ଭୁବନେଶ୍ୱର: ଆମ ଦେଶର ଇତିହାସର ସବୁଠାରୁ ବିଭୀଷିକାମୟ ଅଧ୍ୟାୟ ମଧ୍ୟରୁ ଭାରତ ବିଭାଜନ ଅନ୍ୟତମ। ଅକଳ୍ପନୀୟ ଯନ୍ତ୍ରଣା ସହିତ ଲକ୍ଷଲକ୍ଷ ଲୋକ ନିଜର ଘର, ଜମି ଏବଂ ଶତାଦ୍ଦୀ ଶତାଦ୍ଦୀର ସହଭାଗୀ ଜୀବନକୁ ପଛରେ ପକାଇ ନୂତନ ସୀମା ପାର ହୋଇ ଭାରତ ଚାଲି ଆସିଥିଲେ। ଆଜି ସ୍ମୃତି ଦିବସରେ ଆମେ କେବଳ ହରାଇଥିବା ଲୋକଙ୍କ ସ୍ମୃତି ନୁହେଁ ବରଂ ବଞ୍ଚିଥିବା ଲୋକଙ୍କ ଦୃଢ଼ତାକୁ ମଧ୍ୟ ସମ୍ମାନ କରିବା। ସେମାନଙ୍କ ଜୀବନକୁ ପୁନଃନିର୍ମାଣ କରିବାରେ ସେମାନଙ୍କର ସାହସ ହେଉଛି ସେହି ମୂଳଦୁଆ ଯାହା ଉପରେ ଆଧୁନିକ ଭାରତ ଛିଡ଼ା ହୋଇଛି। ବିଭାଜନର ଏହି ସ୍ମୃତି ପୁରୁଣା କ୍ଷତକୁ ଉଖାରିବା ବିଷୟରେ ନୁହେଁ ବରଂ ଅତୀତରୁ ଶିକ୍ଷା ଗ୍ରହଣ କରିବା, ଶାନ୍ତି, ସଦ୍ଭାବନା ଓ ପାରସ୍ପରିକ ସମ୍ମାନ ପ୍ରତି ଆମ ପ୍ରତିଶ୍ରୁତିବଦ୍ଧତାକୁ ପ୍ରମାଣିତ କରିବା ଆବଶ୍ୟକ। ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଜଭବନରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଏହି ଆହ୍ୱାନ ଦେଇଛନ୍ତି। ଓଡ଼ିଶା ଯଦିଓ ଭୌଗୋଳିକ ଭାବରେ ଏହି ବିଭାଜନର କେନ୍ଦ୍ରସ୍ଥଳରୁ ଦୂରରେ ଥିଲା, ତଥାପି ଦେଶର ଦୁଃଖରେ ସହଭାଗୀ ହୋଇଥିଲା। ଆମର ଲୋକମାନେ ବିସ୍ଥାପିତଙ୍କ ପାଇଁ ସେମାନଙ୍କର ହୃଦୟ ଖୋଲି ଦେଇଥିଲେ ବୋଲି ରାଜ୍ୟପାଳ କହିଛନ୍ତି।
ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ, ଆଜିର ଦିନରେ ଆମେ ଭାରତ ବିଭାଜନକୁ ସ୍ମରଣ କରୁଛୁ। ସେହିଦିନ ଆମେ ସ୍ୱାଧୀନ ହେଲୁ, କିନ୍ତୁ ଲକ୍ଷ ଲକ୍ଷ ପରିବାରର ହୃଦୟରେ ଆସିଲା ବିସ୍ଥାପନର କଷ୍ଟ, ବିଚ୍ଛିନ୍ନତାର ବେଦନା ଓ ଆପଣାକୁ ହରାଇବାର ଅସହ୍ୟ ଯନ୍ତ୍ରଣା। ଯେତେବେଳେ ସମଗ୍ର ଦେଶ ସ୍ୱାଧୀନତାର ଆନନ୍ଦରେ ମଗ୍ନ ହେଉଥିଲା, ସେତେବେଳେ ଅନ୍ୟ ପାଶ୍ୱର୍ରେ ଦେଶର ସୀମାରେ ରେଖା ଟାଣିବା ପାଇଁ କାଗଜରେ କଲମ ଚାଲିଥିଲା। ଆଉ ସେହି ରେଖା ଲକ୍ଷଲକ୍ଷ ଭାରତୀୟଙ୍କ ହୃଦୟକୁ ଭାଙ୍ଗିଦେଲା। ବିଭାଜନର ଗାର ହିନ୍ଦୁ, ମୁସଲମାନ, ଶିଖ, ଇଶାୟୀଙ୍କ ମଧ୍ୟରେ ଆଣି ଦେଇଥିଲା ଭୟ, ହିଂସା। ଆଜିର ଦିନରେ ଗତକାଲିର କଥା ନୁହେଁ ବରଂ ଆଗାମୀ ପିଢ଼ିର ସୁରକ୍ଷା ପାଇଁ ପ୍ରତିଜ୍ଞା ଦେବା ଆବଶ୍ୟକ ବୋଲି ଶ୍ରୀ ମାଝୀ କହିଥିଲେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବିଭାଜନ ବିଭୀଷିକାର ସ୍ମୃତିଚାରଣ ବିନା ସ୍ୱାଧୀନତା ଦିବସ ପାଳନ ଅପୂର୍ଣ୍ଣ ରହିବ। ସ୍ୱାଧୀନତା ପଛର କାହାଣୀ ଅଛି। ସେହି କାହାଣୀ ନ ଜାଣିଲେ ଦେଶର ଭବିଷ୍ୟତ ସୁରକ୍ଷିତ ରହିବ ନାହିଁ। ଭବିଷ୍ୟତ ପିଢ଼ି ସେହି ଇତିହାସ ଜାଣିବା ଦରକାର। କୌଣସି ସମାଜ ଇତିହାସରୁ ଶିକ୍ଷା ନକଲେ ଆଗକୁ ଯାଇପାରିବ ନାହିଁ। ସ୍ୱାଧୀନାତା ଦିବସ ଆଡମ୍ବରରେ ପାଳନ କଲେ ହେବ ନାହିଁ, ଏଥିପାଇଁ କେତେ ତ୍ୟାଗ, ସମର୍ପଣ, ବଳିଦାନ ରହିଛି ତାହା ଜାଣିବା ନିତାନ୍ତ ଆବଶ୍ୟକ। ବିଭାଜନର ବିଭୀଷିକା ଦିବସର ସ୍ମୃତିଚାରଣ କରିବା ବେଳେ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ।
ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବକ୍ତବ୍ୟ ପ୍ରଦାନ କରି ବିଭାଜନର ବିଭୀଷିକାକୁ ବିଶ୍ୱର ଅନ୍ୟତମ ଭୀଷଣ ବିଭୀଷିକା ବୋଲି ଅବତାରଣା କରିଥିଲେ। ରାଜ୍ୟପାଳଙ୍କ ସଚିବ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ ବିଭାଜନ ସମୟରେ ବିସ୍ଥାପିତ ପରିବାରର ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପାଟି, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ଏକାମ୍ର ବିଧାୟକ ବାବୁ ସିଂ, ରାଜଭବନର ଅଧିକାରୀମାନେ ଉପସ୍ଥିତ ଥିଲେ।
ଘୃଣାକୁ ପ୍ରତ୍ୟାଖାନ କରି ଏକତାକୁ ସୁଦୃଢ଼ କରିବା ପାଇଁ ସମସ୍ତେ ସଂକଳ୍ପ ନିଅନ୍ତୁ: ରାଜ୍ୟପାଳ
ଆମ ଦେଶର ଇତିହାସର ସବୁଠାରୁ ବିଭୀଷିକାମୟ ଅଧ୍ୟାୟ ମଧ୍ୟରୁ ଭାରତ ବିଭାଜନ ଅନ୍ୟତମ। ଅକଳ୍ପନୀୟ ଯନ୍ତ୍ରଣା ସହିତ ଲକ୍ଷଲକ୍ଷ ଲୋକ ନିଜର ଘର, ଜମି ଏବଂ ଶତାଦ୍ଦୀ ଶତାଦ୍ଦୀର ସହଭାଗୀ ଜୀବନକୁ ପଛରେ.......
/sambad/media/media_files/2025/08/15/untitled-10-2025-08-15-08-38-02.jpg)