ରାଜନଗର: ଭିତରକନିକା ଆମ ଗର୍ବ ଓ ଗୌରବ। ହେନ୍ତାଳ ବଣ ଆମ ସୁରକ୍ଷା କବଚ। ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ଦେଉଥିବା ହେନ୍ତାଳ ବଣ କ୍ରମଶଃ କ୍ଷୟ ହେଉଛି। ଜଙ୍ଗଲ କ୍ଷୟ ହେଉଥିବାରୁ ବନ୍ୟଜୀବଜନ୍ତୁ ଜନବସତି ମୁହାଁ ହେଉଛନ୍ତି। ଏଭଳି ଆହ୍ବାନର ସଫଳ ମୁକାବିଲା ଓ ପରିଚାଳନା ପାଇଁ କେବଳ ବ୍ୟକ୍ତି କି ସାମାଜିକ ସଂଗଠନ ନୁହେଁ, ରାଜନୈତିକ ଦଳଗୁଡ଼ିକ ବି ଆଗେଇ ଆସନ୍ତୁ ଏବଂ ନିଜର ନିର୍ବାଚନୀ ଘୋଷଣାପତ୍ରରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ସ୍ଥାନ ଦିଅନ୍ତୁ। ତେବେ ଯାଇ ଆମେ ଜଳବାୟୁ ସଂପର୍କିତ ସମସ୍ତ ଆହ୍ବାନକୁ ମୁକାବିଲା କରିପାରିବା ବୋଲି ରାଜନଗର ନିର୍ବାଚନମଣ୍ଡଳୀର ରାଜନଗରଠାରେ ଆୟୋଜିତ ପରିବେଶ ପଂଚାୟତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ କହିଛନ୍ତି।

Advertisment

ସ୍ଥାନୀୟ ଶୈଳେନ୍ଦ୍ର ନାରାୟଣ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜନଗର ବିଧାୟକ ଧ୍ରୁବଚରଣ ସାହୁ ଯୋଗ ଦେଇ ଭିତରକନିକାର ଅତୀତ, ବର୍ତ୍ତମାନ ଓ ଆଗାମୀ ଦିନର ଆହ୍ବାନ ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ, ଭିତରକନିକା ଭଳି ଜୈବ ବିବିଧତାପୂର୍ଣ୍ଣ ଅଂଚଳରେ ଜନ୍ମ ହେବା ଆମର ସୌଭାଗ୍ୟ। ୧୯୬୦ରେ ଜଙ୍ଗଲ ଆଇନ ଆସିବା ଓ ୧୯୭୦ରେ ବ୍ରାଜିଲର ରିଓ ସହରରେ ଅନୁଷ୍ଠିତ ପୃଥିବୀ ପଞ୍ଚାୟତରେ ସବୁ ଦେଶ ପରିବେଶକୁ ସୁରକ୍ଷା ଦେବେ ବୋଲି ହୋଇଥିବା ନିଷ୍ପତ୍ତି ପୂର୍ବରୁ ଭିତରକନିକା ସୁରକ୍ଷିତ ଥିଲା ଓ ଏବେ ବି ରହିଛି। ୧୯୭୨ରେ ସରକାର ବନ୍ୟଜନ୍ତୁ ସୁରକ୍ଷା ଆଇନ ଆଣିଲେ ଓ ୧୯୭୫ରେ ଭିତରକନିକାକୁ ଅଭୟାରଣ୍ୟ ଘୋଷଣା କଲେ। ମାତ୍ର ଜଙ୍ଗଲ ଅଂଚଳ ପରିବର୍ତ୍ତେ କନିକା ଶାସିତ ଅଂଚଳକୁ ଅଭୟାରଣ୍ୟ ସୀମା ଘୋଷଣା କରି ସମସ୍ୟାର ମଂଜି ପୋତି ଦିଆଯାଇଛି। ଏହାର ସମାଧାନ ହୋଇ ନଥିବା ବେଳେ ଏବେ ପୁଣି ଇକୋ ସେନ୍‌ସେଟିଭ ଆଇନ ଲାଗୁ କରାଯିବା ପାଇଁ ଅଧିସୂଚନା ପ୍ରକାଶ ପାଇଛି। ଜନବସତି ଅଂଚଳ ବାଦ୍‌ ଦେଇ ଏହି ଆଇନ ଲାଗୁ ହେଉ ଓ ମାଷ୍ଟର ପ୍ଲାନ ପ୍ରସ୍ତୁତ କମିଟିରେ ଜନପ୍ରତିନିଧିଙ୍କୁ ସାମିଲ କରିବାକୁ ଶ୍ରୀ ସାହୁ ଦାବି କରିବା ସହିତ ପ୍ରତ୍ୟେକ ପର୍ବପର୍ବାଣୀ ଓ ଉତ୍ସବରେ ଅତିକମ୍‌ରେ ଗୋଟିଏ ଲେଖାଏ ଗଛ ଲଗାଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଲୁଣା ଜଙ୍ଗଲର ଅଭିବୃଦ୍ଧି ପାଇଁ ୪୦ଜଣ ଲୋକେ ସେମାନଙ୍କ ପୈତୃକ ଜମି ବନ ବିଭାଗକୁ ଦାନ କରିବା ଆମ ଅଂଚଳବାସୀଙ୍କ ଜଙ୍ଗଲ ଓ ପରିବେଶ ପ୍ରତି ଥିବା ଭଲ ପାଇବାକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ସାହୁ ଦୃଢ଼ୋକ୍ତି ବାଢ଼ିବା ସହିତ ପରବେଶ ସୁରକ୍ଷା ପ୍ରତି ‘ସମ୍ବାଦ’ର ଏଭଳି ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ।

ପରିବେଶବିତ୍ ବିରଜା ପ୍ରସାଦ ପତି କହିଥିଲେ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବାରମ୍ବାର ଦୁର୍ବିପାକ ଆସୁଛି। ଜୈବିକ ଉପାୟରେ କୃଷି ପ୍ରଣାଳୀ ଆପଣାଇବା ଉପରେ ଶ୍ରୀ ପତି ଗୁରୁତ୍ବାରୋପ କରିବା ସହିତ ନିର୍ବାଚନୀ ଘୋଷଣା ପତ୍ରରେ ରାଜନୈତିକ ଦଳମାନେ ଜଳବାୟୁ ପରିବର୍ତ୍ତନର ସମସ୍ୟା ଓ ସମାଧାନ ସମ୍ପର୍କିତ ଯୋଜନା ସ୍ଥାନ ଦେବାକୁ କହିଥିଲେ। ଭିତରକନିକାରୁ ମଧୁର ଜଳ ପ୍ରବାହ ହ୍ରାସ ପାଉଛି। ଆମେ ନଦୀନାଳ ଅଂଚଳରେ ଥିଲେ ମଧ୍ୟ ଭୂତଳ ଜଳସ୍ତର କମିବାରେ ଲାଗିଛି। ଜଳ ସଂରକ୍ଷଣ ଓ ପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ମତ ଦେଇଥିଲେ ପରିବେଶବିତ୍‌ ବିଜୟ କୁମାର କବି। ପ୍ରକୃତିବନ୍ଧୁ ପ୍ରଦୀପ ନାୟକ ବଜେଟରେ ସ୍ବଚ୍ଛ ବାୟୁ ମଣ୍ତଳ, ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟୟବରାଦ ରହିବା ଆବଶ୍ୟକ ବୋଲି କହିଥିବା ବେଳେ ସମାଜସେବୀ ସଂଜୟ କୁମାର ବାଗ ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ଭିତରକନିକାର ଜୈବ ବିବିଧତାକୁ ବିଗାଡ଼ୁଛି ବୋଲି କହିଥିଲେ।