ଭୁବନେଶ୍ବର: କୋଟିଆ ଏକ ସମ୍ବେଦନଶୀଳ ପ୍ରସଙ୍ଗ। ଆନ୍ଧ୍ରପ୍ରଦେଶ ଅଧିକାରୀମାନେ ସେଠାକୁ ଆସି ଲୋକଙ୍କୁ ପ୍ରଲୋଭନ ଦେଖାଉଛନ୍ତି। ସେଠାରେ ୧୦୦ରୁ ଅଧିକ ଗ୍ରାମ ପ୍ରଭାବିତ। କିନ୍ତୁ ଓଡ଼ିଶା ସରକାର ଏହାକୁ ଗୁରୁତ୍ବର ସହ ନେଉନାହାନ୍ତି। କୋଟିଆର ସତ କ’ଣ, ତାହା ରାଜ୍ୟ ସରକାର ବିଧାନସଭାକୁ ଜଣାନ୍ତୁ। ଆଜି ଶୂନ୍ୟକାଳରେ କୋଟିଆ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଏମିତି ଆହ୍ବାନ ଦେଇଥିଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ। ଶାସକ ଦଳ ସଭ୍ୟ ଅମର ଶତପଥୀ ମଧ୍ୟ କୋଟିଆ ପ୍ରସଙ୍ଗରେ ଜାଣିବାକୁ ଚାହିଁଥିଲେ। ଗତକାଲି ଶାସକ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ରାଜସ୍ବ ମନ୍ତ୍ରୀ କହିଥିଲେ ଯେ ଆନ୍ଧ୍ର ସରକାର ଘୋଷଣା କରିଥିବା ନୂଆ ଜିଲ୍ଲା ‘ମଣ୍ୟମ’ ମାନଚିତ୍ରରେ ଓଡ଼ିଶାର ୨୮ଟି ସୀମାନ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଏବଂ ସୀମାର ୧୦୦ରୁ ଅଧିକ ଗ୍ରାମର ଲୋକଙ୍କୁ ବିଭିନ୍ନ ଲୋଭନୀୟ ଯୋଜନା ଦ୍ବାରା ଆକର୍ଷିତ କରୁଥିବା ଖବର ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ।

Advertisment

ଆଜି ଏହି ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ ଶ୍ରୀ ସେଠୀ କହିଥିଲେ, ଆମ ସୀମାରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ। ଆନ୍ଧ୍ର ସରକାର କୋଟିଆରେ ଲୋକଙ୍କୁ ପ୍ରଭାବିତ କରୁଛନ୍ତି। ମାତ୍ର ରାଜ୍ୟ ସରକାର ସବୁବେଳେ ତଥାକଥିତ ଉତ୍ତର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ। ଆମ ପାଖରେ ଖବର ନାହିଁ। ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ? ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି? କେଉଁଠି ଅସୁବିଧା ରହୁଛି? ଯେତେବେଳେ ସରକାରୀ ଦଳର ବିଧାୟକମାନେ ପ୍ରଶ୍ନ କରୁଛନ୍ତି ସେହି ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯେଉଁ ଉତ୍ତର ଦେଲେ ତାହା ସତ୍ୟ ? ସୀମାବର୍ତ୍ତୀ ଅଞ୍ଚଳର ଏପରି ଅବସ୍ଥା ଦେଖି ମଧୁବାବୁ ସ୍ବର୍ଗରେ ଥାଇ କଷ୍ଟ ପାଉଥିବେ। ଶାସକ ଦଳ ସଭ୍ୟ ଅମର ଶତପଥୀ କହିଥିଲେ, କୋଟିଆର ବର୍ତ୍ତମାନ ସ୍ଥିତି କ’ଣ? ଆନ୍ଧ୍ର ଯେଉଁ ସହାୟତା ରାଶି ଓଡ଼ିଶାର ଲୋକଙ୍କୁ ଯୋଗାଇ ଦେଉଥିବାର ଅଭିଯୋଗ ହେଉଛି ତାହା କେତେ ସତ୍ୟ? ଏହି ପ୍ରସଙ୍ଗକୁ ନେଇ ଗୃହର ସମସ୍ତ ସଦସ୍ୟଙ୍କ ଉଦ୍‌ବେଗ ରହିଛି। ମାତ୍ର ଏହି ପ୍ରଶ୍ନଟି ଲିଖିତ ଭାବେ ରହିଥିବାରୁ ଗୃହରେ ଆଲୋଚନା ହୋଇ ପାରିଲା ନାହିଁ। ତେଣୁ କୋଟିଆରେ ବର୍ତ୍ତମାନ ସ୍ଥିତି କ’ଣ ସେ ନେଇ ମନ୍ତ୍ରୀ ଗୃହରେ ଉତ୍ତର ରଖିବାକୁ ଶ୍ରୀ ଶତପଥୀ କହିଥିଲେ।