ରାଉରକେଲା: ସଂପ୍ରତି ପାଣିପାଗ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଏଣୁ ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସନ୍ତୁ। ପ୍ରାରମ୍ଭରେ ବିଭିନ୍ନ ସମସ୍ୟା ଉପୁଜିପାରେ। କିନ୍ତୁ ଭବିଷ୍ୟତରେ ଏହା ଦୈନନ୍ଦିନ କାର୍ଯ୍ୟରେ ପରିଣତ ହୋଇଯିବ। ଆଗାମୀ ପିଢ଼ିକୁ ଏକ ସୁସ୍ଥ, ସୁନ୍ଦର ତଥା ସବୁଜ ପରିବେଶ ଭେଟି ଦେବାକୁ ହେଲେ ଆମକୁ ପରିବେଶ ସୁରକ୍ଷା ଦିଗରେ ବ୍ରତୀ ହେବାକୁ ପଡ଼ିବ। ରଘୁନାଥପାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ରାଉରକେଲା ସେକ୍ଟର-୪, ବିଏମ୍‌ଏସ୍‌ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଦୁର୍ଗାଚରଣ ତନ୍ତୀ ଏଭଳି ମତ ରଖିଛନ୍ତି।

Advertisment

ବିଧାୟକ ଶ୍ରୀ ତନ୍ତୀ କହିଥିଲେ, ସହରର ବିଭିନ୍ନ ନାଳ ଏବେ ପ୍ଲାଷ୍ଟିକ୍‌ରେ ଭର୍ତ୍ତି ହୋଇରହିଛି। ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥା ବର୍ଜ୍ୟଜଳର ଉପଯୁକ୍ତ ପରିଚାଳନା ନକରି ସିଧାସଳଖ ନଦୀରେ ଛାଡ଼ୁଛନ୍ତି। ଗତ ଗ୍ରୀଷ୍ମଋତୁରେ ଅଂଶୁଘାତରୁ ଆମର ବହୁସଂଖ୍ୟକ ଭାଇଭଉଣୀଙ୍କ ଜୀବନ ଗଲା। ଏଭଳି ଅନେକ ସମସ୍ୟା ଦେଖିବାକୁ ମିଳୁଥିବାବେଳେ ଆମେ କିନ୍ତୁ ସଚେତନ ହେଉନୁ। ଏବେ ବୃକ୍ଷରୋପଣକୁ ଏକ ଜନଆନ୍ଦୋଳନରେ ପରିଣତ କରିବାର ସମୟ ଆସିଛି। ଆମ ଆଖପାଖ ଅଞ୍ଚଳରେ ଅନେକଗୁଡ଼ିଏ ଲଣ୍ଡା ପାହାଡ଼ ରହିଛି। ସେଠାରେ ସଭିଁଏ ଗଛ ଲଗାନ୍ତୁ। ଆମକୁ ବ୍ୟକ୍ତିଗତସ୍ତରରେ ପରିବେଶ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ହେବ ବୋଲି ବିଧାୟକ କହିଥିଲେ। ମୁଖ୍ୟବକ୍ତା ଭାବେ ଏନ୍‌ଆଇଟି ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଜଗବନ୍ଧୁ ପଣ୍ଡା ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଥିବା ପାର୍ଥକ୍ୟକୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ବାସ୍ତବରେ ପାଣିପାଗ ଓ ଜଳବାୟୁ ପରସ୍ପର ସହ ଜଡ଼ିତ। ଉଭୟର ସୁରକ୍ଷା ଆମର ଗୁରୁଦାୟିତ୍ବ। ଜଳବାୟୁ ପରିବର୍ତ୍ତନ ପଛରେ ଏକାଧିକ କାରଣ ରହିଛି। ପୃଥିବୀର ତାପମାତ୍ରା ବୃଦ୍ଧି ହେବା ଯୋଗୁ ଜଳବାୟୁ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଭୂତଳ ଜଳସ୍ତର କମୁଥିବାରୁ ଚାଷ କମୁଛି। ଆଶାନୁରୂପ ଚାଷ ହେଉନଥିବାରୁ ଖାଦ୍ୟ ଉତ୍ପାଦନ ବି ତଦନୁଯାୟୀ ହ୍ରାସ ପାଉଛି। ଫଳରେ ଖାଦ୍ୟ ଯୋଗାଣ ହୋଇପାରୁ ନଥିବାରୁ ଖାଦ୍ୟାଭାବ, ପୁଷ୍ଟିହୀନତା ଦେଖିବାକୁ ମିଳୁଛି। ସେହିଭଳି ଅତ୍ୟଧିକ ବର୍ଷା ଯୋଗୁଁ ବନ୍ୟା ହୋଇ ଚାଷଜମି ଧୋଇଯାଉଛି।

ଉକ୍ତ ଚାଷଜମିର ସାର ମିଶ୍ରିତ ପାଣି ଡ୍ୟାମ୍‌ ତଥା ଅନ୍ୟାନ୍ୟ ଜଳଉତ୍ସରେ ମିଶୁଛି ଓ ପରବର୍ତ୍ତୀ ସମୟରେ ଆମେ ତାକୁ ବ୍ୟବହାର କରୁଛୁ। ଫଳରେ ସ୍ବାସ୍ଥ୍ୟାବସ୍ଥା ବିଗୁଡ଼ୁଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ କେବଳ ବାତ୍ୟା, ଘଡ଼ଘଡ଼ି ସଂଖ୍ୟା ବଢ଼ିନି, ବରଂ ଏହାର ତୀବ୍ରତାରେ ଆଶାତୀତ ବୃଦ୍ଧି ଘଟିଛି। ପୂର୍ବାପେକ୍ଷା ଏବେ ଅଧିକ ଖରା, ତାତି ଅନୁଭୂତ ହେଉଛି। ଏହାକୁ ପ୍ରତିହତ କରିବାକୁ ହେଲେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡ଼ିବ। ଏହି ଜ୍ବଳନ୍ତ ସମସ୍ୟାର ସମାଧାନ କରିବାକୁ ହେଲେ ସ୍ବଚ୍ଛତା, ବ୍ୟାପକ ବୃକ୍ଷରୋପଣ, ଜଳର ସଦୁପଯୋଗ, କୀଟନାଶକ ଔଷଧର ସ୍ବଳ୍ପ ବ୍ୟବହାର, ଶିଳ୍ପ କାରଖାନାରେ ପ୍ରଦୂଷଣ ରୋକିବାକୁ ସ୍ବତନ୍ତ୍ର ବିଧି, ବିକାଶମୂଳକ କାର୍ଯ୍ୟରେ ଟେକ୍ନୋଲୋଜିର ବ୍ୟବହାର ଉପରେ ପ୍ରଫେସର ପଣ୍ଡା ଗୁରୁତ୍ବାରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ନିର୍ବାଚନମଣ୍ଡଳୀର ପରିବେଶବିତ୍‌, ପରିବେଶ ସୁରକ୍ଷାରେ ବ୍ରତୀ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।