କଟକ: ରାଜ୍ୟରେ ବିଗତ ଦୁଇ ଦଶନ୍ଧି ମଧ୍ୟରେ ନୂତନ କୁଷ୍ଠ ରୋଗୀ ଚିହ୍ନଟ ସଂଖ୍ୟା ହ୍ରାସ ପାଇଛି। ଏହି ସଂଖ୍ୟା ପ୍ରାୟ ୮୯ ପ୍ରତିଶତ ହ୍ରାସ ପାଇଛି। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ତରଫରୁ ଉପସ୍ଥାପନ କରାଯାଇଥିବା ନଭେମ୍ବର ୨୩ର କୁଷ୍ଠ ନିରାକରଣ ସଂକ୍ରାନ୍ତୀୟ ମନିଟରିଂ କମିଟି ‌ବୈଠକର ବିବରଣୀରୁ ଏଭଳି ତଥ୍ୟ ସାମନାକୁ ଆସିଛି। ନଭେମ୍ବର ୨୩ରେ ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୧୯୯୯-୨୦୦୦ରେ ୬୫୨୦୫ ନୂତନ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ସେହିଭଳି ଭାବେ ୨୦୧୯-୨୦ରେ ୧୦୦୭୭, ୨୦୨୦-୨୧ରେ ୬୧୪୮, ୨୦୨୧-୨୨ରେ ୫୭୨୯ ଓ ୨୦୨୨-୨୩ରେ ୭୧୯୭ ଓ ୨୦୨୩-୨୪ ବର୍ଷର ଅକ୍ଟୋବର ଶେଷ ସୁଦ୍ଧା ୪୨୯୭ ନୂତନ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିଲା। ଗତ ଦୁଇ ଦଶନ୍ଧିରେ ଶିଶୁମାନଙ୍କ ମଧ୍ୟରେ ଏହି ରୋଗ ଚିହ୍ନଟ ସଂଖ୍ୟା ୮୪ ପ୍ରତିଶତ କମିଛି।

Advertisment

୧୯୯୯-୨୦୦୦ରେ ନୂତନ କୁଷ୍ଠ ରୋଗୀଙ୍କ ମଧ୍ୟରେ ୧୧୩୫୩ ଶିଶୁ ଥିବା ବେଳେ ୨୦୨୩-୨୪ ବର୍ଷ‌ (୨୩ ଅକ୍ଟୋବର ସୁଦ୍ଧା) ଏହା ୨୩୩ରେ ସୀମିତ ରହିଛି। ଗ୍ରେଡ-୨ ଭିନ୍ନକ୍ଷମ ସଂଖ୍ୟା ୯୭ ପ୍ରତିଶତ କମିଛି। ୧୩୪୯ଟି ମେଡିକାଲ ଟିମ ଚଳିତ ୨୦୨୨-୨୩ ବର୍ଷରେ ବିଭିନ୍ନ କୁଷ୍ଠ କଲୋନି ପରିଦର୍ଶନ କରିଛନ୍ତି। ୮୦୯୨ଟି ମାଇକ୍ରୋ ସେଲୁଲାର ‌ରବର (ଏମସିଆର) ଜୋତା କୁଷ୍ଠ ଆକ୍ରାନ୍ତ ଓ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କୁ ମାଗଣାରେ ପ୍ରଦାନ କରାଯାଇଛି। ବୈଠକରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ କୁଷ୍ଠ ଆକ୍ରାନ୍ତ ଓ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଥିବା ବିଭିନ୍ନ ସାମାଜିକ କଲ୍ୟାଣକାରୀ ଯୋଜନା ସଂପର୍କରେ ତଥ୍ୟ ଉପସ୍ଥାପନ କରିଥ‌ିଲେ। ଏହି ରିପୋର୍ଟର କପି ତିନି ଆମିକସକ୍ୟୁରିଙ୍କୁ ପ୍ରଦାନ କରାଯାଇଛି। ଏହି ପ୍ରସଂଗରେ ପରବର୍ତ୍ତୀ ଶୁଣାଣି ସମୟରେ ଆମିକସ୍ କ୍ୟୁରି ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ବିଦ୍ୟୁତ ରଂଜନ ଷଡ଼ଙ୍ଗୀ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନ ବିହାରୀ ପ୍ରଧାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ଆମିକସକ୍ୟୁରି ବରିଷ୍ଠ ଆଇନଜୀବୀ ଗୌତମ ମିଶ୍ର, ପମି ରଥ ଓ ବିଭୁପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।