ଭୁବନେଶ୍ବର: ବିକଶିତ ଓଡ଼ିଶା ପାଇଁ ଯୋଜନା ପରେ ଯୋଜନା ଘୋଷଣା କରାଯାଉଛି। ଅଥଚ ନଦୀନାଳଘେରା ଆମ ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ ହୋଇ ପାରିନାହିଁ। ସରକାରୀ ତଥ୍ୟ ଅନୁଯାୟୀ ଏବେ ସୁଦ୍ଧା ୨୦ ହଜାର ୧୪୦ଟି ଗ୍ରାମକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଣ ହୋଇଛି। ରାଜ୍ୟର ୩୧୪ ବ୍ଲକ୍ର ସର୍ବମୋଟ ୫୩ ହଜାର ୮୪୫ଟି ଗ୍ରାମ ରହିଛି। ସ୍ବାଧୀନତାର ୭୮ବର୍ଷ ପରେ ମଧ୍ୟ ମାତ୍ର ୩୭.୪ ଭାଗ ଗ୍ରାମରେ ପାନୀୟ ଜଳ ପହଞ୍ଚିଛି। ଏପରିକି ସରକାରୀ କାଗଜପତ୍ରରେ ପାନୀୟଜଳ ଯୋଗାଣ ହେଉଥିବା ଅନେକ ଗ୍ରାମବାସୀଙ୍କ ନିକଟରେ ପାନୀୟଜଳ ପହଞ୍ଚିପାରୁନାହିଁ। ବର୍ଷବର୍ଷ ଧରି ବସୁଧା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ୧୦ବର୍ଷ ହେଲା ଆରମ୍ଭ ହୋଇଥିବା ବୃହତ୍ ପାନୀୟ ଜଳ ପ୍ରକଳ୍ପ ଅଧାରେ ଆଣ୍ଠେଇଛି।
୫୩,୮୪୫ଟି ଗ୍ରାମରୁ ୨୦,୧୪୦ଟିରେ ପହଞ୍ଚିଛି ଯୋଜନା
ହଜାରହଜାର ନଳକୂପ ଅଚଳ। ବିଶେଷ କରି ଆଦିବାସୀ ଅଧ୍ୟୁଷିତ ପାହାଡ଼ିଆ ଅଞ୍ଚଳରେ ପାନୀୟ ଜଳଯୋଗାଣ ପ୍ରକଳ୍ପ ଅନେକ ସମୟରେ ଅଚଳ। ବର୍ଷାଦିନରେ ଯେନତେନ ପ୍ରକାରେ ଲୋକମାନେ ବର୍ଷାଜଳ, ନଦୀନାଳ, କୂଅ ଓ ପୋଖରୀ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରି ଚଳିଯାଉଛନ୍ତି। ଅଥଚ ପ୍ରତିବର୍ଷ ଭଳି ଗ୍ରୀଷ୍ମଦିନରେ ନଦୀନାଳ ଓ ଝରଣା ଶୁଖିଯାଉଥିବାରୁ ଲୋକମାନଙ୍କ ଠାରୁ ଆରମ୍ଭ କରି ଗୃହପାଳିତ ଓ ବନ୍ୟ ପ୍ରାଣୀ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି।
ସରକାରୀ ତଥ୍ୟ ଅନୁଯାୟୀ ଶିଳ୍ପ ସମୃଦ୍ଧ ଝାରସୁଗୁଡ଼ା ଭଳି ଜିଲ୍ଲାରେ ରାଜ୍ୟର ସର୍ବନିମ୍ନ ୨୬ଟି ଗ୍ରାମକୁ ପାଇପ୍ରେ ପିଇବା ପାଣି ଯୋଗାଣ ହେଉଛି। ଅଥଚ ଏଠାରେ କୋଇଲା ଖଣି ଓ ଶିଳ୍ପାନୁଷ୍ଠାନଗୁଡ଼ିକର ବିଭିନ୍ନ ଅନୁଦାନଠାରୁ ଆରମ୍ଭ କରି କୋଟିକୋଟି ଟଙ୍କାର ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଛି।
ସେହିପରି ଦେବଗଡ଼ରେ ୪୪ଟି, ମାଲକାନଗିରିରେ ୫୬ଟି ଗାଁ ଓ ସମ୍ବଲପୁର ପରି ଜିଲ୍ଲାରେ ମାତ୍ର ୭୭ଟି ଗାଁକୁ ୨୦୨୪ ସୁଦ୍ଧା ପାଇପ୍ରେ ପିଇବା ପାଣି ଯୋଗାଣ ହେଉଥିବାର ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ସର୍ବାଧିକ ଅଞ୍ଚଳକୁ ପାଇପ୍ ଜଳଯୋଗାଣ ହେଉଥିବାର ଦର୍ଶାଯାଉଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଗଞ୍ଜାମର ୧୮୮୩ଟି, କନ୍ଧମାଳରେ ୧୮୩୩ଟି ଓ କଟକରେ ୧୭୨୯ଟି ଗ୍ରାମ ଦର୍ଶାଯାଇଛି। ଏହି ତଥ୍ୟକୁ ଭିତ୍ତି କରି ରାଜ୍ୟର ୩୦ଟି ଜିଲ୍ଲାର ମୋଟ ୨୦,୧୪୦ଟି ଗାଁକୁ ପାଇପ୍ରେ ଜଳ ଯୋଗାଣ ହେଉଥିବାର ଦର୍ଶାଯାଉଛି। ଏହି ତଥ୍ୟ ସତ୍ତ୍ବେ ୬୨.୬୦ଭାଗ ଗ୍ରାମାଞ୍ଚଳକୁ ଜଳ ଯୋଗାଣ ହୋଇପାରିନାହିଁ। ବର୍ଷବର୍ଷ ଧରି ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ଚାଲିଛି। ପାନୀୟ ଜଳଯୋଗାଣକୁ ତ୍ବରାନ୍ବିତ କରୁଥିବା ବିଭାଗଗୁଡ଼ିକର ସ୍ଥାଣୁତା ହିଁ ରାଜ୍ୟବାସୀଙ୍କର ଶୋଷ ମେଣ୍ଟାଇବାରେ ମୁଖ୍ୟ ପ୍ରତିବନ୍ଧକ ସାଜିଛି। ଏହା ଉପରେ ତ୍ବରାନ୍ବିତ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଦାବି ହୋଇଆସୁଛି।