ଭୁବନେଶ୍ୱର : ରାଜ୍ୟରେ ବିଜୁଳି କାଟ୍‌ ଏବେ ବଡ଼ ସମସ୍ୟା ପାଲଟିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଜନ ଅଭିଯୋଗ ଶୁଣିବାରେ ବିଫଳ। ନବୀନ ବାବୁ ଶାସନ ଗାଦିରେ ବସିଛନ୍ତି କିନ୍ତୁ ଜନତାଙ୍କ ପାଖରେ ପହଞ୍ଚୁନାହାନ୍ତି। ଏନେଇ ବିଜେପି ପ୍ରଶ୍ନ କଲେ ଶାସକ ଦଳର ନେତା, ମନ୍ତ୍ରୀମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ କେବଳ ବଛା ବଛା ଜାଗାକୁ ଯାଉଛନ୍ତି। ତା’ହାଲେ ଅନ୍ୟ ଜାଗାକୁ ଯାଉଛି କିଏ? ଗଣତନ୍ତ୍ରରେ ଆମ ବିଶ୍ୱାସ କରୁ। ଗଣତନ୍ତ୍ର ଅନୁସାରେ ଆମେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବୁ, କିନ୍ତୁ ଶାସକ ଦଳର ନେତା, ମନ୍ତ୍ରୀମାନେ ଉତ୍ତର କାହିଁକି ରଖୁନାହାନ୍ତି ବୋଲି ବିଜେପି ମୁଖପାତ୍ର ମନୋଜ ମହାପାତ୍ର ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Advertisment

ଗୁରୁବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ଗତ ବିଧାନସଭାରେ ରାଜ୍ୟ ସରକାର ଉତ୍ତର ରଖିଛନ୍ତି ଯେ, ୧୦ବର୍ଷରେ ଶକ୍ତି ବିଭାଗ ୧୮୩୨୫କୋଟି ଟଙ୍କା ଖର୍ଚ୍ଚ କରିଛି। ସେଥିରୁ କେନ୍ଦ୍ର ସରକାର ୬୨୪୪କୋଟି ଟଙ୍କା ଦେଇଛନ୍ତି। କିନ୍ତୁ ରାଜ୍ୟ ସରକାର ଟାଟା ପାୱାରକୁ ଯେତେବେଳେ କ୍ଷମତା ହସ୍ତାନ୍ତର କରିଛନ୍ତି, ସେତେବେଳେ ୫୬୯୩କୋଟି ଦର୍ଶାଇଛନ୍ତି। ତେବେ ୧୨୬୩୨କୋଟି ଟଙ୍କା କୁଆଡ଼େ ଗଲା ଓ କେଉଁଠି ଖର୍ଚ୍ଚ କଲେ ତା’ର ଉତ୍ତର ରଖନ୍ତୁ? ଟାଟା ପାୱାର ସହ ରାଜ୍ୟ ସରକାରଙ୍କ ସମ୍ପର୍କ କ’ଣ? ବିଜୁଳି ବିଭାଗରେ ମହାଦୁର୍ନୀତି ହୋଇ ତୃତୀୟ ମହଲାକୁ ଅର୍ଥ ଯାଇଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ ଆଣିଛନ୍ତି।

ଏହାସହ ସେ କହିଛନ୍ତି ଯେ ଗତକାଲି କ୍ୟାବିନେଟରେ ନିଷ୍ପତ୍ତି ନିଆଗଲା ଯେ ରାଜ୍ୟ ସରକାର ମଧ୍ୟପ୍ରଦେଶରୁ ବିଜୁଳି ଧାର ଆଣିବେ। ଗତ ବିଧା‌ନସଭା ଅଧିବେଶନରେ ରାଜ୍ୟ ସରକାର କହିଥିଲେ ‌େଯ ଜୁନ ୨୦୨୨-୨୩ ପର୍ଯ୍ୟନ୍ତ ଗ୍ରୀଡକୋ ୯୬୦୯୬ ମେଗାୱାଟ ବଳକା ବିଦ୍ୟୁତ ପାୱାର ଏକ୍ସଚେଞ୍ଜ ମାଧ୍ୟମରେ ୟୁନିଟ୍ ପିଛା ହାରାହାରି ୪ଟଙ୍କା ୯୫ପଇସାରେ ବିକ୍ରୟ କରିଛି। ଏହି ଅବଧିରେ ମଧ୍ୟ ସାମଗ୍ରିକ ନିଅଣ୍ଟିଆ ପରିସ୍ଥିତିରେ ପାୱାର ଏକ୍ସଚେଞ୍ଜରୁ ୧୮୪ମେଗାୱାଟରୁ ୟୁନିଟ୍ ପିଛା ୭ଟଙ୍କା ୫୦ ପଇସାରେ କ୍ରୟ କରାଯାଇଛି। ଏଭଳି ଘୋଟାଲା ପାଇଁ କିଏ ଦାୟୀ? ରାଜ୍ୟ ସରକାରଙ୍କର ଯଦି ସତ୍‌ସାହାସ ଅଛି ତେବେ ଏହି ଦୁର୍ନୀତିର ତଦନ୍ତ ଭାର ସିବିଆଇକୁ ଦିଅନ୍ତୁ। ଯଦି ସିବିଆଇକୁ ଭୟ ଲାଗୁଛି ତେବେ ମୁଖ୍ୟମନ୍ତ୍ରୀ ଓଡ଼ିଶା ଲୋକାୟୁକ୍ତଙ୍କୁ ଚିଠି ଲେଖନ୍ତୁ। ଏହାସହ ଟାଟା ପାୱାର ‌ନାମରେ ଫୌଜଦାରୀ ମାମଲା ରୁଜୁ କରି ଚୁକ୍ତି ବାତିଲ କରନ୍ତୁ ବୋଲି ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ।