ପ୍ରଫେସର ସତ୍ୟ ନାରାୟଣ ମିଶ୍ର 

୧୯୪୨ ମସିହାରେ ଯେତେବେଳେ ଯୋସେଫ ସୁମ୍ପେଟର ‘କ୍ୟାପିଟାଲିଜମ୍‌, ସୋସିଆଲିଜମ୍‌ ଆଣ୍ଡ୍‌ ଡେମୋକ୍ରାସି’ ପୁସ୍ତକ ଲେଖିଥିଲେ ସେତେବେଳେ ସେ ‘ସୃଜନଶୀଳ ବିନାଶ’ ଧାରଣା ପ୍ର‌ଥମେ ଦେଇଥିଲେ। ସେଥିରେ ସେ ପୁଞ୍ଜିବାଦରେ ନିରନ୍ତର ନବସୃଜନର ଗୁରୁତ୍ବ ବିଷୟରେ କହିଥିଲେ-ଯାହାକି ପ୍ରଚଳିତ ବଜାରକୁ ବ୍ୟାଘାତ ପହଞ୍ଚାଇ ନୂଆ ବଜାର ପାଇଁ ସୁଯୋଗ ସୃଷ୍ଟି କରିଥାଏ। ଇଣ୍ଟରନେଟ୍‌ର ଉତ୍‌ଥାନ, ନେଟ୍‌ଫ୍ଲିକ୍ସ ଭଳି ଷ୍ଟ୍ରିମିଂ ସେବା, ‌ସ୍ମାର୍ଟଫୋନ୍‌ ଆଦି ହେଉଛି କେତେକ ସବୁଦିନିଆ ପରିବର୍ତ୍ତନ ତାଙ୍କର ଏହି ଭବିଷ୍ୟଦର୍ଶୀ ଜ୍ଞାନ ଓ ବୁଦ୍ଧିକୁ ସୂଚାଏ।

Advertisment

ଚଳିତବର୍ଷ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ବିଜେତା ତିନି ଅର୍ଥନୀତିଜ୍ଞ ପ୍ରଫେସର ଜୋ‌ଏଲ ମୋକିର, ଫିଲିପ୍‌ ଅଘିଅନ୍ ଏବଂ ପିଟର ହୋୱିଟ୍‌ ସୁମ୍ପେଟରଙ୍କ ସୃଜନଶୀଳ ବିନାଶ ତତ୍ତ୍ବକୁ ପୁନର୍ଜୀବିତ କରିଛନ୍ତି। ପୁଞ୍ଜିବାଦ ବିକାଶ ପ୍ରକ୍ରିୟାର ଏହା ହେଉଛି କେନ୍ଦ୍ରବିନ୍ଦୁ। ସେମାନେ ମୂଳତଃ ନବସୃଜନରୁ ଆସୁଥିବା ଦୀର୍ଘମିଆଦୀ ଅଭିବୃଦ୍ଧିକୁ ଦର୍ଶାଇଛନ୍ତି। ନବସୃଜନ ଉଦ୍ୟୋଗୀଙ୍କ ପାଖରୁ ଆସେ ଏବଂ ଅଭିବୃଦ୍ଧିକୁ ଜାରି ରଖିବା ପାଇଁ ପୁରୁଣା ‌ପ୍ରଯୁକ୍ତିକୁ ନିଶ୍ଚିତଭାବେ ନୂଆ ପ୍ରଯୁକ୍ତି ଦ୍ବାରା ବଦଳାଇବାକୁ ପଡ଼ିବ। ଗତ ଶତାବ୍ଦୀର ତୃତୀୟ ଦଶନ୍ଧୀରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା ପରେ ହାନସେନ୍‌ଙ୍କ ୧୯୩୮ ମସିହାର ଯୁକ୍ତି ଏବଂ ୨୦୦୮ ମସିହାରେ ଆମେରିକାର ଆର୍ଥିକ ମାନ୍ଦାବସ୍ଥା ପରେ ସମର୍ସ (୨୦୧୬)ଙ୍କ ଯୁକ୍ତି (ବିଶ୍ବ ଅଭିବୃଦ୍ଧି ନୁହେଁ ବରଂ ସ୍ଥିତାବସ୍ଥା ଆଡ଼କୁ ଯାଉଥିବା)କୁ ଜୋଏଲ ମୋକିର୍‌ ତାଙ୍କ  ‘ଦି ପାଷ୍ଟ ଆଣ୍ଡ୍‌ ଫ୍ୟୁଚର୍ ଅଫ୍ ଇନୋଭେସନ୍’ (୨୦୧୮) ଶୀର୍ଷକ ସନ୍ଦର୍ଭରେ ଖଣ୍ଡନ କରିବାକୁ ଚେଷ୍ଟା କରିଥିଲେ। ଅଭିବୃଦ୍ଧି କମିବାର କୌଣସି ବୈଷୟିକ କାରଣ ନାହିଁ ବୋଲି ସେ ପୂର୍ବାନୁମାନ କରିଥିଲେ।   

ନୋବେଲ ଶାନ୍ତି ପୁରସ୍କାର ଭଳି ଅର୍ଥନୀତିରେ ସ୍ବେରିଗେସ ରିକ୍‌ସ୍‌ବ୍ୟାଙ୍କ ପୁରସ୍କାର ସାଧାରଣତଃ ଏକ ଗଭୀର ରାଜନୈତିକ ପୁରସ୍କାର ନୁହେଁ। ନୋବେଲ ପୁରସ୍କାର ଆରମ୍ଭର ବହୁବର୍ଷ ପରେ ୧୯୬୯ ମସିହାରେ ଏହା ପ୍ରଦାନ କରାଯାଇଥିଲା। ମୁଖ୍ୟସ୍ରୋତରେ ଅର୍ଥନୈତିକ ନୀତିକୁ କିଭଳି ଦୃଷ୍ଟିରେ ଦେଖାଯାଏ ତାହାର ବ୍ୟାପକ ଧାରା ନିଶ୍ଚିତଭାବେ ଏଥିରେ ପ୍ରତିଫଳିତ ହୋଇଥାଏ। ନ‌ରୱେର ରାଗନର୍‌ ଫ୍ରିସ୍କ ଏବଂ ନେଦରଲ୍ୟାଣ୍ଡ୍‌ର ଜାନ୍ ଟିନବରଗେନ୍‌  ସେମାନଙ୍କର ଗତିଶୀଳ ଅର୍ଥନୈତିକ ମଡେଲିଂ ପାଇଁ ପ୍ରଥମେ ଏହି ପୁରସ୍କାର ପାଇଥିଲେ। ଟିନବର୍‌ଗେନ ତାଙ୍କର ଟିନବର୍‌ଗେନ୍‌ ନିୟମ ପାଇଁ ବେଶ୍‌ ପରିଚିତ। 

ଚଳିତବର୍ଷର ପୁରସ୍କାର ଏଭଳି ସମୟରେ ଆସିଛି ଯେତେବେଳେ ସମସ୍ତ ଭାବୁଛନ୍ତି ଯେ ଏଆଇ( ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ବିଶ୍ବ ଅର୍ଥନୀତିରେ ବଡ଼ଧରଣର ପରିବର୍ତ୍ତନ ଆଣିବ। ଅଘିଅନ କୁହନ୍ତି ଯେ ବିବିଶ୍ବୀକରଣ ଏବଂ ଶୁଳ୍କ ହେଉଛି ଅଭିବୃଦ୍ଧିର ପ୍ରତିବନ୍ଧକ। ସେ ଏହା ମଧ୍ୟ କହିଛନ୍ତି ଯେ ବଜାର ଯେତେ ବଡ଼ ହେବ ସେ‌ଠାରେ ବିନିମୟ ଏବଂ ସ୍ବାସ୍ଥ୍ୟକର ପ୍ରତିଯୋଗିତାର ସୁଯୋଗ ସେତେ ଅଧିକ ରହିବ। ବିଡ଼ମ୍ବନାର ବିଷୟ ଏହା ଯେ ଏହି ସଂପ୍ରତି ବିବିଶ୍ବୀକରଣ ମହାମାରୀ କିମ୍ବା ଅନ୍ୟ କୌଣସି କାରଣରୁ ଆସିନାହିଁ ବରଂ ଟ୍ରମ୍ପଙ୍କ ମେକ୍‌ ଆମେରିକା ଗ୍ରେଟ୍‌ ଏଗେନ୍‌ ନୀତିରୁ ଆସିଛି। ସେହିଭଳି ହୋୱିଟ୍‌ କୁହନ୍ତି ଯେ ଟ୍ରମ୍ପଙ୍କ ବାଣିଜ୍ୟ ନୀତିରେ ଆମେରିକାର ଉତ୍ପାଦନ କ୍ଷେତ୍ରର ନିଯୁକ୍ତିକୁ ନିଜ ଦେଶକୁ ଫେରାଇ ଆଣିବା ଲାଗି ଉଦ୍ୟମ କରାଯିବାରେ ରାଜନୈତିକ ଅର୍ଥ ରହିଛି କିନ୍ତୁ ଆର୍ଥିକ ନୀତି ପାଇଁ ଏହା ଭଲ ନୁହେଁ। ଟ୍ରମ୍ପଙ୍କ ବାଣିଜ୍ୟ ନୀତିର ସମାଲୋଚନା କରୁଥିବା ହୋୱିଟ୍ କହିଛନ୍ତି ଯେ ଆମେରିକାକୁ ଉତ୍ପାଦନ କ୍ଷେତ୍ରର ଚାକିରି ଫେରାଇ ଆଣିବାର ଚେଷ୍ଟା କିଛି ରାଜନୈତିକ ଅର୍ଥ ରଖୁଛି କିନ୍ତୁ ଏହା ଭଲ ଆର୍ଥିକ ନୀତି ନୁହେଁ। ଆମେ ଦୌଡ଼ିବା ଜୋତା ଡିଜାଇନ୍ କରିବାରେ ଭଲ, କିନ୍ତୁ ଅନ୍ୟମାନଙ୍କ ଉପରେ ସେଗୁଡ଼ିକୁ ଛାଡ଼ିଦେବା ଆମ ପାଇଁ ସର୍ବୋତ୍ତମ ବୋଲି ହୋୱିଟ୍ କହିଛନ୍ତି। ତେବେ ଟ୍ରମ୍ପଙ୍କ ଅଟାର୍କି ନୀତି ଦ୍ବାରା ରିକାର୍ଡୋଙ୍କର ତୁଳନାତ୍ମକ ଲାଭର ଅର୍ଥନୀତି ନଷ୍ଟ ହେଉଥିବାରୁ ସେ ଏହାକୁ ଦେଖି ନିଶ୍ଚିତ ହସୁଥି‌ବେ। 

ଚଳିତବର୍ଷ ନୋବେଲ ଅର୍ଥନୀତିରୁ ଭାରତର ନୀତି ନିର୍ଦ୍ଧାରକମାନେ ଆଶା କରୁଥିବେ ଯେ ନବସୃଜନ ହେଉଛି ସମାଜକୁ ସମୃଦ୍ଧ କରିବାର ଏକମାତ୍ର ଉପାୟ। ଗବେଷଣା ଓ ବିକାଶରେ ଭାରତ ଏହାର ଜିଡିପିର ୦.୮ ପ୍ରତିଶତ ଖର୍ଚ୍ଚ କରୁଛି। କିନ୍ତୁ ଚୀନରେ ଏହା ୨.୫୬ ପ୍ରତିଶତ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ୩.୪୬ ପ୍ରତିଶତ ରହିଛି। ଏଆଇ, ଜୈବପ୍ରଯୁକ୍ତି ଏବଂ ସେମିକଣ୍ଡକ୍ଟର ଭଳି ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତି କ୍ଷେତ୍ରରେ ମୋଟ ୧୦୦ ନମ୍ବରରୁ ଆମେରିକା ୮୪.୩ ନମ୍ବର ରଖିଥିବାବେଳେ ଚୀନ ୬୫.୬ ରଖିଛି। କିନ୍ତୁ ଭାରତ ମାତ୍ର ୧୫.୨ ନମ୍ବର ରଖିଛି। ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ସତ୍ତ୍ବେ ପାରମ୍ପରିକ ଅସ୍ତ୍ର ଆମଦାନିରେ ଆମେ ସବୁଠୁ ଆଗରେ ବୋଲି ରିପୋର୍ଟରୁ ଜଣାଯାଇଛି। ଗବେଷଣା ଓ ବିକାଶ କାର୍ଯ୍ୟରେ ଆମେ ନିବେଶ କରୁଥିବା ଜିଡିପିର ୦.୮ ପ୍ରତିଶତରୁ ୨୦ ପ୍ରତିଶତ ଘରୋଇ କ୍ଷେତ୍ରରୁ ଆସୁଛି। କିନ୍ତୁ ଫ୍ରାନ୍ସ ଭଳି ଦେଶରେ ଏହା ୭୦ ପ୍ରତିଶତ। ତେଣୁ ଭାରତର ଘରୋଇ କ୍ଷେତ୍ର ଅନ୍ୟ ଦେଶଗୁଡ଼ିକ ଭଳି ଏ ‌କ୍ଷେତ୍ରରେ ଆଗକୁ ବଢ଼ିବା ଆବଶ୍ୟକ। 
ପ୍ରଫେସର ଏମିରିଟସ୍, କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର