ଭୁବନେଶ୍ବର: ସମସ୍ତଙ୍କ ସହଯୋଗରେ ସଡ଼କ ସୁରକ୍ଷା ଅଭିଯାନ ଏକ ଜନ ଆନ୍ଦୋଳନ ହେଉ। ଏହାଦ୍ବାରା ଆମେ ଖୁବ୍ ଶୀଘ୍ର ଆମ ରାସ୍ତାଗୁଡ଼ିକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଆଜି କିଟ୍ ବିଶ୍ବବିଦ୍ୟାଳୟରେ ଆୟୋଜିତ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବର ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚଳଚ୍ଚିତ୍ର ଭାବନା ସୃଷ୍ଟି କରେ। ଏହା ଆମକୁ ଅଧିକ ସହାନୁଭୂତିଶୀଳ କରାଏ। ଆମେ ଯେଉଁ ପ୍ରସଙ୍ଗଗୁଡ଼ିକୁ ଅନେକ ସମୟରେ ଅଣଦେଖା କରୁ ସେଗୁଡ଼ିକ ସହ ଚଳଚ୍ଚିତ୍ର ଆମକୁ ସଂଯୋଗ କରିଥାଏ। ବର୍ତ୍ତମାନ ସମୟରେ ସଡ଼କ ସୁରକ୍ଷା ସବୁଠୁ ବଡ଼ ସମସ୍ୟା ପାଲଟିଛି। ଏହିଭଳି ଗୁରୁତ୍ବପୂର୍ଣ୍ଣ ସମସ୍ୟାର ସମାଧାନ ଦିଗରେ ସମସ୍ତଙ୍କୁ ସଂପୃକ୍ତ କରିବାରେ ସଡ଼କ ସୁରକ୍ଷା ଉପରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ରଗୁଡ଼ିକ ସବୁଠୁ ଭଲ ମାଧ୍ୟମ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପ୍ରତିଟି ଜୀବନ ମୂଲ୍ୟବାନ। ତେଣୁ ଆମ ସରକାରରେ ସଡ଼କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଉଛି। ଏହି ମେହାତ୍ସବରେ ସାନ୍ତାଳି ଏବଂ ସମ୍ବଲପୁରୀ ଭାଷାରେ ନିର୍ମିତ ଚଳଚ୍ଚିତ୍ର ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର୍ କରିବା ସହ କହିଥିଲେ ଯେ ସ୍ଥାନୀୟ ଭାଷାରେ ନିର୍ମିତ ଚଳଚ୍ଚିତ୍ର ନିଶ୍ଚିତ ଲୋକଙ୍କ ଉପରେ ଅଧିକ ପ୍ରଭାବ ପକାଇବ। ସେହିପରି ଭୁବନେଶ୍ବରରେ ପଢ଼ୁଥିବା ନେପାଳ, ବାଂଲାଦେଶ, କେନିଆ ଛାତ୍ରଛାତ୍ରୀମାନେ ଏହି ମହୋତ୍ସବକୁ ସେମାନଙ୍କ ଚଳଚ୍ଚିତ୍ର ପଠାଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ଜାହିର୍ କରିଥିଲେ। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ସରକାର ସଡ଼କ ସୁରକ୍ଷା ସଚେତନତା ନେଇ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇଥିବାବେଳେ ପରିବହନ କମିସନର ଅମିତାଭ ଠାକୁର ଧନ୍ୟବାଦ ଦେଇଥିଲେ।
ଏହି କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବରେ ୮ଟି ରାଜ୍ୟର ୭ଟି ଭାଷାର ୨୪୭ଟି ଚଳଚ୍ଚିତ୍ର ଭାଗ ନେଇଥିବାବେଳେ ଶ୍ରେଷ୍ଠ ୪୨ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ସେଥିରୁ ଓଡ଼ିଆ ବର୍ଗରେ କୁକୁର ଓ ମଣିଷର ସମ୍ପର୍କକୁ ନେଇ ବାଲେଶ୍ବରର ଅମୃତାଂଶୁ ମହାପାତ୍ରଙ୍କ ନିର୍ଦ୍ଦେଶିତ ‘ବିଶ୍ବସ୍ତ ସାଥୀ’ ଚଳଚ୍ଚିତ୍ର ପ୍ରଥମ ସ୍ଥାନ ହାସଲ କରିଥିବାବେଳେ ଅଣ ଓଡ଼ିଆ ବର୍ଗରେ କେରଳର ଶ୍ରୀନାଥ ଏସ୍ଙ୍କ ନିର୍ଦ୍ଦେଶିତ ‘ଇଫ୍’ ଚଳଚ୍ଚିତ୍ର ପ୍ରଥମ ସ୍ଥାନ ହାସଲ କରିଥିଲା। ସୂଚନାଯୋଗ୍ୟ ଯେ ଅଣଓଡ଼ିଆ ବର୍ଗରେ ପଞ୍ଜାବ, ମହାରାଷ୍ଟ୍ର, କେରଳ, ଆସାମ, ଦିଲ୍ଲୀ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ ବହୁ କ୍ଷୁଦ୍ର ଚଳଚ୍ଚିତ୍ର ଏହି ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା।