ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ନ୍ୟାୟିକ ପ୍ରକ୍ରିୟା ବା ଟ୍ରିବ୍ୟୁନାଲର ପରିଧି ବାହାରେ ଆପୋସ ବୁଝାମଣା ମାଧ୍ୟମରେ ସମାଧାନ ପାଇଁ ପ୍ରୟାସ କରାଯାଉ। ଏବେ କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବିଜେପି ସରକାର ଅଛି। ତେଣୁ ଆପୋସ ଆଲୋଚନା ମାଧ୍ୟମରେ ଏହାର ସମାଧାନ ସହଜ ହେବ ବୋଲି ମତ ପ୍ରକାଶ ପାଇଛି। ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜଳ ସମ୍ପଦ ବିଭାଗର ଦାୟିତ୍ୱରେ ଥିବାରୁ ସେ ନିଜେ ଏନେଇ ଆଗୁଆ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସମାଜସେବୀ ଓ ବିଶେଷଜ୍ଞ। ଆଜି ଭୁବନେଶ୍ୱର ଠାରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଓଡ଼ିଶା ନଦୀ ସୁରକ୍ଷା ସମିତି ପକ୍ଷରୁ ନଦୀର ସୁରକ୍ଷା ଓ ପୁନରୁଦ୍ଧାର ଶୀର୍ଷକ ଏକ ଚିନ୍ତନ ସଭା ଅନୁଷ୍ଠିତ ହୋଇଯାଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଶାର ବିଭିନ୍ନ ନଦୀର ସୁରକ୍ଷା ପାଇଁ ଆନ୍ଦୋଳନରତ ବ୍ୟକ୍ତିବିଶେଷ ଯୋଗ ଦେଇ ସଂପ୍ରତି ମହାନଦୀ ଜଳ ବିବାଦ ଓ ରାଜ୍ୟର ଅନ୍ୟାନ୍ୟ ନଦୀଗୁଡ଼ିକର ଦୟନୀୟ ଅବସ୍ଥାକୁ ନେଇ ଘୋର୍ ଉଦ୍ବେଗ ପ୍ରକାଶ କରିବା ସହିତ ଅନେକ ଗୁରୁତ୍ୱପର୍ଣ୍ଣ ନିଷ୍ପତି ନେଇଛନ୍ତି।
ବୈଠକରେ ଆଲୋଚନା ହୋଇଛି ଯେ ଏବେ ରାଜ୍ୟର ଅନେକ ନଦୀର ସ୍ଥିତି ଭଲ ନାହିଁ। ଅନେକ ଛୋଟ ଛୋଟ ନଦୀଗୁଡ଼ିକ ମରିଯିବାକୁ ବସିଲାଣି। ବଡ଼ ନଦୀଗୁଡ଼ିକ ପ୍ରଦୂଷିତ ହୋଇଗଲାଣି। ନଦୀଗୁଡ଼ିକ ଶୋଷଣ, ଅତିକ୍ରମଣ ଓ ପ୍ରଦୂଷଣର ଶିକାର ହୋଇ ସେମାନଙ୍କର ଅସ୍ତିତ୍ବ ହରାଇବାକୁ ବସିଲେଣି। ତେଣୁ ସରକାର ତୁରନ୍ତ ଏକ ନଦୀ ନୀତି ପ୍ରସ୍ତୁତ କରନ୍ତୁ। ଏହି ନୀତିର କାର୍ଯ୍ୟକାରିତା ପାଇଁ ଏକ ନଦୀ ମିସନ ଗଠନ ପାଇଁ ବୈଠକରେ ପ୍ରସ୍ତାବ ପାରିତ କରାଯାଇଛି। ରାଜ୍ୟର ନଦୀ ସାରଣୀ ପ୍ରସ୍ତୁତ କରି ଏହାର ସୁରକ୍ଷା ଓ ପୁନରୁଦ୍ଧାର ପାଇଁ ପଦକ୍ଷେପ ନେବାକୁ ଏକ ୧୭ଜଣିଆ କମିଟି ଗଠନ ହୋଇଛି। ଏହି ଆଧାରରେ ଆସନ୍ତା ଜୁଲାଇ୧୩ରେ ପରବର୍ତ୍ତୀ ବୈଠକ ବସିବ ବୋଲି ସ୍ଥିର ହୋଇଛି। ସେହିପରି ବୈଠକରେ ନିଷ୍ପତ୍ତି ହୋଇଛି ଯେ ଖୁବ୍ ଶୀଘ୍ର ମହାନଦୀ ଅବବାହିକାରେ ଥିବା ବୌଦ୍ଧ, ସୋନପୁର ଓ ଝାରସୁଗୁଡ଼ାଠାରେ ମହାନଦୀ ଯାତ୍ରା/ୱାକ୍ ଆୟୋଜନ ହେବ। ଅନୁରୂପ ଭାବେ ଦୟା, ବୈତରଣୀ, ସୁନା, କରୋ, ସାଳନ୍ଦୀ, ଗଙ୍ଗୁଆ ନଦୀ ଯାତ୍ରା ବା ରିଭର ୱାକ୍ ମଧ୍ୟ ଆୟୋଜିତ ହେବ। ବୈତରଣୀ ନଦୀ ଉପରେ ନିର୍ମିତ କାନପୁର ନଦୀ ବନ୍ଧର ପାଣି କେବଳ ଚାଷୀଙ୍କ ପାଇଁ ବ୍ୟବହାର ସହିତ ବୈତରଣୀ ନଦୀର ପାଣିକୁ ପାଇପ୍ ଯୋଗେ ଲୁହା ଗୁଣ୍ଡ ପରିବହନ ପାଇଁ ବ୍ୟବହାର ନକରିବାକୁ ବୈଠକରେ ମତ ପ୍ରକାଶ ପାଇଛି।
ଆଜିର ଏହି ବୈଠକରେ ଗାନ୍ଧୀବାଦୀ ନେତା ପ୍ରହ୍ଲାଦ ସିଂହ, ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ମାନବ ଅଧିକାର ପ୍ରବକ୍ତା ମନୋଜ ଜେନା, ଆଇନଜୀବୀ ଶଙ୍କର ପାଣି, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁ ଭାଇ, କୁଶଭଦ୍ରା ଆନ୍ଦୋଳନର ଆବାହକ ନିରଦ ବରଣ ଖୁଣ୍ଟିଆ, ଦୟା ଆନ୍ଦୋଳନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବୈତରଣୀ ଆନ୍ଦୋଳନର ବିପ୍ଳବ ମିଶ୍ର, ଅଶୋକ ଥାକର, ଗଣେଶ ପାତ୍ର, ଦିଲୁ ସ୍ବାମୀ, ସାଳନ୍ଦୀ ଆନ୍ଦୋଳନର ଆବାହକ ପ୍ରତାପ ପାଢ଼ୀ, ଗଙ୍ଗୁଆ ଆନ୍ଦୋଳନର ପ୍ରଦୀପ ତରାଇ, ଧନୁଆ ନଦୀ ଆନ୍ଦୋଳନର ଦେବରାୟ ସାହୁ, ରାଜକିଶୋର ପରିଡ଼ା, ପ୍ରଶାନ୍ତ ସାମନ୍ତରାୟ, ବସନ୍ତ କୁମାର ଜେନା, ଉତ୍ପଳ କୁମାର ଦାସ, ସର୍ବେଶ୍ବର ପଣ୍ଡା ପ୍ରମୁଖ ନଦୀ ଆନ୍ଦୋଳନକାରୀମାନେ ଯୋଗ ଦେଇଥିଲେ। ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ପ୍ରସନ୍ନ ବିଶୋଇ, ସଂଯୋଜକ ବିଜୟ ପ୍ରଧାନ ଓ ଯୁଗ୍ମ ସଂଯୋଜକ ପ୍ରକାଶ ରଥ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।