ଅନାଥ ପିଲାଙ୍କ ନାମଲେଖା କେନ୍ଦ୍ରୀୟ ବିଦ୍ୟାଳୟରେ ହେଉ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ସାଂସଦ ଅମର ପଟ୍ଟନାୟକଙ୍କ ଚିଠି

ଭୁବନେଶ୍ବର : ଅନାଥ ଶିଶୁଙ୍କ ପାଇଁ ଦେଶରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣା ପଢ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କଙ୍କୁ ବିଜେଡି ସାଂସଦ ଅମର ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି। କରୋନା ଦ୍ବିତୀୟ ଲହରରେ ଦେଶର ଅନେକ ଶିଶୁ ବାପା, ମା’ଙ୍କୁ ହରାଇ ଅନାଥ ହୋଇଯାଇଛନ୍ତି। ସେମାନଙ୍କୁ ଦେଖିବାକୁ କେହି ନାହାନ୍ତି, ଯାହାକି ଅତ୍ୟନ୍ତ ଦୁଃଖଦାୟକ। ଏଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଅନାଥ ପିଲାଙ୍କୁ ମାଗଣା ଶିକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି। ତେଣୁ କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଛନ୍ତି, ତାଙ୍କୁ ‘ୱାକ୍‌ ଇନ୍’ ମାଧ୍ୟମରେ ନାମଲେଖା ପାଇଁ ସୁଯୋଗ ମିଳୁ। ତଥ୍ୟ ଓ ତାଲିକା ଆସିବାକୁ ଅପେକ୍ଷା କରା ନ କରାଯାଉ। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି। ମାନବିକତା ଦୃଷ୍ଟିରୁ ଏହି ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ। ଜଗନ୍ନାଥ ଚାହୁଛନ୍ତି ଯେ ସେମାନଙ୍କ ନାମଲେଖା ହେଉ ଓ ଭବିଷ୍ୟତ ଅନ୍ଧାର ନ ହେଉ। ଏ ଦିଗରେ ସମାଜ ମିଶିକି କାମ କରୁ ବୋଲି ଶ୍ରୀ ପଟ୍ଟନାୟକ ଲେଖିଛନ୍ତି।

ସମ୍ବନ୍ଧିତ ଖବର