ଶିକ୍ଷାରେ ଭାଷା ବାଧକ ନ ହେଉ: ରାଷ୍ଟ୍ରପତି

ଓଡ଼ିଆ ଶବ୍ଦଭଣ୍ଡାର ବେଶ୍‌ ସମୃଦ୍ଧ

ଭୁବନେଶ୍ବର : ଶିକ୍ଷା ହେଉଛି ସଶକ୍ତୀକରଣର ଏକ ମାଧ୍ୟମ। ଆମ ଦେଶର ପ୍ରତ୍ୟେକ ଶିଶୁ ପ୍ରତିସ୍ତରରେ ଯେପରି ଶିକ୍ଷାର ଲାଭ ପାଇପାରିବ, ତାହା ଆମେ ସୁନିଶ୍ଚିତ କରିବା ଉଚିତ୍‌। ବିନା କୌଣସି ବାଛବିଚାରରେ ସମସ୍ତଙ୍କ ପାଖରେ ଶିକ୍ଷା ଉପଲବ୍ଧ କରାଇବା ପାଇଁ ଯଥାସମ୍ଭବ ପ୍ରୟାସ କରାଯିବା ଆବଶ୍ୟକ। ଶିକ୍ଷା ଗ୍ରହଣରେ ଭାଷା ଏକ ବାଧକ ହେବା ଉଚିତ୍‌ ନୁହେଁ। ଆଞ୍ଚଳିକ ଓ ସ୍ଥାନୀୟ ଭାଷାରେ ଶିକ୍ଷାଦାନ ଆରମ୍ଭ କରାଯିବା ଦ୍ବାରା ଦୀର୍ଘସ୍ଥାୟୀ ଭିତ୍ତିରେ ଏକ ଶିକ୍ଷିତ, ସଚେତନ ଏବଂ ସକ୍ରିୟ ସମାଜ ଗଠନ ହୋଇପାରିବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଶୁକ୍ରବାର ଜୟଦେବ ଭବନଠାରେ ଓଡ଼ିଆ ଭାଷାରେ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ଦ୍ବାରା ପ୍ରକାଶିତ ଇଞ୍ଜିନିୟରିଂ ପୁସ୍ତକ, ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳୀ ଆୟୋଗ(ସିଏସ୍‌ଟିଟି)ଙ୍କ ଦ୍ବାରା ଓଡ଼ିଆ ଭାଷାରେ ପ୍ରସ୍ତୁତ ୫୦ ହଜାର ବୈଷୟିକ ଶବ୍ଦକୋଷ ଓ ଇ-କୁମ୍ଭ(ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଜ୍ଞାନ) ପୋର୍ଟାଲକୁ ଉନ୍ମୋଚନ କରିବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି।

ରାଷ୍ଟ୍ରପତି ଆହୁରି କହିଛନ୍ତି, ମାତୃଭାଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୌଦ୍ଧିକ ଜ୍ଞାନ ବିକଶିତ କରିଥାଏ, ଏଥିରେ କୌଣସି ସନ୍ଦେହ ନାହିଁ। ମାତୃଭାଷାରେ ଶିକ୍ଷାଦାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳ ବିଚାରଧାରା ଏବଂ ବିଶ୍ଳେଷଣ ଦକ୍ଷତା ବିକଶିତ କରିବ। ଏହାଦ୍ବାରା ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସମାନ ସୁଯୋଗ ମିଳିପାରିବ।

ଓଡ଼ିଆ ଭ‌ାଷାରେ ଇଞ୍ଜିନିୟରିଂ ପାଠ
ପ୍ରଥମେ ମାତୃଭ‌ାଷାକୁ ଆଦର କର: ରାଜ୍ୟପାଳ
ଓଡ଼ିଆ ଭାଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବୃତ୍ତି: ମୁଖ୍ୟମନ୍ତ୍ରୀ
୧୦ଟି ଭାରତୀୟ ଭାଷାରେ ଅନୁବାଦ ସରିଛି: କେନ୍ଦ୍ରମନ୍ତ୍ରୀ

ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଉପଲବ୍ଧ ହେଉ ନଥିବାରୁ ପୂର୍ବରୁ ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷାଦାନ କ୍ଷେତ୍ରରେ ବାଧା ସୃଷ୍ଟି ହେଉଥିଲା। ଏହି ବାଧା ଦୂର କରିବା କ୍ଷେତ୍ରରେ ଏଆଇସିଟିଇର ପ୍ରୟାସ ପ୍ରଶଂସନୀୟ। ‘ଜାତୀୟ ଶିକ୍ଷା ନୀତି -୨୦୨୦’ରେ ସବୁ ଭାରତୀୟ ଭାଷାକୁ ସମାନ ଗୁରୁତ୍ବ ଦିଆଯାଇଥିବା ଖୁସିର ବିଷୟ। ଭାରତୀୟ ଭାଷା କ୍ଷେତ୍ରରେ ଏହା ଏକ ନୂତନ ଯୁଗର ସୂତ୍ରପାତ କରିଛି। ଭାରତକୁ ବିଶ୍ବଗୁରୁ ରୂପେ ଗଢ଼ି ତୋଳିବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସେଥିରେ ଏହା ସହାୟକ ହେବ।

ଓଡ଼ିଆ ଭାଷା ସମ୍ପର୍କରେ ରାଷ୍ଟ୍ରପତି କହିଛନ୍ତି, ଓଡ଼ିଆ ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା। ଏହାର ଏକ ଅଭିନବ ସାହିତ୍ୟ ପରମ୍ପରା ଏବଂ ସମୃଦ୍ଧ ଶବ୍ଦ ଭଣ୍ଡାର ରହିଛି। ତେଣୁ ଓଡ଼ିଆ ଭାଷାରେ ବୈଷୟିକ ଶିକ୍ଷା ପାଇବା କ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ। ମାତୃଭାଷାରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଅନ୍ୟ ଶିଶୁଙ୍କ ତୁଳନାରେ ଯଥେଷ୍ଟ ଅଧିକ। ମାତୃଭାଷାରେ ଶିକ୍ଷା ଗ୍ରହଣ କରିବା ବେଳେ ପିଲାଟି ନିଜ ସଂସ୍କୃତି ବିଷୟରେ ଜ୍ଞାନ ଅର୍ଜନ କରେ। ଫଳରେ ସଂସ୍କୃତିର ପ୍ରସାର ହୋଇଥାଏ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଛନ୍ତି, ଯେତେ ଭାଷା ଶିଖିପାରିଲେ ଭଲ କିନ୍ତୁ ପ୍ରଥମେ ମାତୃଭାଷାକୁ ଆଦର କରିବାକୁ ପଡ଼ିବ। ଜଣେ ନିଜ ମାତୃଭାଷାରେ ଯେଭଳି ଭାବ ପରିପ୍ରକାଶ କରିପାରିବ, ଅନ୍ୟ ଭାଷାରେ କରିପାରିବ ନାହିଁ। ଭାରତରେ ଅନେକ ଆଞ୍ଚଳିକ ଭାଷା ରହିଛି। ଅନେକ ଭାଷାର ମୃତ୍ୟୁ ହୋଇସାରିଛି। ଏବେ ବି କିଛି ଭାଷାର ମୃତ୍ୟୁ ହୋଇଚାଲିଛି। ତେଣୁ ଭାଷାର ବହୁଳ ବ୍ୟବହାର ହିଁ ଭାଷାକୁ ବଞ୍ଚାଇବା ସହ ତାହାକୁ ବିକଶିତ କରିପାରିବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ କହିଛନ୍ତି, ଓଡ଼ିଆରେ ଅନୁବାଦିତ ହୋଇଥିବା ବୈଷୟିକ ଶିକ୍ଷାର ପୁସ୍ତକଗୁଡ଼ିକ ଛାତ୍ରଛାତ୍ରୀଙ୍କ ଲାଗି ବେଶ୍‌ ସହାୟକ ହେବ। ଏଆଇସିଟିଇର ଦ୍ବାରା ବି.ଟେକ୍‌ ଓ ଡିପ୍ଲୋମା ଇଞ୍ଜିନିୟରିଂ ପାଠ୍ୟକ୍ରମର ଓଡ଼ିଆ ପୁସ୍ତକ ହୋଇଛି। ଅନ୍ୟାନ୍ୟ ପାଠ୍ୟକ୍ରମର ପୁସ୍ତକଗୁଡ଼ିକ ଖୁବ୍‌ଶୀଘ୍ର ପସ୍ତୁତ ହେବ ବୋଲି ଆଶା। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଓଡ଼ିଆରେ କରିବାକୁ ନିଷ୍ପତ୍ତି ହୋଇଛି। ସ୍କୁଲ ଓ କଲେଜ ସ୍ତରରେ ଓଡ଼ିଆ ଭାଷା ପାଇଁ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ବୃତ୍ତି ଦିଆଯାଉଛି। ଭବିଷ୍ୟତରେ ଏଆଇସିଟିଇ ଓ ସିଏସ୍‌ଟିଟିକୁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷା ନୀତିର ପରାମର୍ଶକ୍ରମେ ଏଆଇସିଟିଇ ଏବଂ ଆଇଓଏସ୍‌ଆର ମିଳିତ ଭାବେ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଥମବର୍ଷ ପାଇଁ ଇଞ୍ଜିନିୟରିଂ ପାଠ୍ୟକ୍ରମର ୨୦ଟି ବିଷୟକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି। ସିଏସ୍‌ଟିଟି ଦ୍ୱାରା ୫୦ ହଜାର ଇଂରାଜୀ ବୈଷୟିକ ଶବ୍ଦକୁ ଓଡ଼ିଆ ଭାଷାନ୍ତର କରାଯାଇଛି। ଏହିଭଳି ଶବ୍ଦକୋଷ ଦ୍ୱାରା ଓଡ଼ିଆ ଇଞ୍ଜିନିୟରିଂ ପିଲାମାନେ ଭଲଭାବେ ଇଞ୍ଜିନିୟରିଂ ପାଠ୍ୟକ୍ରମ ବୁଝିପାରିବେ। ବର୍ତ୍ତମାନ ସୁଦ୍ଧା ଏଆଇସିଟିଇ ଦ୍ୱାରା ଓଡ଼ିଆ ସମେତ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ପଞ୍ଜାବୀ, ବଙ୍ଗାଳି, ମରାଠୀ, ଗୁଜୁରାଟୀ ଓ ଅହମିୟା ଭାଷାରେ ଇଂରାଜୀରେ ଥିବା ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଅନୁବାଦ କରାଯାଇଛି। ଆଉ ଦୁଇଟି ଭାଷା ଯଥା ମାଲାୟାଲମ୍‌ ଏବଂ ଊର୍ଦ୍ଦୁ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଅନୁବାଦ କାର୍ଯ୍ୟ ଚାଲୁଛି। ଆମ କଳା, ସଂସ୍କୃତି ଓ ସଭ୍ୟତା ତିଆରି ପାଇଁ ମାତୃଭାଷାକୁ ଗୁରୁତ୍ୱ ଦେବାକୁ ହେବ। ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପ୍ରଦେଶ ଗଠନକୁ ୨୦୩୬ରେ ଶହେବର୍ଷ ପୂରିବ। ଏହି ୧୩ ବର୍ଷ ମଧ୍ୟରେ ଆମ ଭାଷା ଓ ଭାଷାର ତତ୍ତ୍ୱକୁ ସମୃଦ୍ଧ କରିବା। ଅାଜାଦୀ କା ଅମୃତ ମହୋତ୍ସବ ପାଳନ କରିବା ବେଳେ ଭାଷାଭିତ୍ତିକ ଶିକ୍ଷାକୁ ଦେଶରେ ପ୍ରତିପାଦିତ କରିବାକୁ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଓଡ଼ିଶାର ୧୦ ଜଣ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ଅନୂଦିତ ପାଠ୍ୟପୁସ୍ତକ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଏଆଇସିଟିଇ ଅଧ୍ୟକ୍ଷ ଏମ୍‌. ଜଗଦେଶ କୁମାର ଓ ଓଡ଼ିଆ ଅଧ୍ୟୟନ ଓ ଗବେଷଣା କେନ୍ଦ୍ର(ଆଇଓଏସଆର)ର ଅଧ୍ୟକ୍ଷ ଅବସର ବେଉରିଆ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର