ପୂର୍ବରୁ ୧୨ଟି ଆଶ୍ରମ ଥିବା ବେଳେ ସବୁ ବନ୍ଦ ହୋଇଯାଇଛି।

ସଂଘରୁ ମିଳିଥିବା ସୂଚନା ଅନୁଯାୟୀ, କଟକରେ ୨୦୫, ସମ୍ବଲପୁରରେ ୫୬, ପାରଳାଖେମୁଣ୍ଡିରେ ୧୫ ଓ ବାଲେଶ୍ୱରରେ ୩୩ଜଣ କୁଷ୍ଠ ରୋଗୀ ରହୁଛନ୍ତି। ସଂଘକୁ ରାଜ୍ୟ ମହିଳା ଓ ଶିଶୁ ବିକାଶ ଓ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବା ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଉଛି। ୨୦୧୫/୧୬ରେ ସଂଘକୁ ୧କୋଟି ୫୫ଲକ୍ଷ ଟଙ୍କା ମିଳିଥିବା ବେଳେ ୨୦୧୬/୧୭ରେ ଏହା ବୃଦ୍ଧି ପାଇ ୧କୋଟି ୭୨ଲକ୍ଷରେ ପହଞ୍ଚିଛି। ଏହାସହ ଏସ୍‌ଏସ୍‌ଇପିଡି ବିଭାଗ ପକ୍ଷରୁ ୨୯ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସଂଘକୁ ମିଳିଛି। ଏଥିରେ କୁଷ୍ଠାଶ୍ରମରେ ରହୁଥିବା ଖାଦ୍ୟ, ଲୁଗାପଟା, ବିଦ୍ୟୁତ୍‌, ପାଣି ବିଲ୍‌ ଓ କର୍ମଚାରୀଙ୍କ ଦରମା ଦିଆଯାଉଛି। ନିମ୍ନ ମାନର ଖାଦ୍ୟ ଓ ଉପଯୁକ୍ତ ଚିକିତ୍ସାର ଅଭାବ ଯୋଗୁଁ କୁଷ୍ଠାଶ୍ରମରେ କୁଷ୍ଠ ରୋଗୀ ରହିବାକୁ ପସନ୍ଦ କରୁ ନାହାନ୍ତି। ଫଳରେ ରାଜ୍ୟରେ କୁଷ୍ଠ କଲୋନି ଗଢ଼ି ଉଠିଛି। ୭୮ଟି କୁଷ୍ଠ କଲୋନିରେ ୧୨ହଜାର ୫୮୩ଜଣ ଲୋକ ରହୁଛନ୍ତି।

ସଂଘର ଏକ ମୁଖ୍ୟ କାର୍ଯ୍ୟାଳୟ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୟୁନିଟ୍‌ -୯ ଅଞ୍ଚଳରେ ୫୨୮୦ ବର୍ଗଫୁଟ ପରିମିତ ଜାଗା ଯୋଗାଇ ଦିଆଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୪ ମସିହା ଜାନୁଆରି ମାସରେ ଏହାର ଶିଳାନ୍ୟାସ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧ଲକ୍ଷ ଟଙ୍କା ମଧ୍ୟ ସଂଘକୁ ଦିଆଯାଇଥିଲା। ସେଠାରେ ସଂଘର କାର୍ଯ୍ୟାଳୟ ସହିତ ଏକ କନଫରେନ୍‌ସ ହଲ ନିର୍ମାଣ ପାଇଁ ଯୋଜନା ରହିଥିଲା। ମାତ୍ର ଦୁଇ ଦଶନ୍ଧି ପରେ ମଧ୍ୟ ଏହାର କାର୍ଯ୍ୟାଳୟ ନିର୍ମାଣ ତ ଦୂର କଥା ଜାଗା ଜବରଦଖଲକୁ ଚାଲି ଯାଇଛି। ସଂଘକୁ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ମଧ୍ୟରେ ଥଇଥାନ କରାଯାଇଛି। କୁଷ୍ଠ ରୋଗୀଙ୍କ ପାଇଁ କାମ କରୁଥିବା ସଂଘର କୌଣସି ବୋର୍ଡ ନ ଥିବାରୁ କୁଷ୍ଠ ରୋଗୀଙ୍କୁ ମଧ୍ୟ ଏ ସଂପର୍କରେ କିଛି ଜଣା ନାହିଁ।

ସଂଘର ଅବୈତନିତକ ସଂପାଦକ ଡା.ବିଜୟ କୁମାର ସ୍ୱାଇଁ କହିଛନ୍ତି, ସଂଘର ଜାଗାରୁ ଜବରଦଖଲ ହଟାଇବା ପାଇଁ ବିଡିଏ ଓ ତହସିଲଦାରଙ୍କୁ ୨ମାସ ତଳେ ଚିଠି ଦିଆଯାଇଛି। ମାତ୍ର ଏ ପର୍ଯ୍ୟନ୍ତ ଜବରଦଖଲ ହଟଇବା ପାଇଁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ସେ କହିଛନ୍ତି।