ମଧୁବାବୁଙ୍କୁ ଭାରତ ରତ୍ନ ପାଇଁ ଉଦ୍ୟମ ହେଉ: ସୌମ୍ୟ

ମଧୁବାବୁଙ୍କ ସମାଧିପୀଠ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପର ଶିଳାନ୍ୟାସ

କଟକ : ସ୍ବତନ୍ତ୍ର ଓଡ଼ିଶା ଗଠନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅବଦାନକୁ କେହି ଅସ୍ବୀକାର କରି ପାରି‌ବେ ନାହିଁ। ଜଣେ ବ୍ୟକ୍ତି ଓଡ଼ିଆ ଜାତିକୁ ଗୌରବ ଆଣିବା ସହ ତାକୁ ଏକାଠି କରି ସ୍ବତନ୍ତ୍ର କରିବାରେ ନିଜର ସବୁ କିଛି ହରାଇ ଦେଲେ। ଏପରି ଜଣେ ମହାନ ବ୍ୟକ୍ତିଙ୍କ ଋଣ ପରିଶୋଧ ପାଇଁ ଆମ ସ‌ମସ୍ତଙ୍କୁ ଏକ ଦାୟିତ୍ବ ନେବାକୁ ପଡିବ। ମଧୁବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ମିଳିବାରେ ସାରା ଓଡ଼ିଶାବାସୀ ଦଳମତ ନିର୍ବିଶେଷରେ ଏକାଠି ହୋଇ ଦାବି ରଖିବାର ଆବଶ୍ୟକତା ରହିଛି। ମଧୁସୂଦନଙ୍କ ଶ୍ରାଦ୍ଧଦିବସ ଅବସରରେ ତୁଳସୀପୁରସ୍ଥିତ ଗୋରାକବରଠାରେ ସମାଧିପୀଠର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟର ଶିଳାନ୍ୟାସ ଉତ୍ସବର ‌ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦର ସଂପାଦକ, ‘ଆମ-ଓଡ଼ିଶାର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ଆହ୍ବାନ ଦେଇଛନ୍ତି।

ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡେପୁଟି ମେୟର ଦମୟନ୍ତୀ ମାଝୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିସନର ନିଖିଲ ପୱନ କଲ୍ୟାଣ, ପୂର୍ତ୍ତ ଷ୍ଟାଣ୍ଡିଂ କମିଟର ଅଧ୍ୟକ୍ଷ ପ୍ରଦୀପ୍ତ କିଶୋର ଖୁଣ୍ଟିଆ, ଶିକ୍ଷା ଓ ଚିତ୍ତ ବ‌ି‌ନୋଦନ କମିଟି ଅଧ୍ୟକ୍ଷା ମୋନାଲିସା ଦାସ, କର୍ପୋରେଟର ଲକ୍ଷ୍ମୀପ୍ରିୟା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପୌର ନିଗମ ପକ୍ଷରୁ ସମାଧିପୀଠର ୩ ହଜାର ବର୍ଗଫୁଟ ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ କରାଯିବ। ଏଥିପାଇଁ ନିଗମ ତରଫରୁ ପ୍ରାଥମିକ ଭାବେ ୭୫ ଲକ୍ଷ ୨୯ ହଜାର ୭୯୩ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପ୍ରକଳ୍ପର ନିର୍ମାଣ ଦାୟିତ୍ବ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମକୁ ପ୍ରଦାନ କରାଯାଇ ଥିବା ବେଳେ ୮ମାସ ମଧ୍ୟରେ ସମାଧିପୀଠର ସୌନ୍ଦର୍ଯ୍ୟୀକରଣ କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସମାଧିପୀଠର ସୈାନ୍ଦର୍ଯ୍ୟୀକରଣ ମଧ୍ୟରେ ପାଚେରି ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ୱାଟର ଫାଉଣ୍ଟେନ୍‌, ଲ୍ୟାଣ୍ତ ସ୍କେପିଙ୍ଗ, ସିଟିଂ ବେଞ୍ଚ, ଫୁଲ ବଗିଚା ସହ ଅତ୍ୟାଧୁନିକ ଆଲୋକୀକରଣ ପରି କାର୍ଯ୍ୟ ରହିଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲାଇସେନ୍ସ ଓ ଆବେଦନ କମିଟି ଅଧ୍ୟକ୍ଷା ଏ.ଶ୍ରୀଦେବୀ, ଅଭିଯୋଗ କମିଟି ଅଧ୍ୟକ୍ଷା ପ୍ରଳୟା ବେଉରା, ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଦୀପ୍ତିମୟୀ ମୂଳିଆ, କର୍ପୋରେଟର ବିକାଶ ରଂଜନ ବେହେରା, ବସନ୍ତ କୁମାର ବେହେରା, ପୂର୍ବତନ କର୍ପୋରେଟର ରମଜାନ ଖାନ୍‌, ଡେପୁଟି କମିସନର ଅଜୟ କୁମାର ମହାନ୍ତି, ପ୍ରଫେସର ଡକ୍ଟର ନଟବର ଶତପଥୀ, ପ୍ରଫେସର ଡକ୍ଟର ଖାରବେଳ ମହାନ୍ତି, ବିଜେଡି ନେତା ପ୍ରଶାନ୍ତ ନାୟକ, ବିଜେପି ନେତା ଲଲାଟେନ୍ଦୁ ବଡୁ, ଆଇନଜୀବୀ ଦେବସ୍ନାନ ଦାସ, ତାପସ ଦ୍ବିବେଦୀ, ଶଶି ଭୂଷଣ ଦାସ, ଅବସରପ୍ରାପ୍ତ ପ୍ରଶାସକ ବଂଶୀଧର ରାଉତ, ଡାକ୍ତର ରବିରଂଜନ ସାହୁ, ଇଂଜିନିୟର ଆକାଶ ଭୂୟଁା, ଉତ୍କଳ ସମ୍ମିଳନୀ କଟକର ସଭାପତି ଆଇନଜୀବୀ ମହମ୍ମଦ କମରୁଲ ହୁସେନ, ଅଶ୍ବିନୀ ମହରଣା, ଶ୍ରମିକ ନେତା ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ, କଟକ ଓଡ଼ିଆ ବାପଟିଷ୍ଟ ମଣ୍ଡଳି ସଭାପତି ପ୍ରେମସୁନ୍ଦର ରାଉତ, ସାଧାରଣ ସଂପାଦକ ପ୍ରେମଜିତ ସାବତ, କୋଷାଧ୍ୟକ୍ଷ ସୁକୁମାର ରାଉତ, ଯୁଗ୍ମସଂପାଦକ ସୁଦୀପ୍ତ କୁମାର ଦାସ, ସହସଂପାଦକ ସନ୍ଦୀପ କୁମାର ନାୟକ, ଅାଚାର୍ଯ୍ୟ ଡକ୍ଟର ନିହାର କୁମାର ବର୍ଦ୍ଧନ, ଆଚାର୍ଯ୍ୟ ସାମୁଏଲ ସ୍ବାଇଁ, ଡକ୍ଟର ଦେବାଶିଷ ପ୍ରଧାନ, ଚନ୍ଦନ ଦାସ, ବିନୋଦ ମହାପାତ୍ର, ଜନ୍‌ ଆଶିଷ ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ପରେ ଶ୍ରୀ ପଟ୍ଟନାୟକ ଅନ୍ୟ ଅତିଥିମାନଙ୍କ ସହିତ ଯାଇ କ୍ୟାଣ୍ଟନମେଣ୍ଟ ରୋଡରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସମ୍ବନ୍ଧିତ ଖବର