ଦଳୀୟ ପଦବି ପାଇଁ ରକ୍ତଦାନ ମାପଦଣ୍ଡ ହେଉ, ରାଜ୍ୟ ପରିଷଦ ବୈଠକରେ ପ୍ରସ୍ତାବ ଦେଲେ ସୌମ୍ୟରଞ୍ଜନ

ନେତାଙ୍କ ଜନବିରୋଧୀ କାର୍ଯ୍ୟକୁ ଜଗିବା ପାଇଁ ‘ଭିଜଲାନ୍ସ କମିଟି’ ହେଉ

ଭୁବନେଶ୍ବର: ବିଜେଡିର ରାଜ୍ୟ ପରିଷଦ ବୈଠକରେ ବରିଷ୍ଠ ନେତା ତଥା କଳା, ସଂସ୍କୃତି ଓ ମାନବ ସମ୍ବଳ ବିଭାଗର ମୁଖ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକ କେତୋଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରଖିଥିଲେ। ରକ୍ତଦାନ କାର୍ଯ୍ୟକ୍ରମକୁ ବ୍ୟାପକ ଓ ବିଶ୍ବସନୀୟ କରିବା ପାଇଁ ସେ କହିଥିଲେ ଯେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ଅନେକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି। ତେବେ ବିଜେଡିର ପଦା‌ଧିକାରୀ ହେବାକୁ ରକ୍ତଦାନକୁ ଏକ ଯୋଗ୍ୟତାର ମାପଦଣ୍ଡ ଭାବେ ଗ୍ରହଣ କରାଯାଉ। ରକ୍ତ ଦେବା ପାଇଁ ଯିଏ ଯୋଗ୍ୟ ସେ ଯଦି ରକ୍ତଦାନ ନ କରିଛି, ତେବେ ତାଙ୍କୁ ଦଳୀୟ ପଦବି ମିଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଉ।

ଶ୍ରୀ ପଟ୍ଟନାୟକ ଆହୁରି ପ୍ରସ୍ତାବ ଦେଇଥିଲେ ଯେ ବିଜେଡିର ଏବେ ୧ କୋଟି ୨ ଲକ୍ଷ ସଭ୍ୟ ସଂଗ୍ରହ କରାଗଲାଣି। ଓଡ଼ିଶାରେ ଭୋଟର୍‌ଙ୍କ ସଂଖ୍ୟା ୩ କୋଟି ୧୮ ଲକ୍ଷ। ଯଦି ଦଳର ପ୍ରତ୍ୟେକ ସଦସ୍ୟ ଜଣେ ଅଣସଦସ୍ୟଙ୍କୁ ଭୋଟ୍‌ କେନ୍ଦ୍ରକୁ ନେଇ ଯିବେ, ତେବେ ବିଜେଡି ପାଇଁ ନିର୍ବାଚନ ପ୍ରଚାରର ଆବଶ୍ୟକତା ପଡ଼ିବ ନାହିଁ। କିନ୍ତୁ ସଦସ୍ୟମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଡ଼ି ରଖିବା ଆମର ଦାୟିତ୍ବ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇ ସେ କହିଥିଲେ ଯେ ସାଧାରଣତଃ ଦଳ ବିରୋଧୀ କାର୍ଯ୍ୟ ପାଇଁ ସଦସ୍ୟଙ୍କୁ ବହିଷ୍କାର କରାଯାଉଥିଲା। କିନ୍ତୁ ନବୀନ ବାବୁ ନିକଟରେ ଆଉ ଏକ ସାହାସିକ ପଦକ୍ଷେପ ନେଇଛନ୍ତି। ଜନବିରୋଧୀ କାର୍ଯ୍ୟ ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କୁ ବହିଷ୍କାର କରିଛନ୍ତି। ଏହା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏକ ସତର୍କବାଣୀ। ନବୀନ ବାବୁ ଯେତିକି ସ୍ବଚ୍ଛ, ଆମ୍ଭେମାନେ ସେହି ମାତ୍ରାରେ ସ୍ବଚ୍ଛ ନ ହେଲେ ଦଳ କିମ୍ବା ରାଜ୍ୟ ପାଇଁ ତାହାର ସୁଫଳ ମିଳିବ ନାହିଁ। ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ଏକ ‘ଭିଜିଲାନ୍ସ କମିଟି’ ଗଠନ କରିବାକୁ ନିଷ୍ପତ୍ତି ନିଆଯାଉ। ବିଶୃଙ୍ଖଳିତ ତଥା ଜନବିରୋଧୀ କାମ କରୁଥିବା ପଦାଧିକାରୀଙ୍କୁ ଏହି କମିଟି ଚିହ୍ନଟ କରୁ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଓଡ଼ିଆ ବିଶ୍ବବିଦ୍ୟାଳୟ ଓ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନକୁ ଆଣିବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଓଡ଼ିଆ ବିଶ୍ବବିଦ୍ୟାଳୟ ଉଚ୍ଚଶିକ୍ଷା ଓ ଚଳଚ୍ଚିତ୍ର ନିଗମ ଶିଳ୍ପ ବିଭାଗ ଅଧୀନରେ ରହିଛି। ଏହି ଦୁଇଟି ବିଭାଗ ସଂସ୍କୃତି ବିଭାଗ ଅଧୀନକୁ ଆସିଲେ ଠିକ୍ ଭାବେ କାର୍ଯ୍ୟ ହୋଇପାରିବ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନବୀନ ବାବୁ ଯେତେବେଳେ ଓଡ଼ିଶା ଶାସନ ଦାୟିତ୍ବ ନେଲେ, ସେତେବେଳେ ଓଡ଼ିଶାର ଗୋଟିଏ ଖରାପ ପରିଚୟ ଥିଲା। ଆମର ପରିଚୟ ଥିଲା ଅନାହାର ମୃତ୍ୟୁ। ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶା ଅନାହାର ମୃତ୍ୟୁ ବିରୋଧରେ ସଂଗ୍ରାମରେ ଜୟ ଲାଭ କରିଛି। ସାରା ବିଶ୍ବ ଏହାକୁ ସ୍ବୀକାର କରିବା ପାଇଁ ବାଧ୍ୟ। ଏହା ପରେ ନୂଆ ଏକ ସଂଗ୍ରାମ ଲଢ଼ିବାକୁ ଅଛି। ଏହା ହେଲା ନୂଆ ଓଡ଼ିଶା ଗଠନର ସଂକଳ୍ପ। ଏଥି ପାଇଁ ସବୁଠାରୁ ବଡ଼ ଅସ୍ତ୍ର ହେଲା ଶିକ୍ଷା ଓ ସ୍ବାସ୍ଥ୍ୟ। ଶିକ୍ଷା ଏକ ଭିନ୍ନ କଥା। ଶିକ୍ଷା ଦ୍ବାରା ଏକ ଜାତି ଗଢ଼ି ହୁଏ। ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ିଗଲେ ଏକ ଜାତି ମଧ୍ୟ ନଷ୍ଟ ହୋଇଯାଏ। ତେଣୁ ଶିକ୍ଷା ବ୍ୟବସ୍ଥାକୁ ଆମକୁ ଠିକ୍ କରିବାକୁ ପଡ଼ିବ। ଏ ଦିଗରେ ଅ‌େନକ ପଦକ୍ଷେପ ନିଆଯାଇଛି। ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ବୈଷୟିକ ଶିକ୍ଷା ପର୍ଯ୍ୟନ୍ତ ବହୁ କ୍ଷେତ୍ରରେ ଭିତ୍ତିଭୂମି ଦୃଢ଼ କରାଯାଇଛି। ତେବେ ଗବେଷଣା କ୍ଷେତ୍ରରେ ରାଜ୍ୟର ଚିତ୍ର ଉତ୍ସାହଜନକ ନ ଥିବାରୁ ସେ ଦିଗରେ ପ୍ରତିଯୋଗିତାମୂଳକ ସଂସ୍କାର ଆଣିବାକୁ ସେ ମତ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ଶିକ୍ଷା ନୀତିକୁ ଆଖି ବୁଜି ଗ୍ରହଣ ନ କରିବା ସପକ୍ଷରେ ଯୁକ୍ତି ବାଢ଼ି ସେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତିରେ ଅନେକ ଭଲ କଥା ଅଛି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଗ୍ରହଣ କରିନେ‌ଲେ ଓଡ଼ିଶାର ସମସ୍ୟା ଦୂର ହେବ ନାହିଁ। ଓଡ଼ିଶାର ସମାଜିକ, ଭୌଗଳିକ, ଅନ୍ୟାନ୍ୟ ପ୍ରଭେଦ ଦୃଷ୍ଟିରୁ ଆମକୁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ପଡ଼ିବ। ଆମର ପ୍ରସ୍ତାବ ହେଲା, ଯେତେ‌ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ କଲେ ମଧ୍ୟ ଶିକ୍ଷା‌ ବ୍ୟବସ୍ଥାରେ ସମାନତା ନ ଆଣିଲେ ଏ ଜାତି ଭାଗ ଭାଗ ହୋଇଯିବ। ସରକାରୀ ଓ ‌େବସରକାରୀ ସ୍କୁଲ୍‌, ଓଡ଼ିଆ ଓ ଇଂରାଜୀ ମାଧ୍ୟମ ମଧ୍ୟରେ ଯେଉଁ ଦୂରତ୍ବ ଦେଖାଯାଇଛି, ତାହାକୁ କମାଇବାକୁ ପଡ଼ିବ। ଆମେ ଆମ ପିଲାମାନଙ୍କୁ ସରକାରୀ ସ୍କୁଲ୍‌ରେ ପାଠ ପଢ଼ାଇବା। ମନ୍ତ୍ରୀ, ସାଂସଦ, ବିଧାୟକ ଓ ଆଇଏଏସ୍‌ ଅଫିସର୍‌ଙ୍କ ପିଲା ଯଦି ସରକାରୀ ସ୍କୁଲ୍‌ରେ ପାଠ ପଢ଼ିବେ, ତେବେ ସାଧାରଣ ଜନତା ନିଶ୍ଚିତ ଆଗ୍ରହ ପ୍ରକାଶ କରିବେ। ସେହିପରି ‘ମୋ ସ୍କୁଲ୍‌’ ଅଭିଯାନକୁ ସଫଳ କରିବା ପାଇଁ ବିଜେଡିର ପ୍ରତ୍ୟେକ ସକ୍ରିୟ କର୍ମୀ ଓ କର୍ମକର୍ତ୍ତା ଶପଥ ନେବାକୁ ସେ ପ୍ରସ୍ତାବ ଦେଇଥିଲେ। ଜାତୀୟ ଶିକ୍ଷାନୀତିରେ ପଞ୍ଚମ ଶ୍ରେଣୀ ଯାଏ ନିଜ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ତେବେ ଏହାକୁ ଅଷ୍ଟମ ଶ୍ରେଣୀ ଯାଏ କଲେ ଆହୁରି ଭଲ ହୁଅନ୍ତା। ସେହିପରି ଇଂରାଜୀ ମାଧ୍ୟମ ସ୍କୁଲ୍‌ରେ ମାତୃଭାଷା ଅଧ୍ୟୟନକୁ ଉତ୍ସାହିତ କରିବା ପାଇଁ ସରକାର କଡ଼ାକଡ଼ି ନିୟମ କରିବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ।

ଶିକ୍ଷା ବିଭାଗରେ ମକଦ୍ଦମା ବଢ଼ୁଥିବାରୁ ତାହାର ସମାଧାନ ପାଇଁ ପ୍ରସ୍ତାବ ଦେଇ ଶ୍ରୀ ପଟ୍ଟନାୟକ କହି‌େଲ ଯେ ଶିକ୍ଷା ବିଭାଗରେ ଯେତିକି ମାମଲା‌ ଅନ୍ୟ କେଉଁ ବିଭାଗରେ ନାହିଁ। ଅଧିକାରୀମାନେ ଅଧିକାଂଶ ସମୟ ନ୍ୟାୟାଳୟରେ କାଟୁଛନ୍ତି। ଶିକ୍ଷକମାନଙ୍କ ମଧ୍ୟରେ ଗୋଟିଏ ଅଭାବବୋଧ ରହୁଛି ଯେ ସେମାନଙ୍କ କଥା ଶୁଣିବାକୁ କେହି ନାହିଁ। ତେଣୁ ସେମାନେ କୋର୍ଟ ଯାଉଛନ୍ତି। ସରକାର ଶିକ୍ଷକ ସମୁଦାୟ ସହିତ ଏ ସମ୍ପର୍କରେ ଆଲୋଚନା କରନ୍ତୁ। ଆପୋସ ଆଲୋଚନା ମାଧ୍ୟମରେ ମାଲି ମକଦ୍ଦମା ତୁଟାଇବାକୁ ପଦକ୍ଷେପ ନିଅନ୍ତୁ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରକ୍ତଦାନ କାର୍ଯ୍ୟକ୍ରମରେ ବ୍ଲଡ୍ ବ୍ୟାଙ୍କ କର୍ମଚାରୀଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ସମାନ କାମ ସତ୍ତ୍ବେ ପୁରୁଣା କର୍ମଚାରୀଙ୍କୁ ସମାନ ଦରମା ମିଳୁନାହିଁ। ତେଣୁ ସେମାନଙ୍କୁ ସମାନ କାମ ପାଇଁ ସମାନ ଦରମା ଦିଆଯାଉ।

ସମ୍ବନ୍ଧିତ ଖବର