କେନ୍ଦୁଝର: ବିକାଶ ଯାତ୍ରାରେ ଆମେ ସମସ୍ତେ ସାମିଲ ହୋଇଛେ। ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ ସାଙ୍ଗକୁ ଭିତ୍ତିଭୂମି ବିକାଶ ଦ୍ରୁତଗତିରେ ଚାଲିଛି। ବିକାଶ ଆଳରେ ପ୍ରକୃତି ଓ ପରିବେଶ ‌ଯେପରି ନିଃସହାୟ ହୋଇ ନଯାଏ, ସେଥିପ୍ରତି ସମସ୍ତଙ୍କୁ ଦୃଷ୍ଟି ଦେବାକୁ ହେବ ବୋଲି ଆଜି କେନ୍ଦୁଝରସ୍ଥିତ ସେଲ୍‌ ଅଡିଟୋରିୟମରେ ‘ସମ୍ବାଦ’ ଗ୍ରୁପ୍‌ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।

Advertisment

ପରିବେଶ ପ୍ରଦୂଷଣ, ଏହାର ନିୟନ୍ତ୍ରଣ ଓ ପରିବେଶ ପରିଚାଳନା ଦୁଇ ଦଶନ୍ଧି ତଳେ ଏକ ସ୍ଲୋଗାନ ଥିଲା। କିନ୍ତୁ ପରିବେଶ ପ୍ରଦୂଷଣ ଏବେ ଏକ ସଙ୍କଟ। ଏହାକୁ ନେଇ କେବଳ ରାଜ୍ୟ କିମ୍ବା ଦେଶ ଚିନ୍ତିତ ନୁହେଁ ବରଂ ପୂରା ବିଶ୍ବ ଏଥିପାଇଁ ସତର୍କ। ସମଗ୍ର ବିଶ୍ବ ଏବେ ଏହାକୁ ଗମ୍ଭୀରତାର ସହ ନେଇଛି। କେବଳ ଗୋଟିଏ ଦେଶ କିମ୍ବା ଅନୁଷ୍ଠାନ ଚାହିଁଲେ ଏହି ସଙ୍କଟ ଦୂର ହେବନାହିଁ। ଏ ଦିଗରେ ସମସ୍ତଙ୍କୁ ସଜାଗ ହେବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ୨୦୩୦ ସୁଦ୍ଧା ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ ହ୍ରାସ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ଏଥିପାଇଁ ‘ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନା’ ଆରମ୍ଭ କରାଯାଇଛି। ଗ୍ରିନ୍‌ ଆମୋନିଆ ପ୍ଲାଣ୍ଟ ପାଇଁ ଏମ୍‌ଓୟୁ ସ୍ବାକ୍ଷର କରାଯାଉଛି। ଜଳ ପ୍ରଦୂଷଣ ରୋକିବାକୁ ‌ସିୱେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଉଛି। ବୃକ୍ଷରୋପଣକୁ ଗୁରୁତ୍ବ ଦିଆଯାଉଛି। ପ୍ରଧାନମନ୍ତ୍ରୀ ‘ଏକ୍‌ ପେଡ୍‌ ମା’କେ ନାମ୍‌’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ଓଡ଼ିଶାରେ ୫ କୋଟି ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ରାଜ୍ୟବ୍ୟାପୀ ତାଳଗଛ ଲଗାଯାଉଛି। ପ୍ଲାଷ୍ଟିକ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି। କେବଳ ସରକାର ପଦକ୍ଷେପ ନେଲେ ହେବନି, ଜନସାଧାରଣ ମଧ୍ୟ ନିଜ ନିଜ ସ୍ତରରେ ପରିବେଶ ସୁରକ୍ଷା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ବାନ ଦେଇଥିଲେ।

‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ, ଦିନ ଥିଲା କେନ୍ଦୁଝରର ଲୋକେ ଖରାଦିନେ ରେଜେଇ ଘୋଡ଼େଇ ହୋଇ ଶୋଉଥିଲେ। ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ଆବଶ୍ୟକତା ନଥିଲା। ଏବେ ପରିସ୍ଥିତି ବଦଳି ଯାଇଛି। ବର୍ଷାଦିନେ ବି ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଆବଶ୍ୟକ ପଡ଼ୁଛି। ଟିଟିଲାଗଡ଼ ପରି ରାଜ୍ୟର ସବୁ ସ୍ଥାନ ଏବେ ତତଲାଗଡ଼ରେ ପରିଣତ ହୋଇଛି। ପରିବେଶ ଓ ବିକାଶ ମୁହାଁମୁହିଁ ହୋଇଛନ୍ତି। ପରିବେଶକୁ ନଷ୍ଟ କରି ବିକାଶ ନ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥି‌ଲେ। ସେହିପରି କେନ୍ଦୁଝର ଉପରେ ସାରା ବିଶ୍ବର ନଜର ରହିଛି। ଆମ ମାଟି ତଳେ ଯାହା ଅଛି ତାକୁ ଖୋଳି‌ ନେବାକୁ ସମ‌ସ୍ତେ ବ୍ୟସ୍ତ। ବୈତରଣୀ ଶୁଖିବାକୁ ବସିଛି। କେନ୍ଦୁଝର ସାରା ରାଜ୍ୟକୁ ଯାହା ଦେଇଛି ପ୍ରତିବଦଳରେ କିଛି ପାଇନି। ବର୍ତ୍ତମାନ ଋଣ ଶୁଝିବାର ସମୟ ଆସିଛି। ପ୍ରଥମ କିସ୍ତି ସ୍ବରୂପ ଏହି ମାଟିର ପୁଅ ମୋହନ ମାଝୀ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ତେଣୁ ପାର୍ଟି କଥା ନ ଭାବି ଏବେ ମାଟି କଥା ଭାବିବାର ସମୟ ଆସଛି। ପରିବେଶ ପଞ୍ଚାୟତରେ ଏଥିପାଇଁ ସ୍ଥାନୀୟ ବିଧାୟକ ଓ ଜନପ୍ରତିନିଧିଙ୍କୁ ସାମିଲ କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

କେନ୍ଦୁଝରର ଋଣ ଶୁଝିବାର ସମୟ ଆସିଛି: ସୌମ୍ୟରଞ୍ଜନ
ସବୁ ସାମାଜିକ କାର୍ଯ୍ୟକ୍ରମରେ ଏବେଠୁ ଚାରା ଉପହାର ଦିଆଯାଉ: ତେଲକୋଇ ବିଧାୟକ
ଖଣି ଖନନ, ପରିବହନ ନେଇ ଚିନ୍ତା ବ୍ୟକ୍ତ କଲେ ବୈଜ୍ଞାନିକ

ସମ୍ମାନିତ ଅତିଥି ଭାବେ ଯୋଗଦେଇ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାଏକ କହିଥିଲେ, ମଣିଷ ସମାଜ ପାଇଁ ସୁସ୍ଥ ପରିବେଶ ନିହାତି ଜରୁରି। ବର୍ତ୍ତମାନ ମାଟି, ପାଣି, ପବନ ସବୁକିଛି ପ୍ରଦୂଷିତ ହୋଇଯାଇଛି। ପୂର୍ବରୁ ରାଜ୍ୟର ସର୍ବାଧିକ ତାପମାତ୍ରା ୩୨ ଡିଗ୍ରି ରହୁଥିଲା। ଏବେ ୪୫ ଡିଗ୍ରି ଅତିକ୍ରମ କଲାଣି। ଖରାଦିନେ ଜଙ୍ଗଲରେ ନିଆଁ ଲାଗିବା ଓ ପୋଡ଼ୁଚାଷ ପାଇଁ ହଜାର ହଜାର ଗଛ କଟାଯିବା ଦ୍ବାରା ବ୍ୟାପକ ଜଙ୍ଗଲ କ୍ଷୟ ହେଉଛି। ଏହାର ଭରଣା କରିବା ପାଇଁ ସମସ୍ତେ ଗଛ ଲଗାଇବା ଦରକାର। ଜନ୍ମଦିନ, ବିବାହ ବାର୍ଷିକୀ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଚାରା ଉପହାର ଦେବା ସହ ବୃକ୍ଷରୋପଣ କରିବାକୁ ଡ. ନାଏକ ପରାମର୍ଶ ଦେଇଥିଲେ।

ଅନ୍ୟତମ ସମ୍ମାନିତ ଅତିଥିଭାବେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ ଆଣ୍ଡ ମାଟେରିଆଲ ଟେକ୍ନୋଲୋଜିର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ଡ. ସୁରେନ୍ଦ୍ର କୁମାର ବିଶ୍ବାଳ ଯୋଗଦେଇ କେନ୍ଦୁଝରରେ ଖଣି ଖନନ, ଖଣିଜ ପରିବହନ ଯୋଗୁଁ କିପରି ପରିବେଶ ପ୍ରଦୂଷିତ ହେଉଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ବର୍ତ୍ତମାନ ଆମ ଦେଶରେ ୧୪୩ ମିଲିଅନ ଟନ୍‌ ଷ୍ଟିଲ୍‌ ଉତ୍ପାଦନ ହେଉଛି। ୨୦୪୭ ସୁଦ୍ଧା ୫୦୦ ମିଲିଅନ୍‌ ଟନ୍‌ ଲୁହାପଥର ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଛି। ଫଳରେ ୪ ଗୁଣ ଅଧିକ ଖଣି ଖନନ ହେବ। ଖଣି ଖନନ ପାଇଁ ଅଧିକ ଗଛ କଟିବ। ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବ। ଏହାକୁ ରୋକିବାକୁ ଲୋଗ୍ରେଡ୍‌ ଲୁହାପଥରକୁ ବ୍ୟବହାର କରିବାକୁ ପଡ଼ିବ। ଏପରି ହେଲେ ୫୦ ପ୍ରତିଶତ ଖଣି ଖନନ ହ୍ରାସ ପାଇବ। ଏହାଦ୍ବାରା ଜଙ୍ଗଲ ସମ୍ପଦର ସୁରକ୍ଷା ସାଙ୍ଗକୁ ଖଣିଜ ପରିବହନ ଦ୍ବାରା ହେଉଥିବା ପ୍ରଦୂଷଣକୁ ରୋକାଯାଇପାରିବ ବୋଲି ଡ. ବିଶ୍ବାଳ କହିଥିଲେ।

‘ସମ୍ବାଦ’ର ସଂପାଦକ ତନୟା ପଟ୍ଟନାୟକ କହିଥିଲେ, ୨୦୩୬ରେ ଓଡ଼ିଶାକୁ ଶହେ ପୂରିବ। ଆସନ୍ତା ଦଶନ୍ଧି ଓଡ଼ିଶାର ହେବ। ଆଗାମୀ ଦିନରେ ଓଡ଼ିଶାର ବିକାଶ ଦେଶରେ ଉଦାହରଣ ସୃଷ୍ଟି କରିବ। ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ‌ଲୋକଙ୍କୁ ସଚେତନ କରିବାକୁ ‘ସମ୍ବାଦ’ରେ ପୁନଶ୍ଚ ପୃଥିବୀ ନାମରେ ଏକ ସ୍ବତନ୍ତ୍ର ପୃଷ୍ଠା ପ୍ରକାଶ ପାଉଛି। କନକ ନ୍ୟୁଜ୍‌ରେ ସ୍ବତନ୍ତ୍ର ବୁଲେଟିନ୍‌ ପ୍ରସାରଣ କରାଯାଉଛି। ଆସନ୍ତାକାଲି ପାଇଁ ଆଜି ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ। ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ପୃଥିବୀ ଗଢ଼ିବାକୁ ସେ ଆହ୍ବାନ ଦେଇଥିଲେ। ‘ସମ୍ବାଦ’ର କେନ୍ଦୁଝର ଜିଲ୍ଲା ପ୍ରତିନିଧି ସୁବ୍ରତ ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଦେଇଥିଲେ।