‘ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେଉ’

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛନ୍ତି। ଏହି ବିଶ୍ବବିଦ୍ୟାଳୟ ପଶ୍ଚିମ ଓଡ଼ିଶାର ଯେ କୌଣସି ଜିଲ୍ଲାରେ କରାଯାଉ। ଏ ନେଇ ଗୁରୁବାର ଦିନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗୃହରେ ଦାବି କରିଛନ୍ତି।

ଅପରାହ୍ନ ଅଧିବେଶନରେ ଶ୍ରୀ ନାଏକ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ଭୁବନେଶ୍ବର ଓ କଟକ ସହରରେ ଉନ୍ନତମାନର ଡାକ୍ତରଖାନା ଓ ସୁପର ସ୍ପେସାଲିଷ୍ଟ୍‌ ହସ୍ପିଟାଲ ରହିଛି। ବିଶେଷକରି କଟକ ଏସ୍‌ସିବିକୁ ବିଶ୍ବସ୍ତରୀୟ ଏମ୍‌ସ୍‌ ହସ୍ପିଟାଲରେ ପରିଣତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କଳାହାଣ୍ଡିଠାରୁ ଆରମ୍ଭ କରି ସମ୍ବଲପୁର ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ଜିଲ୍ଲା ସବୁବେଳେ ଅବହେଳିତ ହାଇଆସୁଛି। ଗତକାଲି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ବୁର୍ଲା ମେଡିକାଲ କଲେଜ୍‌ ଗୋଟିଏ ରେଫରାଲ୍‌ ହସ୍ପିଟାଲରେ ପରିଣତ ହୋଇଥିବା ନେଇ ଗୃହରେ କହିଥିଲେ। ବାସ୍ତବରେ ବୁର୍ଲା ମେଡିକାଲଟି ଏବେ କେବଳ ରେଫରାଲ ହସ୍ପିଟାଲରେ ପରିଣତ ହୋଇଛି। ତେଣୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ ବୁର୍ଲାରେ କରାଯାଉ ବୋଲି ସେ ଦାବି କରିଥିଲେ। ଶ୍ରୀ ନାଏକଙ୍କୁ ସମର୍ଥନ କରି ଗୃହରେ ସମାନ ଦାବି କରିଥିଲେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

ସମ୍ବନ୍ଧିତ ଖବର