ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରାଯାଉ, ମୁଖ୍ୟ ଶାସନ ସଚିବଙ୍କୁ ୪ ବିଧାୟକଙ୍କ ଚିଠି

ଭୁବନେଶ୍ବର : ଶିମିଳିପାଳ ସମେତ ‌ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ୪ଜଣ ବିଜେପି ବିଧାୟକ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଚିଠି ଲେଖିଛନ୍ତି। ସେମାନେ କହିଛନ୍ତି ‌ଯେ ୧୦ରୁ ଅଧିକ ଦିନ ହେବ ରାଜ୍ୟର ଜଙ୍ଗଲ ଜଳୁଛି। ଶିମିଳିପାଳ ଅଭୟାରଣ୍ୟର ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ବରେହିପାଣି ଭଳି ୧୦ଟି କୋର୍‌ ଏରିଆରେ ନିଆଁ ଲାଗିବା ସହ ବଫର ଏରିଆରେ ଥିବା ପିଟାବଟା ରେଞ୍ଜ୍‌ ଖସାଡିହା ଜଙ୍ଗଲରେ ନିଆଁ ଲାଗିଛି। ନୀଳଗିରିସ୍ଥିତ କୁଳଡିହା ଅଭୟାରଣ୍ୟ ବି ଜଳୁଛି। ପଣ୍ଡିଆ ପର୍ବତ ଶିଖରରୁ ଆରମ୍ଭ ହୋଇଥିବା ନିଆଁ ଏବେ ବହୁ ଅଞ୍ଚଳରେ ବ୍ୟାପି ଗଲାଣି। ଭୟାବହ ନିଆଁ ଦ୍ବାରା ହରିଣ, ଭାଲୁ, ସମ୍ବର ପରି ଜୀବଜନ୍ତୁଙ୍କ ପ୍ରତି ବିପଦ ଆଶଙ୍କା ସୃଷ୍ଟି ହୋଇଛି। ୨୦ରୁ ଅଧିକ ଗାଁ ଲୋକ ଏବେ ଭୟଭୀତ ଅବସ୍ଥାନରେ ରହିଛନ୍ତି। ସୁନାବେଡ଼ା ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ବି ଆୟତ୍ତ କରାଯାଇନାହିଁ। ସ୍ଥିତି ଭୟଙ୍କର ହୋଇଥିବାରୁ ନିୟନ୍ତ୍ରଣ କରିବାକୁ ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏଥିସହ ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ ଶିମିଳିପାଳ ସଂରକ୍ଷଣ ଜୈବମଣ୍ଡଳ ଜଳୁଛି। ମାର୍ଚ୍ଚ ୨ରେ ଏଫଏସ୍‌ଆଇ ଯେଉଁ ରିପୋର୍ଟ ଦେଇଥିଲା, ସେଥିରେ ଓଡ଼ିଶାର ଅଧିକାଂଶ ଜଙ୍ଗଲରେ ନିଆଁ ଲାଗିଥିଲା। ସରକାର କହୁଛନ୍ତି ନିଆଁ ଲିଭେଇ ଦେଇଛୁ। କିନ୍ତୁ ବାସ୍ତବରେ ସ୍ଥିତି ଅଲଗା। ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ବିଧାୟକ ଦଳ ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଜୈବମଣ୍ଡଳର ସୁରକ୍ଷା ପାଇଁ କେନ୍ଦ୍ର ସରକାର ବହୁ ଅର୍ଥ ଦେଉଛନ୍ତି। ହେଲେ ରାଜ୍ୟ ସରକାର ତାର ଠିକ୍ ଭାବେ ବିନିଯୋଗ କରି ପାରୁନାହାନ୍ତି। ଏ ପ୍ରସଙ୍ଗକୁ ନେଇ ଆସନ୍ତା ୧୨ ତାରିଖରେ ବିଧାନସଭାରେ ଉଠାଯିବ। ଦଳର ୩ଟି ଟିମ୍ ୩ଟି ଜୋନ୍‌କୁ ପରିଦର୍ଶନ କରିବେ ବୋଲି ସେ ସୂଚନା ଦେଇଛନ୍ତି। ବିଧାୟକ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଗୋଟିଏ ବିଭାଗ ନିଆଁ ଲଗାନ୍ତି ଓ ଆଉ ଗୋଟେ ବିଭାଗ ନିଆଁ ଲିଭାଏ। । କିନ୍ତୁ ଏବେ ନିଆଁ ଲିଭାଇବାକୁ ଗୁରୁତ୍ବ ଦେଉ ନଥିବାରୁ ଏମିତି ସ୍ଥିତି ହୋଇଛି। କାମ୍ପା ଫଣ୍ଡ୍‌ରେ ହୋଇଥିବା ଦୁର୍ନୀତିକୁ ଲୁଚାଇବାକୁ ସରକାର ଜଙ୍ଗଲରେ ନିଆଁ ଲଗାଉଥିବା ବିଧାୟକ ପ୍ରକାଶ ସୋରେନ ଅଭିଯୋଗ କରିଛନ୍ତି।

ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରିଛନ୍ତି ଯେ ବନାଗ୍ନିରେ ଜୀବଜନ୍ତୁଙ୍କର କୌଣସି କ୍ଷତି ହୋଇନାହିଁ। ରାଜ୍ୟ ସରକାର ଏ ବିଷୟରେ ସଚେତନ ଅଛନ୍ତି। ବିରୋଧୀ ଦଳ ଯେଉଁ ଅଭିଯୋଗ କରୁଛନ୍ତି, ତାହା ଭିତ୍ତିହୀନ।

ସମ୍ବନ୍ଧିତ ଖବର