ସର୍ବଦଳୀୟ ଗୃହ କମିଟି କୋଟିଆ ଯାଉ: ବିଜୟ ମହାପାତ୍ର

ଭୁବନେଶ୍ବର: ଭାରତ ବର୍ଷରେ ଏମିତି କୌଣସି ରାଜ୍ୟ ନାହିଁ ଯେଉଁଠି ଅନ୍ୟ ରାଜ୍ୟ ଆସି ପଞ୍ଚାୟତ ନିର୍ବାଚନ କରୁଛି। ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଏ ଘଟଣା ଘଟିଗଲା। ଏହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ। ଆମ ସମସ୍ତଙ୍କ ପାଇଁ ଉଦ୍‌ବେଗଜନକ ଅବସ୍ଥା ସୃଷ୍ଟି କରିଛି। ଓଡ଼ିଶାର ସ୍ଥାୟୀତ୍ବ ଓ ଓଡ଼ିଶାର ସୀମା ଆଜି ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବିବାଦର ସ୍ଥାୟୀ ସମାଧାନ ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତିଙ୍କ ନେତୃତ୍ବରେ ସର୍ବସମ୍ମତିକ୍ରମେ ଏକ ସର୍ବଦଳୀୟ ଗୃହ କମିଟି କୋଟିଆ ଯାଉ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ସମସ୍ତ ବିଧାୟକଙ୍କୁ ପ୍ରସ୍ତାବ ଦେଇଛନ୍ତି।

ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜୟ ମହାପାତ୍ର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। କହିଛନ୍ତି ଯେ, କୋଟିଆ ସମସ୍ୟାର ସମାଧାନ ପାଇଁ କେବଳ ସୁପ୍ରିମକୋର୍ଟଙ୍କ ଆଗରେ ଆମ ଦାବି ରଖିଦେଲେ ଚଳିବ ନାହିଁ। ସୁପ୍ରିମକୋର୍ଟରେ କେସ୍‌ ଚାଲୁ, ତତ୍‌ସହିତ ଆମ ସ୍ତରରେ ଏ ସମସ୍ୟାର ସମାଧାନ ପାଇଁ ସମ୍ମିଳିତ ଉଦ୍ୟମ ମଧ୍ୟ ହେଉ। ଏମିତି ହେଲେ ହିଁ ଓଡ଼ିଶା ସୁରକ୍ଷିତ ହୋଇପାରିବ। ନହେଲେ ଓଡ଼ିଶାର ସୀମାନ୍ତ ଚିନ୍ତା ଆମକୁ ଦିନକୁ ଦିନ ଗ୍ରାସ କରି ଚାଲିବ। ଏମିତିରେ ଗଜପତି, ବାଲେଶ୍ବର, ସୁନ୍ଦରଗଡ଼ ସମେତ ଅନ୍ୟ ସୀମାନ୍ତ ଜିଲ୍ଲାରେ ସୀମା ସମସ୍ୟା ଲାଗି ରହିଥିବାବେଳେ ଏହି ସମସ୍ୟା ବଢ଼ିବାରେ ଲାଗିଛି।

ଶ୍ରୀ ମହାପାତ୍ର ଆହୁରି ମନେପକାଇ ଦେଇଛନ୍ତି ଯେ, ସେ ବିଧାନସଭାରେ ଥିବାବେଳେ ୮୦ଦଶକରେ ରାଇଘରରେ ଏକ ଜେଲ୍‌ ପୋଡି ଘଟଣା ହୋଇଥିଲା। ନକ୍ସଲମାନେ ଷଡଯନ୍ତ୍ର କରି ଜେଲ୍‌ ପୋଡ଼ି କଏଦୀଙ୍କୁ ଖଲାସ୍‌ କରିନେଇଥିଲେ। ସେତେବେଳେ ଆମେ ବିଧାନସଭା ଛାଡ଼ି ଗୃହ କମିଟିରେ ଉକ୍ତ ଅଞ୍ଚଳକୁ ଯାଇଥିଲୁ। ଏହିଭଳି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା ଏବେ କୋଟିଆରେ ଘଟିଛି। ତେଣୁ ଏବେ ସର୍ବଦଳୀୟ କମିଟି କୋଟିଆ ଗସ୍ତ କରିବାର ସମୟ ଆସିଛି।

ସମ୍ବନ୍ଧିତ ଖବର