୫ ଜିଲ୍ଲାରେ ନିଅଣ୍ଟିଆ, ୭ ଜିଲ୍ଲାରେ ଅତିରିକ୍ତ ବର୍ଷା

ଭୁବନେଶ୍ବର : ଚଳିତବର୍ଷ ରାଜ୍ୟରେ ସ୍ବାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇଛି। କିନ୍ତୁ ବର୍ଷାର ଆବଣ୍ଟନରେ ବିରାଟ ତାରତମ୍ୟ ଦେଖିବାକୁ ମିଳିଛି। ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ୭ ଜିଲ୍ଲାରେ ଅଧିକ ବର୍ଷା ରେକର୍ଡ ହୋଇଛି। ଜୁନ୍‌ ୧ରୁ ୨୦ ମଧ୍ୟରେ ରାଜ୍ୟରେ ପାଖାପାଖି ୧୩୬.୨ମିମି ବର୍ଷା ରେକର୍ଡ ହୋଇଛି। ଯାହା ଏହି ସମୟ ମଧ୍ୟରେ ସ୍ବାଭାବିକ ୧୧୭.୪ମିମି ବର୍ଷାଠାରୁ ୧୬% ଅଧିକ। ଏହି ୨୦ ଦିନରେ ପାଖାପାଖି ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି। ଜିଲ୍ଲାଗୁଡ଼ିକ ହେଲା ଭଦ୍ରକ, ଯାଜପୁର, ନୟାଗଡ଼, ଗଞ୍ଜାମ ଓ ଗଜପତି। ଏହି ୫ ଜିଲ୍ଲାରେ ସ୍ବାଭାବିକଠାରୁ ୨୦ରୁ ୫୯% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି। ସେହିଭଳି ୭ ଜିଲ୍ଲାରେ ସ୍ବାଭାବିକଠାରୁ ଅତି ଅଧିକ ବର୍ଷା ବା ଅତିରିକ୍ତ ବର୍ଷା ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ପ୍ରାୟ ସ୍ବାଭାବିକଠାରୁ ୬୦% ଅଧିକ ବର୍ଷା ହୋଇଛି। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ନୂଆପଡ଼ା ଓ କୋରାପୁଟ। ସେହିଭଳି ୬ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ବା ୨୦%ରୁ ୫୯% ପର୍ଯ୍ୟନ୍ତ ଅଧିକ ବର୍ଷା ହୋଇଯାଇଛି। ଜିଲ୍ଲାଗୁଡ଼ିକ ହେଲା ଦେବଗଡ଼, ଢେଙ୍କାନାଳ, କଟକ, ଜଗତସିଂହପୁର, ପୁରୀ ଓ ମାଲକାନଗିରି। ଅବଶିଷ୍ଟ ୧୨ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

ସମୀକ୍ଷାରୁ ଜଣାପଡ଼ିଛି ଯେ ଏବେ ଏକ ଟ୍ରଫ୍‌-ଲାଇନ୍‌ ଉତ୍ତର-ପଶ୍ଚିମ ରାଜସ୍ଥାନରୁ ଉତ୍ତର-ପୂର୍ବ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକା ମଧ୍ୟ ଦେଇ ସମୁଦ୍ର ପତ୍ତନଠାରୁ ୧.୫କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇଛି। ଏହାଛଡ଼ା ଦକ୍ଷିଣ-ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳରେ ରହିଥିବା ଲଘୁଚାପ କ୍ଷେତ୍ରଟି ଏବେ ବି ସେହି ସ୍ଥାନରେ ସକ୍ରିୟ ରହିଛି।

ଅପରପକ୍ଷେ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ନୂଆପଡ଼ା, ବଲାଙ୍ଗୀର, ସୋନପୁର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଓ ବରଗଡ଼ ଆଦି ଜିଲ୍ଲା‌‌ରେ ବର୍ଷା ହେବ। ଏହାକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏସବୁ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିଭଳି ୨୨ତାରିଖ ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା ଓ ସୋନପୁର ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିଭଳି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ବୌଦ୍ଧ, ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବ। ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାଠାରେ ୨୬ମିମି ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର