ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ସମୀକ୍ଷା କରାଯିବ। ପିଲାମାନେ କିଭଳି ଶିକ୍ଷା ପାଉଛନ୍ତି? କେଉଁ କ୍ଷେତ୍ରରେ ଦୁର୍ବଳ ରହିଛନ୍ତି? ସେମାନଙ୍କ ଉନ୍ନତି ପାଇଁ କ’ଣ ସବୁ ଆବଶ୍ୟକ ରହିଛି? ରାଜ୍ୟ ସରକାରଙ୍କ ଯୋଜନାଗୁଡ଼ିକ ପିଲାମାନେ ଠିକ୍‌ ଭାବେ ପାଉଛନ୍ତି କି ନାହିଁ? ଏମିତି ବିଭିନ୍ନ ବିଷୟ ଉପରେ ତୃଣମୂଳସ୍ତରରେ ସମୀକ୍ଷା କରାଯିବ। ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ଅଧ୍ୟକ୍ଷତାରେ ପ୍ରତି ମାସ ପ୍ରଥମ ଶନିବାର ଭିନ୍ନ ଭିନ୍ନ ରୂପାନ୍ତରିତ ବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ହାଇସ୍କୁଲର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ସାମିଲ ହୋଇ ଆଲୋଚନା କରିବେ। ଅକ୍ଟୋବର ୧୦ ତଥା ମଙ୍ଗଳବାର ରାଜ୍ୟର ସମସ୍ତ ବ୍ଲକରେ ଏହାର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ପାଇଁ ଗତ ଶନିବାର ହେବାକୁ ଥିବା ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା। ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଏହି ବୈଠକ ଚାଲିବ।

Advertisment

ବିଇଓ ଓ ପ୍ରଧାନଶିକ୍ଷକମାନେ ନିଜର ପରିଚୟ ହେବା ପରେ ବୈଠକ ସମ୍ପର୍କରେ ବିଇଓ ଉପସ୍ଥିତ ସଦସ୍ୟମାନଙ୍କୁ ଅବଗତ କରାଇବେ। ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ସବୁ ଯୋଜନା କରାଯାଇଛି ସେନେଇ ବିଇଓ ଜଣାଇବା ପରେ ପ୍ରଧାନଶିକ୍ଷକମାନେ ବୈଠକ ହେଉଥିବା ସ୍କୁଲ ପରିସର ବୁଲି ଦେଖିବେ। ଅପରାହ୍ଣରେ ୨୦୨୩-୨୪ ମାଟ୍ରିକ୍‌ ପରୀକ୍ଷା ପାଇଁ ସ୍କୁଲଗୁଡ଼ିକ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନଶିକ୍ଷକ ଅବଗତ କରାଇବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର କ’ଣ ଓ କାହିଁକି ଦିଆଯାଉଛି? କେଉଁ ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ଓ ସେମାନଙ୍କୁ କେତେ ପ୍ରକାରର ପୁରସ୍କାର ମିଳିବ? ସ୍କୁଲଗୁଡ଼ିକ କିଭଳି ପୁରସ୍କାର ପାଇବେ, ପ୍ରଧାନଶିକ୍ଷକ ପୁରସ୍କାର ପାଇଁ କିଭଳି ଆବେଦନ କରାଯିବ, ପୁରାତନ ଛାତ୍ରଛାତ୍ରୀ କମିଟି ପୁରସ୍କାର ପାଇବାକୁ କେଉଁ ‌କମିଟି ଯୋଗ୍ୟ, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ରାଶି କେତେ ମିଳିବ ଏବଂ କିଭଳି ଖର୍ଚ୍ଚ ହେବ ସେନେଇ ଆଲୋଚନା ହେବ।

ସେହିପରି ସ୍କୁଲ କ୍ଲବ କ’ଣ? ଆକାଂକ୍ଷୀ ପାଠ୍ୟକ୍ରମରେ କେଉଁ କେଉଁ ବିଷୟ ଓ ପିରିୟଡ୍‌ ପାଠ ପଢ଼ାଯିବ, ବିଭିନ୍ନ କ୍ଲବର ଗଠନ, ମେଣ୍ଟର ଓ ଛାତ୍ରଛାତ୍ରୀଙ୍କ ଭୂମିକା, ପ୍ରଧାନଶିକ୍ଷକ କିଭଳି କ୍ଲବଗୁଡ଼ିକ ତଦାରଖ କରିବେ, କ୍ଲବର ଅଧିବେଶନ କିଭଳି ହେବ ସେନେଇ ଶିକ୍ଷା‌ ଅଧିକାରୀମାନେ ପ୍ରଧାନଶିକ୍ଷକଙ୍କୁ ଜଣାଇବେ। ହାଉସ୍‌ ସିଷ୍ଟମ କ’ଣ ଏବଂ ତାହା କିଭଳି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ସେନେଇ ମଧ୍ୟ ଆଲୋଚନା ହେବ। ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକର ରକ୍ଷଣାବେକ୍ଷଣ ଓ ସୁରକ୍ଷା ଦାୟିତ୍ବରେ ସ୍ବୟଂ ସହାୟକ ଗୋଷ୍ଠୀ କେତେ ସଫଳ ହୋଇଛନ୍ତି ସେନେଇ ଆଲୋଚନା ହେବ। ସ୍ମାର୍ଟ ଶ୍ରେଣୀଗୃହ, ଇ-ଲାଇବ୍ରେରି, ବିଜ୍ଞାନ ପରୀକ୍ଷାଗାର, ପାନୀୟ ଜଳ, ଶୌଚାଳୟ, ବିଦ୍ୟାଳୟ ପରିସରର ରକ୍ଷଣାବେକ୍ଷଣ ବିଷୟ ସହ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ କିଭଳି ମାଗଣା ସାଇକେଲ୍‌ ବାବଦ ଅର୍ଥ ମିଳିବ ସେନେଇ ବୈଠକରେ ଆଲୋଚନା କରାଯିବ।