୨୦ ବର୍ଷ ତଳ ମାମଲାର ଶୁଣାଣି : ଆବେଦନକାରୀ ମୃତ ନା ଜୀବିତ? ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ : ୨୦୦୦ ମସିହାରେ ଦାୟର ହୋଇଥିବା ପାଞ୍ଚଟି ପୃଥକ ଅପରାଧିକ ମାମଲାର ଶୁଣାଣି କରିଛନ୍ତି ହାଇକୋର୍ଟ। କିନ୍ତୁ ଏହି ମାମଲା ଦାୟର କରିଥିବା ବ୍ୟକ୍ତି ଜୀବିତ ନା ମୃତ ସେ ସଂପର୍କରେ ହାଇକୋର୍ଟ ରିପୋର୍ଟ ତଲବ କରିଛନ୍ତି।

ଜଷ୍ଟିସ୍ ଚିତ୍ତରଂଜନ ଦାଶ ଓ ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଭିଡ଼ିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ କେହି ହାଜର ହୋଇ ନଥିଲେ। ଅନ୍ୟପକ୍ଷରେ ସରକାରଙ୍କ ତରଫରୁ ଷ୍ଟାଣ୍ଡିଂ କାଉନସିଲ ଉପସ୍ଥିତ ଥିଲେ। ନିମ୍ନ ଅଦାଲତର ଦଣ୍ଡାଦେଶକୁ ଚାଲେଞ୍ଜ କରି ରଜୁ ଏହି ସବୁ ମାମଲା ୨୦୦୦ ମସିହାରେ ଦାୟର ହୋଇଥିବା ବେଳେ ପୂର୍ବରୁ ଆବେଦନକାରୀ ଜାମିନରେ ଥିବା ସ୍ପଷ୍ଟ ହୋଇଥିଲା। ଏଭଳି ପରିସ୍ଥିତିରେ ଆବେଦନକାରୀ ଏବେ ଜୀବିତ ନା ମୃତ, ସେ ନେଇ ପୁଲିସ ଆଇଜି (ପ୍ରଶାସନ) ଓ ସଂପୃକ୍ତ ଏସପିଙ୍କ ନିକଟରୁ ତଥ୍ୟ ତଲବ କରିବାକୁ ହାଇକୋର୍ଟ ରେଜିଷ୍ଟ୍ରିକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଆବେଦନକାରୀଙ୍କ ମୃତ୍ୟୁ ହୋଇ ସାରିଥିବ ତେବେ ମୃତ୍ୟୁ ପ୍ରମାଣପତ୍ର ରିପୋର୍ଟ ସହିତ ହାଇକୋର୍ଟରେ ଦାଖଲ ହେବ। ଯଦି ଆବେଦନକାରୀ ଜୀବିତ ଥିବେ ତେବେ ସେ ଏବେ କେଉଁଠି ରହୁଛନ୍ତି ଓ ତାଙ୍କ ସବିଶେଷ ଠିକଣା ପ୍ରସଂଗରେ ରିପୋର୍ଟରେ ଅବଗତ କରାଯିବ। ଏଥିସହିତ ଆବେଦନକାରୀଙ୍କ ଯଦି କିଛି ଯୋଗାଯୋଗ ନମ୍ବର ଯଥା ଟେଲିଫୋନ୍ ବା ମୋବାଇଲ ନମ୍ବର ଥିବ, ଏ ନେଇ ଅବଗତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅପିଲ ଗୁଡିକର ଶୁଣାଣି ପ୍ରସଂଗରେ ଆଉ ଅଧିକ ଆଗେଇବା ପାଇଁ ଉପରୋକ୍ତ ସୂଚନା ଆବଶ୍ୟକ ବୋଲି ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି।

ପ୍ରକାଶଥାଉକି, ଏହି ସବୁ ମାମଲା ମଧ୍ୟରୁ ଅଧିକାଂଶ ନିମ୍ନ ଅଦାଲତର ଆଜୀବନ କାରାଦଣ୍ଡାଦେଶ ରାୟକୁ ଚାଲେଞ୍ଜ କରି ରୁଜୁ ହୋଇଛି।

ସମ୍ବନ୍ଧିତ ଖବର