କେନ୍ଦୁଝର ଜିଲ୍ଲାରେ ୧୬୫ ଡାକ୍ତର ପଦବି ଖାଲି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେଉଛି। ଡାକ୍ତରଖାନାରେ ଡାକ୍ତର ନଥିବାରୁ ଗ୍ରାମାଞ୍ଚଳର ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ବାଧ୍ୟ ହୋଇ ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ର୍ନିଭର କରି ଅକାଳରେ ପ୍ରାଣ ହରାଉଛନ୍ତି। କେନ୍ଦୁଝର ଜିଲ୍ଲାରେ ୧୩ଟି ବ୍ଲକ୍‌ ରହିଛି। ଲୋକସଂଖ୍ୟା ପ୍ରାୟ ୨୦ ଲକ୍ଷ। ଜିଲ୍ଲାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୩୬୩ଜଣ ଡାକ୍ତର ଆବଶ୍ୟକ। କିନ୍ତୁ ବର୍ତ୍ତମାନ ମାତ୍ର ୧୯୮ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି। ସେଥିରୁ ୪୮ଜଣ ଡାକ୍ତରଙ୍କୁ ଡିଏମ୍‌ଏଫ୍‌ରୁ ନିଯୁକ୍ତି ଦିଆଯାଇଛି। ସରକାରଙ୍କପକ୍ଷରୁ ଜିଲ୍ଲାରେ ମାତ୍ର ୧୫୦ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଆହୁରି ୧୬୫ଟି ଡାକ୍ତର ପଦବି ଖାଲିପଡ଼ିଛି। ବହୁ ବିଶେଷଜ୍ଞ ପଦବି ଖାଲି ପଡ଼ିଥିବାରୁ ସାମାନ୍ୟ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ନଚେତ କଟକ ସ୍ଥାନାନ୍ତର କରାଯାଉଛି।

SambadEnglish

କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୭ଟି ଡାକ୍ତର ପଦବି ଥିବାବେଳେ ୩୩ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଏସ୍‌ଏନ୍‌ସିୟୁରେ ୪ଟି ଡାକ୍ତର ପଦବି ଖାଲିପଡ଼ିଛି। ଦୁଇଜଣ ଡାକ୍ତର ଏଠାରେ କାର୍ଯ୍ୟ କରୁଛନ୍ତି। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫାଷ୍ଟ ରେଫରାଲ ୟୁନିଟ୍‌ରେ ୧୦ଟି ଡାକ୍ତର ପଦବି ଖାଲି ପଡ଼ିଛି। ଜେଲ୍‌ ମେଡିକାଲ ଅଫିସର ପଦବି ଖାଲି ଥିବାବେଳେ ଏଠାରେ କୌଣସି ଡାକ୍ତର ନାହାନ୍ତି। ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ୧୮ଟି ଡାକ୍ତର ପଦବି ରହିଛି। ଏଠାରେ ୧୪ଜଣ ଡାକ୍ତର ଅଛନ୍ତି। ୪ଟି ଡାକ୍ତର ପଦବି ଖାଲିପଡ଼ିଛି। ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ୧୮ଟିରୁ ୬ଟି ଡାକ୍ତର ପଦବି ଖାଲିପଡ଼ିଛି। ଏଠାରେ ୧୨ଜଣ ଡାକ୍ତର ଅଛନ୍ତି। ଶାଳଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର‌ ଓ ଏହା ଅଧୀନରେ ଥିବା ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୮ଜଣ ଡାକ୍ତରଙ୍କ ସ୍ଥାନରେ ୧୦ଜଣ ଡାକ୍ତର ଅଛନ୍ତି। ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ଜଣଙ୍କ ସ୍ଥାନରେ ମାତ୍ର ୫ ଜଣ ଡାକ୍ତର ଅଛନ୍ତି। ୧୨ଟି ଡାକ୍ତର ପଦବି ଖାଲିପଡ଼ିଛି। ଝୁମ୍ପୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୫ଜଣ ଡାକ୍ତରଙ୍କ ସ୍ଥାନରେ ୯ଜଣ ଅଛନ୍ତି। ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ଜଣଙ୍କ ସ୍ଥାନରେ ୯ଜଣ ଡାକ୍ତର ଅଛନ୍ତି।
ସେହିପରି ବାଂଶପାଳ ବ୍ଲକ୍‌ରେ ମଧ୍ୟ ଡାକ୍ତର ଅଭାବ ରହିଛି। ଏଠାରେ ଲୋକେ ଡାକ୍ତରୀ ଚିକିତ୍ସା ଅପେକ୍ଷା ଝଡ଼ାଫୁଙ୍କା, ଗୁଣିଗାରେଡ଼ି, ଚେଙ୍କ ଚିକିତ୍ସା ଉପରେ ବିଶ୍ବାସ କରିଥାନ୍ତି। ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୫ଜଣ ଅଛନ୍ତି। ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୭ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୬ଜଣ, ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ଜଣଙ୍କ ସ୍ଥାନରେ ମାତ୍ର ୪ଜଣ, ଭଗାମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଜଣଙ୍କ ସ୍ଥାନରେ ମାତ୍ର ଦୁଇଜଣ ଡାକ୍ତର ଅଛନ୍ତି। ଯୋଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦ଜଣଙ୍କ ସ୍ଥାନରେ ୭ଜଣ, ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୩ଜଣଙ୍କ ସ୍ଥାନରେ ମାତ୍ର ୪ଜଣ ଏବଂ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୋଟିଏ ମାତ୍ର ଡାକ୍ତର ପଦବି ଖାଲିପଡ଼ିଛି ।

ସମ୍ବନ୍ଧିତ ଖବର