ବାଲେଶ୍ବର/ଭୋଗରାଇ: ହିମାଳୟର ବରଫ ତରଳୁଛି। ପାଣିପାଗର ସ୍ଥିରତା ନାହିଁ। ଆମ ଦ୍ବାରା ହେଉଥିବା ପରିବେଶ ପ୍ରଦୂଷଣ ଏହାର ମୁଖ୍ୟ କାରଣ। ଯେଉଁଥିପାଇଁ ପ୍ରକୃତି ପ୍ରତିଶୋଧ ନେବା ଆରମ୍ଭ କରିଛି। ତେବେ ଏଥିରୁ ଉଦ୍ଧାର ପାଇବାକୁ ହେଲେ ନିଜ ଅଞ୍ଚଳରୁ ହିଁ ବିହିତ ପଦ‌କ୍ଷେପ ନେବାକୁ ପଡ଼ିବ। ବ୍ୟାପକ ଗଛ ଲଗାଇବାକୁ ହେବ। ତେବେ ଗଛ ଲଗାଇବା ପରି ଗଛ ବଞ୍ଚାଇବା ଅଭିଯାନ ଆରମ୍ଭ ହେଉ ବୋଲି ଆଜି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମ‌ରେ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ।

Advertisment

ବାଲେଶ୍ବର ଜିଲ୍ଲା ଭୋଗରାଇ ନିର୍ବାଚନମଣ୍ଡଳୀ ଅଧୀନ ଦେହୁର୍ଦ୍ଦା ପଞ୍ଚାୟତ ଆନନ୍ଦବଜାରସ୍ଥିତ ବିଶ୍ବ ହିନ୍ଦୁ ପରିଷଦ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ତଥା ବିଜେପି ନେତା ଅଂଶୁମାନ ମହାନ୍ତି ଯୋଗଦେଇ କହିଲେ, ପ୍ରକୃତି ଆମକୁ ସବୁ ଦେଇଛି। ହେଲେ ଆମେ ତାକୁ ନଷ୍ଟ କରିଚାଲିଛୁ। ଯେଉଁଥିପାଇଁ ଜୀବଜଗତ ବିପଦମୁହାଁ ହେଉଛି। ଏପରି ସମୟରେ ‘ପୁନଶ୍ଚ ପୃଥିବୀର’ ଆହ୍ବାନ ବେଶ୍‌ ଗୁରୁତ୍ବବହନ କରୁଛି। ଅନ୍ୟତମ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା କହିଲେ, ସହରାଞ୍ଚଳ ଭଳି ଗ୍ରାମାଞ୍ଚଳର ପରିବେଶକୁ ସଫା ରଖିବା ପାଇଁ ଗୁୁରତ୍ବାରୋପ କରିବା ସହ ଗୋଟିଏ ଗଛ କଟାଗଲେ ତା’ ବଦଳରେ ୧୦ଟି ଗଛ ଲଗାଯିବା ଦରକାର। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍‌ ପଙ୍କଜାଖ ପଣ୍ଡା ଓ ପୂର୍ବତନ ସରପଞ୍ଚ ରମାକାନ୍ତ କର ଯୋଗଦେଇ ଗଛ ଲଗାଇ ତାର ଯତ୍ନ ନେବାକୁ ଆହ୍ବାନ ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଓ ପରିବେଶବିତ୍‌ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଭୋଗରାଇ ‘ସମ୍ବାଦ-ସାହିତ୍ୟଘର’ର ସମ୍ପାଦକ ସୁଶାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ‘ସମ୍ବାଦ’ ବାଲେଶ୍ବର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ସ୍ବାଗତ ଭାଷଣ ଦେଇଥିଲେ। ଉତ୍ତର ବାଲେଶ୍ବର ପ୍ରତିନିଧି ସତ୍ୟବ୍ରତ ପ୍ରଧାନ ପ୍ରାରମ୍ଭିକ ସୂଚନା ଓ କମର୍ଦ୍ଦା ପ୍ରତିନିଧି ନରନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭୋଗରାଇ ପ୍ରତିନିଧି ବିଶ୍ବଜିତ ମହାନ୍ତିଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।