ପୁରୁଣା ଭୁବନେଶ୍ବର: ନା ହୋଇଛି ବଡ଼ ବର୍ଷା ନା ହେଇଛି ଝଡ଼ ବତାସ। ନା ବିଦ୍ୟୁତ୍ ବିଲ୍ ବାକି ଅଛି ନା ବିଦ୍ୟୁତ୍ ସଂଯୋଗରେ କୌଣସି ତ୍ରୁଟି ରହିଛି। କିନ୍ତୁ ବନ୍ଦ ହୋଇଯାଇଛି ବିନ୍ଦୁସାଗର ମ୍ୟୁଜିକାଲ୍ ଫାଉଣ୍ଟେନ୍ ଓ ଲେଜର୍ ସୋ’। କୌଣସି ସୂଚନା ନଥାଇ ହଠାତ୍ ଏହି ଆକର୍ଷଣୀୟ ସୋ’ ବନ୍ଦ ହୋଇଯାଇଥିବାରୁ ପର୍ଯ୍ୟଟକମାନେ ନିରାଶ ହୋଇ ଫେରିଛନ୍ତି। ରାଜ୍ୟ ବାହାର ପର୍ଯ୍ୟଟକମାନେ ବେଶି ମନଦୁଃଖରେ ଫେରିଛନ୍ତି। କେବଳ ଏହି ସୋ’ ନୁହେଁ, ବିନ୍ଦୁସାଗର ଚାରିପଟେ ଲାଗିଥିବା ଲାଇଟ୍ ଜଳୁନଥିବା ବେଳେ ଜଗତି ମଧ୍ୟ ଅନ୍ଧାରରେ ରହିଛି।
୨୦୨୨ ଡିସେମ୍ବରରେ ଏମିତି ଏହି ସୋ’ ବନ୍ଦ ହୋଇଯାଇଥିଲା। ସେତେବେଳେ ପର୍ଯ୍ୟଟନ ଋତୁରେ ପ୍ରାୟ ୨ ମାସ ଧରି ଏହି ସୋ’ ବନ୍ଦ ରହିଥିଲା। ଏବେ ପୁଣିଥରେ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। କେତେଦିନ ଧରି ଏହି ସୋ’ ବନ୍ଦ ରହିବ, ତା’ର ନିଶ୍ଚିତତା ନାହିଁ। ଆଜି ବଙ୍ଗୀୟ ପର୍ଯ୍ୟଟକ ପପୁ ଦାସ କହିଛନ୍ତି ଯେ ୨୦୧୯ରେ ସେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସିଥିବା ବେଳେ ବିନ୍ଦୁସାଗରର ରଙ୍ଗିନ୍ ଜଳ ଫୁଆର ଓ ଲେଜର୍ ସୋ’ ଦେଖିଥିଲେ। ଶିବଙ୍କ ତାଣ୍ଡବ ନୃତ୍ୟ ତାଙ୍କ ମନକୁ ବେଶ୍ ଛୁଇଁଥିଲା। ତାଙ୍କଠାରୁ ଏହା ଶୁଣିବା ପରେ ସାଙ୍ଗସାଥୀମାନେ ଏହି ମନୋରମ ଦୃଶ୍ୟ ଦେଖିବାକୁ ମନ ବଳାଇଥିଲେ ଏବଂ ଆଜି ଏକାଠି ଆସିଥିଲୁ। କିନ୍ତୁ ଏଠି ପହଞ୍ଚିବା ପରେ ସୋ’ ବନ୍ଦ ବୋଲି ଜାଣିଲୁ। ସନ୍ଧ୍ୟାରେ ଏହି ସୋ’ ଦେଖି ଆଜି ରାତିରେ କୋଲକାତା ଫେରିବାର ଥିଲା। ମାତ୍ର ଏବେ କ’ଣ କରିବୁ, ସ୍ଥିର କରିପାରୁନାହୁଁ। ଭାବୁଛୁ, ଖର୍ଚ୍ଚାନ୍ତ ହେଉ ପଛେ ଆଜି ରାତିକ ଏଠାରେ ରହିବୁ ଏବଂ ଆସନ୍ତାକାଲି ସନ୍ଧ୍ୟାରେ ସୋ’ ଦେଖିବୁ। ସେହିଭଳି ବିଶାଖାପାଟଣାରୁ ଆସିଥିବା ସର୍ଜିତ ପାଲ୍ ଓ ତାଙ୍କ ପରିବାରବର୍ଗ ବି ଅନୁରୂପଭାବେ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ଟିପିସିଓଡିଏଲ୍ ଯନ୍ତ୍ରୀ କହିଛନ୍ତି ଯେ ବିଦ୍ୟୁତ୍ ବିଲ୍ ବାକି ନାହିଁ କି ବିଦ୍ୟୁତ୍ ସଂଯୋଗ କଟାଯାଇନାହିଁ। ତେବେ ପର୍ଯ୍ୟଟନ ବିଭାଗ ଅଧିକାରୀ ଅଞ୍ଜନ ବାରିକ କହିଛନ୍ତି ଯେ ହଠାତ୍ ଯାନ୍ତ୍ରିକ ସମସ୍ୟା ଯୋଗୁ ଆଜି ସୋ’ ବନ୍ଦ କରାଯାଇଛି। ମରାମତି କାମ ଆରମ୍ଭ କରାଯାଇଛି ଏବଂ ଆସନ୍ତାକାଲି ସୋ’ ହେବ ବୋଲି ଆଶା କରାଯାଉଛି।