ଭୁବନେଶ୍ବର: ସୂକ୍ଷ୍ମତମ ଅଦୃଶ୍ୟ ବ୍ରହ୍ମଙ୍କର ଏକ ସ୍ଥୂଳ ତଥା ଦୃଶ୍ୟମାନ ପରିପ୍ରକାଶ ହେଉଛନ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ। ଅନାଦି କାଳରୁ ଅଗଣିତ ଋଷି, ମୁନି, ସାଧୁସନ୍ଥ ମହାପୁରୁଷ ଓ ଆଚାର୍ଯ୍ୟଗଣ ମହାପ୍ରଭୁଙ୍କ ତତ୍ତ୍ବ ନିର୍ଣ୍ଣୟ କରିବାକୁ ଅସମର୍ଥ। ଜଗତଗୁରୁ ଆଦି ଶଙ୍କରାଚାର୍ଯ୍ୟ, ସନ୍ଥ କବୀର, ଗୁରୁ ନାନକ, ଶ୍ରୀଚୈତନ୍ୟ ପ୍ରମୁଖ ଆଚାର୍ଯ୍ୟ ତଥା ମହାପୁରୁଷ ଭିନ୍ନ ଭିନ୍ନ ସମୟରେ ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଟାଣି ହୋଇ ଆସିଛନ୍ତି। ନିଜ ନିଜ ଭାବନା ଅନୁସାରେ ସେମାନେ ମହାପ୍ରଭୁଙ୍କୁ ପାଇଛନ୍ତି ଓ ଜଗନ୍ନାଥ ଚେତନାରେ ତଲ୍ଲୀନ ହୋଇଛନ୍ତି, ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଦୃତ ଅଭିବୃଦ୍ଧି ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି। ଏହାର ପ୍ରମାଣ ଏବେବି ଶ୍ରୀକ୍ଷେତ୍ରରେ ରହିଛି। ଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ପାଇଁ ଜଗନ୍ନାଥଙ୍କ ଭକ୍ତ ଓଡ଼ିଆମାନଙ୍କୁ ‘ସ୍କନ୍ଦ ପୁରାଣ’ ଭଳି ଶାସ୍ତ୍ରରୁ ଜ୍ଞାନ ଆହରଣ କରିବାକୁ ପଡ଼ିବ। ପ୍ରତ୍ୟେକ ଓଡ଼ିଆ ଜଗନ୍ନାଥଙ୍କ ତତ୍ତ୍ବ ପ୍ରକାଶ ପାଇଁ ସମର୍ଥ ହେଲେ ଜଗନ୍ନାଥ ସଂସ୍କୃତିର ଅଭ୍ୟୁଦୟ ହେବ। ଆଜି ସ୍ଥାନୀୟ ଜୟଦେବ ଭବନ ପ୍ରେକ୍ଷାଳୟରେ ‘ସମ୍ବାଦ’ ଗ୍ରୁପ୍ ଡିଜିଟାଲ୍ ପକ୍ଷରୁ ଆୟୋଜିତ ‘ଶ୍ରୀ ଜଗନ୍ନାଥ ଅଭିଭାଷଣ-୨୦୨୪’ ପ୍ରଦାନ କରି ଏହା କହିଛନ୍ତି ପୁରୀ ରାଧାବଲ୍ଲଭ ମଠର ମହନ୍ତ ରାମକୃଷ୍ଣ ଦାସ ମହାରାଜ। ଏହି ମହନୀୟ ସନ୍ଧ୍ୟାରେ ମହନ୍ତ ମହାରାଜ ଆହୁରି କହିଲେ, ସେବା ଓ ସେବକର ପ୍ରାଣ ହେଉଛନ୍ତି ପ୍ରଭୁ ଜଗନ୍ନାଥ। କଳିଯୁଗରେ ତାଙ୍କୁ ପାଇବାର ପ୍ରକୃଷ୍ଟ ମାଧ୍ୟମ ହେଉଛି ନାମଜପ। ତେଣୁ ନାମଜପ କରି ପବିଶ୍ବ ନିୟନ୍ତାଙ୍କ ଶରଣରେ ଆଶ୍ରିତ ହେବାକୁ ସେ ନିବେଦନ କରିଥିଲେ।
ଅନ୍ୟତମ ବିଶିଷ୍ଟ ବକ୍ତା ଭାବେ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ, ମହାପ୍ରଭୁ ସର୍ବଧର୍ମ ଓ ଚେତନାର ସମନ୍ବୟର ଦେବତା। ଯିଏ ତାଙ୍କୁ ଯେଭଳି ଦେଖିବାକୁ ଚାହେ, ସେ ସେଭଳି ଦେଖାଦିଅନ୍ତି। ନିଜ ନିଜ ଭାବନା ଅନୁସାରେ କେହି ସଗୁଣରେ, କେହି ନିର୍ଗୁଣରେ ପ୍ରଭୁଙ୍କର ଅପାର ଲୀଳାର ସନ୍ଦର୍ଶନ କରନ୍ତି। ଅଧ୍ୟାତ୍ମବାଦ ଆତ୍ମାରେ, ମାୟାବାଦୀ ମାୟାରେ, ଦ୍ବୈତବାଦୀ ଦ୍ବୈତରେ ଶୂନ୍ୟବାଦୀ ଶୂନ୍ୟରେ, ଅନେଶ୍ବର ଜଡ଼ବାଦୀ ଜଡ଼ରେ, ଅଦ୍ବୈତବାଦୀ ବ୍ରହ୍ମରେ ଏବଂ ପ୍ରେମବାଦୀ ପ୍ରେମରେ ସେ ଲୀଳାର ଅନ୍ବେଷଣ କରନ୍ତି। ସବୁ ଚେତନାର ସମନ୍ବୟ ପ୍ରଭୁ ଜଗନ୍ନାଥ। ତେଣୁ ସବୁଚେତନା ଜଗନ୍ନାଥ ଚେତନାରେ ଯୋଡ଼ି ହୋଇଯାଆନ୍ତି। ପ୍ରଫେସର ଶତପଥୀ ଆହୁରି କହିଲେ, ଏ ଦେଶ କେଉଁ ପ୍ରଧାନମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କର ନୁହେଁ, ଏ ଦେଶ ଜଗନ୍ନାଥ ଚେତନାର, ଏ ଦେଶ ମୁନି ଓ ଋଷିମାନଙ୍କର। ତେଣୁ ଏହି ଉତ୍କଳରେ ନେତାଙ୍କର ପ୍ରୟୋଜନ ନାହିଁ। ଉତ୍କଳର ନେତା ହେଉଛନ୍ତି ସ୍ବୟଂ ଜଗନ୍ନାଥ।
‘ଜୟ ଜଗନ୍ନାଥ’ରେ କମ୍ପିଲା ପ୍ରେକ୍ଷାଳୟ
‘ସମ୍ବାଦ’ ଗ୍ରୁପ୍ ଡିଜିଟାଲ୍ ପକ୍ଷରୁ ‘ଶ୍ରୀଜଗନ୍ନାଥ ଅଭିଭାଷଣ’
ଆଜି ମଞ୍ଚରେ ଚତୁର୍ଧାମୂର୍ତ୍ତୀ ଆସୀନ ଥିଲେ। ପ୍ରଥମେ ଭକ୍ତି ଓ ଶ୍ରଦ୍ଧାପୂର୍ବକ ମହାପ୍ରଭୁଙ୍କ ଆଳତି ଅନୁଷ୍ଠିତ ହୋଇଥିଲା। ଆଳତି ପରେ ବକ୍ତାମାନେ ଜଗନ୍ନାଥ ଚେତନା ଉପରେ ବକ୍ତବ୍ୟ ରଖିଥିଲେ। ପ୍ରଥମେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ କହିଥିଲେ, ଗଣମାଧ୍ୟମର ମୁଖ୍ୟ କାମ ହେଲା ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିବା। ଏହି ପ୍ରକ୍ରିୟା ଭିତରେ ମହାପ୍ରଭୁଙ୍କ ସହ ଯୋଡ଼ିହୋଇ ଯେ କୌଣସି କାର୍ଯ୍ୟକ୍ରମ କରାଯାଇଛି, ତାହା ଅଭୂତପୂର୍ବ ସଫଳତା ପାଇଛି। ତାଙ୍କ ଆଶୀର୍ବାଦରେ ହିଁ ‘ଆହେ ନୀଳ ଶଇଳ’ ନାଟକ ସଫଳ ହୋଇଥିଲା ବୋଲି ସେ କହିଥିଲେ। ଏହାପରେ ବିଶିଷ୍ଟ ରାଜନେତା ଅମର ଶତପଥୀ ଓ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକଙ୍କ ସହିତ ମିଶି ଶ୍ରୀମତୀ ପଟ୍ଟନାୟକ ଦୁଇ ବକ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
‘ସମ୍ବାଦ ଡିଜିଟାଲ୍’ ପକ୍ଷରୁ ଗତ ରଥଯାତ୍ରାରୁ ବାହୁଡ଼ା ପର୍ଯ୍ୟନ୍ତ ଜଗନ୍ନାଥଙ୍କୁ ନେଇ ଏକ ରିଲ୍ସ ପ୍ରତିଯୋଗିତା କରାଯାଇଥିଲା। ସେଥିରେ ସାରା ଓଡ଼ିଶାରୁ ୩୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇ ଭିଡିଓ ପଠାଇଥିଲେ। ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ ୩୦ ଜଣଙ୍କୁ ଆଜି ପୁରସ୍କୃତ କରାଯାଇଥିଲା। ମୁଖ୍ୟ ପ୍ରାୟୋଜକ ଭାବେ ଅର୍ଗାନେଲ୍ ଫାର୍ମର ପରିଚାଳନା ନିର୍ଦ୍ଦେଶିକା ପୁନମ ମହାପାତ୍ର ଉପସ୍ଥିତ ରହି କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। ଏହି ଅବସରରେ ପୁନମ ମହାପାତ୍ରଙ୍କ ସହ ବାଲାଜୀ ଇଲେକ୍ଟ୍ରୋନିକ୍ସର ଅଜୟ ନାୟକ, ବଳବତୀ ନର୍ସିଂ କଲେଜର ସିଇଓ ପାର୍ଥ ଘୋଷ ଏବଂ ଆଜିର ମଞ୍ଚ ନିର୍ମାତା ଚିନ୍ତାମଣି ମହାରଣାଙ୍କୁ ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଆର୍ଜେ ସଂଗ୍ରାମ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ଅଳଙ୍କୃତା ସାମନ୍ତ ଓ ସୁଦେଷ୍ନା ପ୍ରିୟଦର୍ଶିନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/VEuZ0vc1XOCglNTtq98M.jpg)